ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା ୨୫
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଭାରତରେ ୧୦୪୦ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ୯୨୮ ଜଣ ଏବେ ଏହି ରୋଗରେ ସକ୍ରିୟ ରହିଛନ୍ତି । ସେହିପରି ୮୬ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହା ତଳକୁ କେରଳ ରହିଛି । ମହାରାଷ୍ଟ୍ରରେ ୧୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି କେରଳରେ ୧୮୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କର୍ଣ୍ଣାଟକରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ ପାଞ୍ଚଜଣଙ୍କର ଜମ୍ମୁକାଶ୍ମୀରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଯୋଗୁଁ ଭାରତରେ ଲକ୍ଡାଉନ୍ ଜାରି ହୋଇଥିବାବେଳେ ଏନେଇ କରୋନା ନେଇ ଗୁଜବ ପ୍ରସାରିତ କରୁଥିବା ଅଭିଯୋଗରେ ମହାରାଷ୍ଟ୍ରରେ ୩୬ଟି ମାମଲା ରୁଜୁ ହୋଇଛି।


