ଭାରତକୁ ଜାପାନର ସମର୍ଥନ
ନୂଆଦିଲ୍ଲୀ: ଲଦାଖରେ ସୀମା ବିବାଦକୁ ନେଇ ଭାରତ ଓ ଚୀନ ମୁହାଁ ମୁହିଁ ହୋଇଥିଲା ବେଳେ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟକୁ ଜାପାନ ସମର୍ଥନ କରିଛି । ଭାରତରେ ଜାପାନର ରାଷ୍ଟ୍ରଦୂତ ସାତୋଷି ସୁଜୁକି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସୁଜୁକି କହିଛନ୍ତି ଯେ ଭାରତର ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଲଙ୍କା ତାଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ଏହି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଯେଉଁ ଉଦ୍ୟମ କରୁଛି, ଜାପାନ ତାକୁ ସମର୍ଥନ କରୁଛି । ସେହିପରି ସୀମାରେ ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍ଥିତାବସ୍ଥାରେ ପରିବର୍ତ୍ତନ କରାଯିବାକୁ ଜାପାନ ଦୃଢ଼ ବିରୋଧ କରେ । ଚୀନକୁ ଇଙ୍ଗିତ କରି ସେ ଏହା କହିଛନ୍ତି । ସୂଚନା ଯୋଗ୍ୟ ଯେ, ଗଲୱାନ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହେବା ପରେ ସୁଜୁକି ସେମାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଜାପାନ ମଧ୍ୟ ପ୍ରଥମ ଦେଶ ଥିଲା ଯିଏକି ଭାରତକୁ ଡୋକଲାମ ବିବାଦ ବେଳେ ସମର୍ଥନ କରିଥିଲା ।


