ଭାରତର ବିଜୟରେ ରାହୁଲ, ନଟରାଜନ, ଜାଦେଜା, ଚହଲ ଚମକ
ନୂଆଦିଲ୍ଲୀ: ପ୍ରଥମ ପସନ୍ଦର ୧୧ ଜଣିଆ ଦଳରେ ସେ ଅଲୋଡ଼ା ଥିଲେ। କିନ୍ତୁ ଆହତ ଖେଳାଳିଙ୍କ ବଦଳ ଖେଳାଳି ଭାବେ ଆସି ମ୍ୟାଚ୍ ବିଜେତା ସାବ୍ୟସ୍ତ ହୋଇଗଲେ। ଅନ୍ତର୍ଜାତୀୟ କ୍ରିକେଟ୍ରେ ଶୁକ୍ରବାର ଏଭଳି ଗୌରବର ଅଧିକାରୀ ହୋଇଛନ୍ତି ସ୍ପିନର ଯୁଜବେନ୍ଦ୍ର ଚହଲ। ବ୍ୟାଟିଂ ବେଳେ ଆହତ ରବୀନ୍ଦ୍ର ଜାଦେଜାଙ୍କ ପାଇଁ ବଦଳ ଖେଳାଳି ସୁଯୋଗ ପାଇଥିବା ଚହଲ ନିଜ ଦିନିକିଆ ପ୍ରଦର୍ଶନ ନିରାଶାକୁ ପଛରେ ପକାଇ ଭାରତକୁ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଛନ୍ତି। ଫଳରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି। ୧୧ ରନ୍ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବାରୁ ଚହଲ (୪-୦-୨୫-୩)ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଏଭଳି ଉଦାହରଣ ନଜରକୁ ଆସିଛି। ନିଜ ପ୍ରଥମ ଦୁଇ ଓଭରରେ ଆରୋନ୍ ଫିଞ୍ଚ୍ ଓ ଷ୍ଟିଭେନ୍ ସ୍ମିଥ୍ଙ୍କ ଦୁଇ ବଡ଼ ୱିକେଟ୍ ନେବା ପରେ ମାଥ୍ୟୁ ୱାଦେଙ୍କୁ ତୃତୀୟ ଶିକାର କରିଥିଲେ। ୧୬୨ ରନ୍ ବିଜୟ ଲକ୍ଷ୍ୟରେ ଏକଦା ୫୬/୦ରେ ପହଞ୍ଚିଥିବା ଅଷ୍ଟ୍ରେଲିଆକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ ଚହଲ। ବ୍ୟାଟିଂ ବେଳେ ଯନ୍ତ୍ରଣା ଭିତରେ ୨୩ ବଲ୍ରୁ ୪୪* ରନ୍ କରିଥିବା ଜାଦେଜାଙ୍କ ଠିକଣା ବିକଳ୍ପ ଉଭା ହୋଇ ତାଙ୍କ ବୋଲିଂ ଅଭାବକୁ ବି ଯଥାର୍ଥରେ ପୂରଣ କରିଥିଲେ।


