ଭାରତୀୟ ଆଇନଜୀବୀ ସଙ୍ଘର ଜିଲ୍ଲା କମିଟି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାରତୀୟ ଆଇନଜୀବୀ ସଙ୍ଘ, କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ବୈଠକ ମଙ୍ଗଳବାର ପବ୍ଲିକ ରିଡିଂରୁମ ପରିସରରେ ଜିଲ୍ଲାର ବରିଷ୍ଠ ଆଇନଜୀବୀ ପ୍ରେମାନନ୍ଦ ମାଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦେଶ ପାଇଁ ଶହୀଦ ହୋଇଥିବା ସୈନିକ, କୃଷକ ଓ ଆଇନଜୀବୀଙ୍କ ଉଦେଶ୍ୟରେ ଏକ ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଆଇନଜୀବୀ ଧନଞ୍ଜୟ ଦାଶ ସଂଗଠନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆଇନଜୀବୀ ରଞ୍ଜନ କୁମାର ସାମଲ ବିଗତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲା ଓକିଲ ସଙ୍ଘର ଉପସଭାପତି ସୁଶ୍ରୀ ନାୟକ ସ୍ୱାଗତ ଭାଷଣ ଓ ଶୁଭେଛା ଅର୍ପଣ କରିଥିଲେ । ସଙ୍ଘର ରାଜ୍ୟ ସମ୍ପାଦକ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଡ. ପ୍ରଶାନ୍ତ ମିଶ୍ର ସଂଗଠନର ସୃଷ୍ଟି, ଓକିଲ ଏବଂ ଜନସାଧାରଣଙ୍କୁ ଆଇନ ସମ୍ପର୍କରେ ୧୯୮୩ମସିହାରୁ ସଚେତନ କରି ଆସୁଥିବା ସଂଗଠନର ଇତିହାସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ସଙ୍ଘର ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତାମାନଙ୍କୁ ନିର୍ବାଚିତ କରାଯାଇ ଏକ ୧୫ଜଣିଆ କମିଟି ଗଠନ କରାଯାଇଥିଲା । ଜିଲ୍ଲା କମିଟିର ସଭାପତି ଭାବେ ଆଇନଜୀବୀ ଅକ୍ଷୟ କୁମାର ନାଥ, କାର୍ଯ୍ୟକାରୀ ସଭାପତି ରମଣୀରଞ୍ଜନ ରାଉତରାୟ,ଉପସଭାପତି ସୁଶ୍ରୀ ନାୟକ ଓ ହାଡିବନ୍ଧୁ ସିଂ, ସମ୍ପାଦକ ଧନଞ୍ଜୟ ଦାଶ, ସଂଗଠନ ସମ୍ପାଦକ ରଞ୍ଜନ କୁମାର ସାମଲ, ସହ-ସମ୍ପାଦକ ସୁରେଶ ଚନ୍ଦ୍ର ସେଠୀ, ରଞ୍ଜନ କୁମାର ମଲ୍ଲିକ ଓ ଦିଲ୍ଲିପ କୁମାର ସେଠୀ, କୋଷାଧ୍ୟକ୍ଷ ନାରାୟଣ ଚନ୍ଦ୍ର ବାରିକ ଏବଂ ସଭ୍ୟ ଭାବରେ ପ୍ରେମାନନ୍ଦ ମାଟି, ବିଭୁତି ଭୂଷଣ ଦାସ, ଚୈତନ୍ୟ ମଲ୍ଲିକ, ନରେନ୍ଦ୍ର ମଲ୍ଲିକ ଓ ସେକ ଅଜିମୁଦ୍ଦିନଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିଲା । ଶେଷରେ ସୁରେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ନଭେମ୍ବରମାସ ୩୦ତାରିଖ ଶନିବାର “ନୂତନ ଦଣ୍ଡବିଧୀ ଆଇନ-୨୦୨୩ ଏକ ପର୍ଯ୍ୟାଲୋଚନା” ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।