ଭାରତୀୟ ଜନତା ପାର୍ଟିର ପ୍ରତିନିଧି ମଣ୍ଡଳି କୁତରଙ୍ଗ ମଣ୍ଡି ପରିଦର୍ଶନ କଲେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳି କୃଷକମୋର୍ଚ୍ଚା ସଭାପତି ରଞ୍ଜିତ ଆଚାର୍ଯ୍ୟଙ୍କ ନେତୃତ୍ୱରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ପଂଚାୟତରେ ଥିବା ମଣ୍ଡିକୁ ପରିଦର୍ଶନ କରିଛନ୍ତି । ପରିଦର୍ଶନରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳି ଆଗରେ ଚାଷୀମାନେ ଅଭିଯୋଗ କରିଥିଲେ ଯେ ମଣ୍ଡିରେ ବ୍ୟାପକ ଅନିୟମିତତା ହେଉଛି । ସରକାରୀ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ ମିଲର- ଡିଲର- ସୋସାଇଟି କର୍ମଚାରୀ ଚାଷୀମାନଙ୍କୁ ଲୁଟୁଛନ୍ତି । ମଣ୍ଡିରେ ଆବଶ୍ୟକୀୟ ଭିତ୍ତିଭୂମୀର ଅଭାବ, ଚାଷୀମାନଙ୍କୁ ସରକାରୀ ସହାୟତା ଯଥା ଅଖା, ରହଣୀ ସମୟରେ ଖାଦ୍ୟପାନୀୟ ଓ ମାଲପରିବହନ ଖର୍ଚ୍ଚର ବ୍ୟବସ୍ଥା ନଥିବା ସହିତ ଟୋକନ ଅନୁସାରେ ଧାନ କିଣା ନଯାଇ ପ୍ରିୟାପ୍ରିତୀ ତୋଷଣ କରାଯାଉଥିବାର ଚାଷୀମାନେ ଅଭିଯୋଗ କରିଥିଲେ । ମିଲରମାନଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ମଣ୍ଡିରେ ୧୫ରୁ ୨୦ଦିନ ଧରି ଧାନବସ୍ତା ସବୁ ମଣ୍ଡିରେ ପଡିରହୁଛି । କେତେକ ଅସାଧୁ ଦଲାଲ ମଣ୍ଡିରେ ଧାନ ନଦେଇ ସିଧାସଳଖ ମିଲରେ ପହଁଚାଉଥିବାର ଅଭିଯୋଗ ଆସିଥିଲା । ଏହି କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ, ବରିଷ୍ଠ ନେତା ସୁନାକର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ମଣ୍ଡଳ ସଭାପତି ଶଶାଙ୍କ ଶେଖର ଓଝା, ଉମାକାନ୍ତ ନାୟକ, ଲଲାଟକେଶରୀ ସାମଲ, ନେହେରୁ ସାହୁ ପ୍ରମୁଖ ଚାଷୀମାନଙ୍କ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଜେନା, ପ୍ରଫୁଲ୍ଲ ମଳିକ,ରତ୍ନାକର ଦାସ, ତାପସ କୁମାର ମହାନ୍ତି, ରଞ୍ଜନ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।