ଭାରତରେ ପ୍ରବେଶ ଅପେକ୍ଷାରେ ୪୫୦ ଆତଙ୍କବାଦୀ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ କରୋନା ଭାଇରସ କବଳରେ ବ୍ୟଥିତ ହେଉଥିବା ବେଳେ ପାକିସ୍ତାନ ଭାରତ ମଧ୍ୟକୁ ଆତଙ୍କବାଦୀଙ୍କୁ ପ୍ରବେଶ କରାଇବା ଯୋଜନା କରୁଛି । କୋଭିଡ-୧୯ ଦ୍ୱାରା କ୍ଷତିଗ୍ରସ୍ତ ହୋଇ ମଧ୍ୟ ପାକିସ୍ତାନ ଭାରତ ବିରୋଧୀ ଷଡଯନ୍ତ୍ରରୁ ମୁକ୍ତ ହୋଇପାରୁନାହିଁ । ପ୍ରାୟ ୪୫୦ ଜଣ ପାକିସ୍ତାନୀ ଆତଙ୍କବାଦୀ କାଶ୍ମୀର ମଧ୍ୟକୁ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି ଏବଂ ସେମାନେ ପାକିସ୍ତାନର ୧୪ଟି ଅପରେସନାଲ ଲଞ୍ଚ ପ୍ୟାଡ ଦେଇ କାଶ୍ମୀର ମଧ୍ୟକୁ ପଶିବାକୁ ଉଦ୍ୟମ କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଭାରତୀୟ ସୁରକ୍ଷା ଅଧିକାରୀଙ୍କ ତଥ୍ୟ ଅନୁସାରେ, ଏହି ୪୫୦ ଆତଙ୍କବାଦୀଙ୍କ ମଧ୍ୟରୁ ଲସ୍କର-ଇ-ତୋଇବାର ୨୪୪ ଜଣ, ଜୈସ-ଏ-ମହମ୍ମଦର ୧୨୯ ଜଣ ଏବଂ ହିଜବୁଲ ମୁଜାହିଦ୍ଧିନିର ୬୦ ଜଣ ଏବଂ ଅବଶିଷ୍ଟ ଅଲ ବଦର ଗୋଷ୍ଠୀ ଅନ୍ତର୍ଭୁକ୍ତ । ଏହି ଆତଙ୍କବାଦୀମାନେ ପାକ ଅଧିକୃତ କାଶ୍ମୀରରୁ ପ୍ରଶିକ୍ଷିତ ହୋଇ ଜମ୍ମୁ କାଶ୍ମୀର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ଭାରତୀୟ ଗୁଇନ୍ଦା ସଂସ୍ଥାର ତଥ୍ୟ ଅନୁସାରେ ପାକିସ୍ତାନର ମୋଟ ୧୬ଟି ଆତଙ୍କବାଦୀ ଶିବିର ମଧ୍ୟରୁ ପାକ ଅଧିକୃତ କାଶ୍ମୀରରେ ୧୧ଟି, ପଞ୍ଜାବରେ ଗୋଟିଏ, ପାକିସ୍ତାନରେ ଗୋଟିଏ ଏବଂ କେପିକେ ଅଞ୍ଚଳରେ ୩ଟି ଆତଙ୍କବାଦୀ ଶିବିର ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଗତବର୍ଷ ଅଗଷ୍ଟରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଥମ ଗ୍ରୀଷ୍ମ ଋତୁକୁ ନଜରରେ ରଖି ଆତଙ୍କବାଦୀମାନେ କାଶ୍ମୀର ମଧ୍ୟକୁ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି । ପାକିସ୍ତାନର ଆଇଏସଆଇ ଜମ୍ମୁ କାଶ୍ମୀରର ବ୍ୟାପକ ଅଞ୍ଚଳରେ ଆତଙ୍କବାଦୀମାନଙ୍କୁ ପ୍ରବେଶ କରାଇବାର ଯୋଜନା କରୁଛି ବୋଲି ଜଣେ ଭାରତୀୟ ଗୁଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି ।


