ଭାରତରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଅନ୍ୟ ଦେଶ ଉପରେ ନିର୍ଭର କରିବ: ହରଦୀପ ସିଂହ ପୁରୀ
ନୂଆଦିଲ୍ଲୀ: ଭାରତରେ କୋରୋନା ଭୂତାଣୁ ସଂକ୍ରମଣ ରୋକିବା ସକାଶେ ପାଖାପାଖି ଅଢ଼େଇ ମାସ ଧରି ବିମାନ ଚଳାଚଳ ସେବା ବନ୍ଦ ରହିବା ପରେ ଗତ ମାସରେ କେବଳ ଘରୋଇ ବିମାନ ଉଡ଼ାଣକୁ ଅନୁମତି ଦିଆଯାଇଛି। ଏବେ କେବଳ ଘରୋଇ ବିମାନଗୁଡ଼ିକ ବିଭିନ୍ନ ରାଜ୍ୟ ମଧ୍ୟରେ ଆତଯାତ କରୁଥିବା ବେଳେ ଅନ୍ତର୍ଜାତୀୟ ସେବା ଅଦ୍ୟାବଧି ଆରମ୍ଭ ହୋଇପାରିନାହିଁ। ତେବେ ଅନ୍ୟ ଦେଶଗୁଡ଼ିକ ସେମାନଙ୍କ ଅନ୍ତର୍ଜାତୀୟ ସୀମା ଉନ୍ମୁକ୍ତ କରିବା ପରେ ହିଁ ଭାରତରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରାଯାଇପାରିବ ବୋଲି କେନ୍ଦ୍ର ବେସାମରିକ ଜାହାଜ ଚଳାଚଳ ବିଭାଗ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ଅବସରରେ ପୁରୀ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ୭ ଶହରୁ ଊର୍ଦ୍ଧ୍ବ ବିମାନ ଚଳାଚଳ କରୁଛି। କିନ୍ତୁ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅଦ୍ୟାବଧି ଅନୁମତି ଦିଆଯାଇପାରିନାହିଁ। ତା’ଛଡ଼ା ଆମେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦେଲେ ମଧ୍ୟ ବିଶେଷ କିଛି ଫାଇଦା ହେବ ନାହିଁ। କିନ୍ତୁ ବିଭିନ୍ନ ଦେଶରେ ଏବେ ବି ଅନ୍ତର୍ଜାତୀୟ ସୀମା ଉପରେ କଟକଣା ଜାରି ରହିଛି। ତେଣୁ ଏପରି ଏକ ବାସ୍ତବତାକୁ ଆମେ ଉପଲବ୍ଧି କରିବା ଉଚିତ ବୋଲି ପୁରୀ କହିଛନ୍ତି।
ସେ କହିଛନ୍ତି ଯେ ଅନ୍ୟାନ୍ୟ ଦେଶଗୁଡ଼ିକ ସେମାନଙ୍କ ସୀମାରେ ପ୍ରବେଶକୁ ଅନୁମତି ଦେବା ପରେ ହିଁ ଆମେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିପାରିବୁ। ତେଣୁ ଭାରତରେ କେବେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ, ସେନେଇ ବର୍ତ୍ତମାନ କୌଣସି ସୂଚନା ଦେବା ସମ୍ଭବପର ନୁହେଁ ବୋଲି ପୁରୀ କହିଛନ୍ତି। ଏହି ଅବସରରେ ସେ କହିଛନ୍ତି କରୋନା ପାଇଁ ଲକଡାଉନ୍ ଘୋଷଣା ପରଠାରୁ ଅଦ୍ୟାବଧି ବିଦେଶରେ ଫସିରହିଥିବା ଭାରତୀୟଙ୍କ ମଧ୍ୟରୁ ୨ ଲକ୍ଷ ୭୫ ହଜାର ପ୍ରବାସୀଙ୍କ୍ ଭାରତକୁ ଫେରାଇ ଅଣାଯାଇପାରିଛି। ଉଭୟ ବିମାନ ଓ ଜାହାଜ ମାଧ୍ୟମରେ ଏମାନଙ୍କୁ ଭାରତରେ ପହଞ୍ଚାଯାଇଛି ବୋଲି ସେ କହିଛନ୍ତି। ସେହିପରି ବିଭାଗୀୟ ସଚିବ ପିଏସ୍ ଖରୋଲା କହିଛନ୍ତି ଯେ ବର୍ତ୍ତମାନ ସମୟରେ ଭାରତରେ କେବଳ ଘରୋଇ ବିମାନଗୁଡ଼ିକ ଚଳାଚଳ କରୁଥିଲେ ହେଁ କୌଣସି ପ୍ରକାର ସଂକ୍ରମଣର ଭୟ ନାହିଁ। କାରଣ ସମସ୍ତ ପ୍ରକାର ପ୍ରତିଷେଧକମୂଳକ ବ୍ୟବସ୍ଥାର ସଠିକ୍ ପରିପାଳନ କରାଯାଉଛି। ଘରେ ବସି ଯାତ୍ରୀମାନେ ସେମାନଙ୍କ ବୋର୍ଡିଂ ପାସ୍ ପାଇପାରୁଛନ୍ତି। ବୋର୍ଡିଂ ସହ ଚେକ୍-ଇନ୍, ବ୍ୟାଗେଜ୍ ଡ୍ରପ୍ ଆଦି କଣ୍ଟାକ୍ଟଲେସ୍ ରହିଛି। ଏପରିକି ବିମାନ ବନ୍ଦରରେ ଯାତ୍ରୀଙ୍କ ଯାଞ୍ଚ୍ ମଧ୍ୟ କଣ୍ଟାକ୍ଟଲେସ୍ ରହିଛି। ତେଣୁ ବିମାନ ଚଳାଚଳଜନିତ କୌଣସି ପ୍ରକାର ସଂକ୍ରମଣର ସମ୍ଭାବନା ନାହିଁ ବୋଲି ଖରୋଲା କହିଛନ୍ତି। ଏଥିସହ ବିମାନ କର୍ମଚାରୀଙ୍କଠାରୁ ଆରମ୍ଭ କରି ବିମାନବନ୍ଦର କର୍ମଚାରୀ ଓ ସମସ୍ତ ଯାତ୍ରୀ ସବୁ ପ୍ରକାର ସହଯୋଗ କରୁଥିବାରୁ ସେମାନଙ୍କୁ ଖରୋଲା ଧନ୍ୟବାଦ ଦେଇଛନ୍ତି।