ଭାରତୀୟଙ୍କ ମସ୍ତିଷ୍କ ଛୋଟ
ନୂଆଦିଲ୍ଲୀ : ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶର ବ୍ୟକ୍ତିଙ୍କଠାରୁ ଛୋଟ । ଉଚ୍ଚତା, ଚଉଡ଼ା ଓ ଆୟତନରେ ମଧ୍ୟ ଭାରତୀୟଙ୍କ ମସ୍ତିଷ୍କ ଛୋଟ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି । ହାଇଦ୍ରାବାଦ୍ ସ୍ଥିତ ଇଣ୍ଟର୍ନ୍ୟାସ୍ନାଲ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପକ୍ଷରୁ ପ୍ରଥମ ଥର ପାଇଁ ଭାରତୀୟଙ୍କ ବ୍ରେନ୍ ଆଟଲାସ୍ ପ୍ରସ୍ତୁତ କରାଯାଇଛି । ଏହି ବ୍ରେନ୍ ଆଟଲାସ୍ ଦ୍ୱାରା ଅଲ୍ଜାଇମର୍ ଓ ଡିମେନ୍ସିଆ ପରି ଅନ୍ୟ ମସ୍ତିଷ୍କଜନିତ ରୋଗ ଚିହ୍ନଟ କରିବା ସହଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଗବେଷଣାରେ ପ୍ରକାଶ ପାଇଥିବା ଏହି ତଥ୍ୟ ନ୍ୟୁରୋଲୋଜି ଇଣ୍ଡିଆ ମେଡିକାଲ୍ ଜର୍ଣ୍ଣାଲ୍ରେ ପ୍ରକାଶ ପାଇଛି । ଏହି ଗବେଷଣାରେ କାମ କରୁଥିବା ଜୟନ୍ତୀ ଶିବ ସ୍ୱାମୀଙ୍କ କହିବା ଅନୁସାରେ ମସ୍ତିଷ୍କ ସହିତ ଜଡ଼ିତ ରୋଗକୁ ମନିଟର୍ କରିବା ପାଇଁ “ମନ୍ଟ୍ରିଲ୍ ନ୍ୟୁରୋଲୋଜିକାଲ୍ ଇନ୍ଷ୍ଟିଚ୍ୟୁଟ୍’ ପକ୍ଷରୁ ୧୯୯୩ ମସିହାରେ ପ୍ରଥମ ବ୍ରେନ୍ ଆଟଲାସ୍ ପ୍ରସ୍ତୁତ କରାଯାଇଥିଲା । ଏହି ଆଟଲାସ୍କୁ ସାରା ବିଶ୍ୱରେ ମାନକ ଭାବରେ ବ୍ୟବହାର କରାଯାଉଛି । ଏହି ଆଟଲାସ୍କୁ ମସ୍ତିଷ୍କର କୋଷକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ବ୍ରେନ୍ ଷ୍ଟ୍ରକଚର୍ ଓ ଏହା ସହିତ ଜଡ଼ିତ ଥିବା ରୋଗକୁ ଗବେଷଣା କରିବା ପାଇଁ ଏକ ବଡ଼ ଆଟଲାସ୍ର ଆବଶ୍ୟକତା ରହିଛି । ଏହି ଆଟଲାସ୍ ଯୋଗେ ମସ୍ତିଷ୍କର ଅଲଗା ଅଲଗା ସାଇଜ୍ ମଧ୍ୟରୁ କେଉଁ ଭାଗକୁ ନେଇ ଗବେଷଣା କରାଯିବ, ତାହା ଜଣାପଡ଼ିବ । ମସ୍ତିଷ୍କ ସାଇଜ୍କୁ ନେଇ ଏପର୍ଯ୍ୟନ୍ତ ଯେତେ ବି ଟେମ୍ପଲେଟ୍ ପ୍ରସ୍ତୁତ କରାଯାଇଛି, ସେଥିରେ ଚୀନୀ ଓ କୋରିଆନ୍ ଟେମ୍ପଲେଟ୍ ମଧ୍ୟ ସାମିଲ ରହିଛି । କିନ୍ତୁ ଭାରତୀୟଙ୍କ ପାଇଁ କୌଣସି ଟେମ୍ପଲେଟ୍ ପ୍ରସ୍ତୁତ କରାଯାଇନଥିଲା । ଯେଉଁ ଟେମ୍ପଲେଟ୍କୁ ତିଆରି କରିବା ପାଇଁ ହାଇଦ୍ରାବାଦ୍ର ଆଇଆଇଟି ପ୍ରଥମ ପ୍ରୟାସ କରିଛି । ଏମ୍ଏନ୍ଆଇ ଆଟଲାସ୍ ଅନୁସାରେ ଅନ୍ୟ ଦେଶ ବ୍ୟକ୍ତିଙ୍କର ମସ୍ତିଷ୍କର ଲମ୍ବ ୧୮୧ ମିଲିମିଟର ରହିଥିବା ବେଳେ ଆଇବିଏ ଆଟଲାସ୍ ଅନୁସାରେ ଭାରତୀୟଙ୍କ ମସ୍ତିଷ୍କର ଲମ୍ବ ୧୬୦ ମିଲିମିଟର ରହିଛି । ସେହିପରି ଚାଇନିଜ୍ ଓ କୋରିଆନ୍ ବ୍ୟକ୍ତିଙ୍କର ମସ୍ତିଷ୍କର ଲମ୍ବ ୧୭୫ ଓ ୧୬୦ ମିଲିମିଟର ଥିବା ଜଣାପଡ଼ିଛି । ଠିକ୍ ସେହିପରି ଏମ୍ଏନ୍ଆଇ ଆଟଲାସ୍ରେ ମସ୍ତିଷ୍କର ଉଚ୍ଚତା ୧୪୨ ରହିଥିବାବେଳେ ଭାରତୀୟ ଆଟଲାସ୍(ଆଇବିଏ)ରେ ମସ୍ତିଷ୍କର ଉଚ୍ଚତା ୧୩୦ ମିଲିମିଟର ରହିଛି ।


