ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ପାଇଁ ନିବେଦନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତର ମହାମହିମ ରାଷ୍ଟ୍ରପତି ମାନନୀୟା ଦ୍ରେୀପଦୀ ମୁର୍ମୁଙ୍କୁ ସାକ୍ଷାତ କରି ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ଡଃ ଡିଲ୍ଲୀପ ଶ୍ରୀଚନ୍ଦନ ଓଡ଼ିଶାର ଖୋର୍ଦ୍ଧାରେ ୧୮୧୭ ମସିହାରେ ସଂଗଠିତ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ପାଇଁ ଉପଯୁକ୍ତ ପରାମର୍ଶ ଦେବାକୁ ନିବେଦନ କରିଛନ୍ତି ।ସେମାନେ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ପାଇକ ବିଦ୍ରୋହ ୧୮୧୭ ମସିହାରେ ସଂଗଠିତ ହୋଇଥିଲା ବେଳେ ଏହାର ୪୦ ବର୍ଷ ପରେ ୧୮୫୭ ମସିହାରେ ସିପାହୀ ମିଉଟିନି ସଂଗଠିତ ହୋଇଥିଲା । ମିଉଟିନି ଶବ୍ଦର ଅର୍ଥ ହେଲା ଯେଉଁଠି ପୋଲିସ୍ ବିଭାଗର ତଳ କର୍ମଚାରୀମାନେ ଉପରିସ୍ଥ ଅଧିକାରୀ ମାନଙ୍କ ବିରୁଦ୍ଧରେ ବିଦ୍ରୋହ କରନ୍ତି । ତେଣୁ ସିପାହୀ ମିଉଟିନି ସ୍ୱାଧୀନତା ସଂଗ୍ରାମ ପାଇଁ ଉଦ୍ଦିଷ୍ଟ ନଥିଲା, ତାହା ସିପାହୀ ମାନଙ୍କର ଉପରିସ୍ଥ ଅଧିକାରୀମାନଙ୍କ ବିରୁଦ୍ଧରେ ବିଦ୍ରୋହ ଥିଲା । କିନ୍ତୁ ପାଇକ ବିଦ୍ରୋହ ଦେଶ ଓ ଜାତିର ସ୍ୱାଭିମାନ ସୁରକ୍ଷା ପାଇଁ ତଥା ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ଏହାର ୪୦ ବର୍ଷ ପୂର୍ବରୁ ସଂଗଠିତ ହୋଇଥିଲା । ତେଣୁ ପାଇକ ବିଦ୍ରୋହକୁ ଯଥାଶୀଘ୍ର ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଆସାମ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, ଶିଖ୍ ରେଜିମେଣ୍ଟ, ବିହାର ରେଜିମେଣ୍ଟ ପରି ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ କରାଗଲେ ହଜାର ହଜାର ଯୁବକ କର୍ମନିଯୁକ୍ତି ପାଇବା ସହିତ ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରିପାରିବେ ବୋଲି ସେମାନେ ଦର୍ଶାଇଥିଲେ । ଭାରତବର୍ଷର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼, ଯାହାକି ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ତାହାର ପୁନରୁଦ୍ଧାର କରିବାକୁ ସେମାନେ ନିବେଦନ କରିଥିଲେ । ଅନୁରୂପ ଭାବରେ ପାଇକ ବିଦ୍ରୋହରେ ଯେଉଁ ଦେଶଭକ୍ତ ଓ ମହାସଂଗ୍ରାମୀମାନେ ନିଜ ଜୀବନକୁ ବଳିଦାନ ଦେଇଥିଲେ, ଫାଶିଖୁଣ୍ଟରେ ଝୁଲିଥିଲେ ଓ କଳାପାଣି ଭୋଗିଥିଲେ ସେମାନଙ୍କ ପରିବାରର ଦାୟାଦମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପ୍ରଦାନ ଓ ବର୍ତ୍ତମାନ ଯେଉଁ ପାଇକ ଆଖଡ଼ା ଦଳଗୁଡ଼ିକ ରହିଛି ସେମାନଙ୍କୁ ସରଞ୍ଜାମ ଯୋଗାଇଦେବା, ପୋଲିସ୍ ବିଭାଗରେ କର୍ମନିଯୁକ୍ତି ଦେବା, ସ୍କୁଲ୍ କଲେଜର ପାଠ୍ୟକ୍ରମରେ ପାଇକ ଆଖଡ଼ାକୁ ସ୍ଥାନ ଦେବା ପାଇଁ ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଓ ସାଧାରଣ ସମ୍ପାଦକ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି ।