ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୬ତମ ପୂଣ୍ୟତିଥି ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଟଳ ବିହାରୀ ବାଜପେୟୀ ରିସର୍ଚ୍ଚ ଅନୁଷ୍ଠାନ ତରଫରୁ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଷଷ୍ଠତମ ପୂଣ୍ୟତିଥି ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରାକ୍ତନ ନ୍ୟାୟଧିଶ ସମ୍ବିଧାନ ଓ ଆଇନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର, ଅଧ୍ୟାପକ ବିଶ୍ୱରଞ୍ଜନ, ପ୍ରାକ୍ତନ ନ୍ୟାୟଧିଶ ଶ୍ରୀଯୁକ୍ତ ଉମାଶଙ୍କର ମିଶ୍ର, ଆପୋଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଆଲୋକ ଶ୍ରୀବାସ୍ତବ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ ପ୍ରମୁଖ ଯୋଗଦାନ କରିଥିଲେ । ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବଂଶୀଧର ଦାସ ଏବଂ ସଭାପତି ସୁଧାକର ପତ୍ରି ସଭାକାର୍ଯ୍ୟ ପରିଚାଳନା କରିଥିଲେ ।ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ଅଟଳ ବିହାରୀଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କର ଅଟଳଜୀଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଗଭୀର ଭାବରେ ବର୍ଣ୍ଣନା କରିଥିଲେ । ସମସ୍ତ ଅତିଥିମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୭ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ନରେଶ କୁମାର ଦାସ, ଶିଭାଶିଷ ମହାପାତ୍ର, ଦେବବ୍ରତ ପାଲ, ସରୋଜ ବେହେରା, ଚିନ୍ମୟ ବୋଡ଼େ, ସୁକାନ୍ତ ମହାନ୍ତି, ବାଳକୃଷ୍ଣ ରାଉତ, ସଞ୍ଜୟ କୁମାର ପଟ୍ଟନାୟକ, ମାନସ ରଞ୍ଜନ ପୃଷ୍ଟି, ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟା, ଆରଏସ୍ଏସ୍ ଓ ଆର୍ଯ୍ୟସମାଜର ସମସ୍ତ କର୍ମକର୍ତ୍ତା ସକାଳେ ବିନ୍ଦୁସାଗରରେ ତଳିତର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାନସ ଶତପଥି ଓ ବିରୁପାକ୍ଷ ପଣ୍ଡା ପରିଚାଳନା କରିଥିଲେ । ସେହିପରି ଏମ୍ସ ପରିସରରେ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ଅମିୟ ମିଶ୍ର, ସୁକାନ୍ତ କୁମାର ମହାନ୍ତି, ଶିଭାଶିଷ ମହାପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ବଂଶୀଧର ଦାସ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏମ୍ସର ନିର୍ଦ୍ଦେଶକ ଡଃ ଆଶୁତୋଷ ବିଶ୍ୱାସ ଓ ତାଙ୍କ ସହଯୋଗୀ ଉପସ୍ଥିତ ଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସମୀର ମହାନ୍ତି, ଜିଲ୍ଲା ସଭାପତି, ବିଧାୟକ ଓ ଅନ୍ୟ କର୍ମକର୍ତ୍ତାମାନେ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶେଷରେ ଅନୁଷ୍ଠାନ ତରଫରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।