ଭାରତର ଶ୍ରୀଲଙ୍କା ଗସ୍ତ ବାତିଲ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଚଳିତ ମାସ ଶେଷ ଭାଗରେ ଶ୍ରୀଲଙ୍କା ଗସ୍ତରେ ଯିବାକୁ ଥିଲେ ହେଁ ଦେଶରେ କୋଭିଡ୍-୧୯ ଜନିତ ସ୍ଥିତିରେ କୌଣସି ପ୍ରକାର ପରିବର୍ତ୍ତନ ଘଟି ନ ଥିବାରୁ ଏହାକୁ ବାତିଲ୍ କରିଦିଆଯାଇଛି। ଏ ସଂକ୍ରାନ୍ତରେ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ ଗୁରୁବାର ସୂଚନା ଦେଇ କହିଛନ୍ତି ଯେ ଭାରତରେ ଏବେ କୋଭିଡ୍-୧୯ଜନିତ ସ୍ଥିତି ନିୟନ୍ତ୍ରଣକୁ ଆସି ନ ଥିବାରୁ କ୍ରିକେଟ୍‌ ଖେଳାଳିଙ୍କ ଅଭ୍ୟାସ କେବେ ଆରମ୍ଭ ହେବ, ସେନେଇ ନିଷ୍ପତ୍ତି ହୋଇନାହିଁ। ତା’ଛଡ଼ା ଟ୍ରେନିଂ ବିଶେଷଜ୍ଞଙ୍କ କହିବାନୁସାରେ ଜଣେ ଖେଳାଳିଙ୍କୁ ମ୍ୟାଚ୍ ପାଇଁ ଫିଟ୍ ହେବା ସକାଶେ ଅତି କମ୍‌ରେ ୪ରୁ ୬ ସପ୍ତାହ ସମୟ ଲାଗିବ। ଖେଳାଳିଙ୍କ ଅଭ୍ୟାସ୍‌ ଆରମ୍ଭ ହୋଇ ନ ଥିଲାବେଳେ ଚଳିତ ମାସ ଶେଷରେ ଶ୍ରୀଲଙ୍କା ସହ ଦ୍ୱିପାକ୍ଷିକ ସିରିଜ୍ ଖେଳିବା ସମ୍ଭବ ନୁହେଁ। ଏଣୁ ଏହି ସିରିଜ୍‌କୁ ବାତିଲ୍‌ କରିଦିଆଯାଇଛି ଓ ଏନେଇ ଶ୍ରୀଲଙ୍କା କ୍ରିକେଟ (ଏସ୍ଏଲସି)କୁ ମଧ୍ୟ ଅବଗତ କରାଯାଇଛି। ତେବେ ଆଗାମୀ ଦିନରେ ସ୍ଥିତିରେ ଉନ୍ନତି ଆସିଲେ ଏବଂ କ୍ୟାଲେଣ୍ଡରରେ ସମୟ ମିଳିଲେ, ଶ୍ରୀଲଙ୍କା ସହ ଟିମ୍ ଇଣ୍ଡିଆ ସିରିଜ୍ ଖେଳିବା ସକାଶେ ପ୍ରସ୍ତୁତ ରହିଛି ବୋଲି ଧୂମଲ କହିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ଅନୁମତି ମିଳିଲେ ଭାରତରେ କ୍ରିକେଟ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିବ ବୋଲି ମଧ୍ୟ ଧୂମଲ୍‌ କହିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କା ଗସ୍ତରେ ଯାଇ ଭାରତ ସେଠାରେ ୩ ଟି ଲେଖାଏଁ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବାର ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ