ଭାରତରେ ପହଞ୍ଚିଲା ଆଉ ୫ ଏଏଚ-୬୪ ଡି ଆପାଚି ଆଟାକ ହେଲିକପ୍ଟର

ନୂଆଦିଲ୍ଲୀ: ଗଲଓ୍ଵାନ ସଂଘର୍ଷ ପରେ ଚୀନ ସେନା ପଛକୁ ହଟିଥିଲେ ମଧ୍ୟ ଭାରତ ନିଜର ଲଢୁଆ ବିମାନ ଓ ହେଲିକପ୍ଟର ସଂଖ୍ୟା ବଢାଇ ଚାଲିଛି। ଆମେରିକାର ବୋଇଂ କମ୍ପାନୀ ଭାରତୀୟ ବାୟୁସେନାକୁ ଅବଶିଷ୍ଟ ୫ଟି ଏଏଚ-୬୪ ଡି ଆପାଚି ଆଟାକ ହେଲିକପ୍ଟର ଶୁକ୍ରବାର ପ୍ରଦାନ କରିଛି। ଭାରତ ମୋଟ ୨୨ଟି ଆପାଚି ପାଇଁ ଅର୍ଡର ଦେଇଥିବାବେଳେ ପୂର୍ବରୁ ହିଁ ୧୭ଟି ଭାରତରେ ପହଞ୍ଚିସାରିଛି। ଗଲଓ୍ଵାନ ଘାଟିରେ ମଧ୍ୟ ଭାରତୀୟ ବାୟୁସେନା ନିଜର ଆପାଚି ହେଲିକପ୍ଟରକୁ ମୁତୟନ କରିଛି। ଟ୍ୟାଙ୍କ, ସାମରିକ ଗାଡିକୁ ଧ୍ୱଂସ କରିବାରେ ମାହିର ଥିବା ଆପାଚି ପୂରା ବିଶ୍ୱରେ ବିଧ୍ୱଂସକାରୀ ହେଲିକପ୍ଟର ଭାବେ ଜଣାଶୁଣା। ଏହି ହେଲିକପ୍ଟରରେ ୩୦ ଏମଏମ ମେସିନଗନ ସଂଯୁକ୍ତ ରହିଛି। ଯେଉଁଥିରୁ ଗୋଟିଏ ଥରରେ ୧୨୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚଳା ଯାଇ ପାରିବ। ଏହାଛଡା ଏଥିରେ ଆଣ୍ଟି ଟ୍ୟାଙ୍କ୍ ହେଲଫାୟାର ମିସାଇଲ ରହିଛି ଯାହା ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଥରକେ ନଷ୍ଟ କରିବାକୁ ସକ୍ଷମ। ଅନ୍ୟ ପକ୍ଷରେ ଗତ ମାର୍ଚ୍ଚ ମାସରେ ଭାରତ ମଗାଇଥିବା ୧୫ଟି ଚିନୁକ ହେଭିଲିପ୍ଟ ହେଲିକପ୍ଟର ଭାରତରେ ପହଞ୍ଚିସାରିଛି। ଭାରତ ମୋଟ ୧୫ଟି ଚିନୁକ ଡେଲିଭରି ପାଇଁ ବୋଇଂକୁ ଅର୍ଡର ଦେଇଥିଲା। ଚିନୁକ ହେଭିଲିପ୍ଟ ହେଲିକପ୍ଟର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହେଲିକପ୍ଟର ମଧ୍ୟରୁ ଅନ୍ୟତମ। ଏହା ଉଭୟ ଆକ୍ରମଣ ଓ ପରିବହନ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇପାରିବ। ଅତ୍ୟନ୍ତ ଓଜନିଆ ଯୁଦ୍ଧ ସାମଗ୍ରୀ ଯେପରିକି ହେଭିମେସିନଗନ, ଆର୍ଟିଲାରୀ ଗନ ଆଦିକୁ ଏଥିରେ ବହନ କରିହେବ। ସୂଚନା ଥାଉ କି ଚୀନ ଓ ପାକିସ୍ତାନ ପଟୁ ଭାରତ ପ୍ରତି ବିପଦ ବଢୁଥିବାରୁ ଭାରତ ନିଜର ସାମରିକ ଶକ୍ତି ବୃଦ୍ଧି କରିଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ