ଭାରତୀୟ ଧର୍ମଧାରାରେ ସୂର୍ଯ୍ୟ ଉପାସନା : ଶାମ୍ବଦଶମୀ
ବିପିନ ବିହାରୀ ମହାନ୍ତି
ସୂର୍ଯ୍ୟ ସୌର ଜଗତର ସୃଷ୍ଟିର କାରଣ । ସେ ସକଳ ଶକ୍ତିର ଆଧାର । ତାଙ୍କ ଯୋଗୁଁ ଋତୁ ପରିବର୍ତ୍ତନ, ଦିନରାତି ଓ ଜୀବ ଜଗତ ସମ୍ଭବ ହୋଇଅଛି । ତାଙ୍କ ବିନା ଏ ସୃଷ୍ଟି କଳ୍ପନାତୀତ । ଏହା ବୈଜ୍ଞାନିକ ସତ୍ୟ ।
ବ୍ରହ୍ମ ବୈବର୍ତ୍ତ ପୁରାଣ ମତେ ସୂର୍ଯ୍ୟ ହିଁ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା; ସେ ନିଜେ ପରଂବ୍ରହ୍ମ, : ଜଗତ ପିତା, ଧର୍ମ ଦେବତା । ଏଣୁ ହିନ୍ଦୁମାନେ ସ୍ନାନସାରି ସୂର୍ଯ୍ୟଙ୍କୁ ଜଳଦାନ ପୂର୍ବକ ନମସ୍କାର କରନ୍ତି :ଁ
ନମୋ ବୈବସ୍ୱତେ ବ୍ରହ୍ମନ୍ ଭାସ୍ୱତେ ବିଷ୍ଣୁ ତେଜସେ
ଜଗତ ସବିତ୍ରେ ସୂଚୟେ ସବିତ୍ରେ କର୍ମ ଦାୟିନେ
ସୂର୍ଯ୍ୟ ସହସ୍ରାଂଶେ ତେଜୋରାଶେ ଜଗତ୍ପତେ ।
ଅନୁକମ୍ପୟ ମାଂ ନିତ୍ୟଂ ଗୃହଣାର୍ଘ୍ୟଂ ନମୋଽସ୍ତୁତେ ।ା
ସକାଳୁ ସନ୍ଧ୍ୟାଯାଏଁ ସୂର୍ଯ୍ୟଙ୍କର ଏହି ଅବାସ୍ତବ ଗତି, ଆଲୋକ ଓ ତେଜଶକ୍ତି ଆଧାର ରୂପେ କାର୍ଯ୍ୟ କରି ଆସୁଛି । ଏଣୁ ସୂର୍ଯ୍ୟଙ୍କୁ ଏ ଜାତି ଆଦିମ ଯୁଗରୁ ସୂର୍ଯ୍ୟ ନାରାୟଣ ରୂପେ ପୂଜା କରି ଆସିଛି ।
ସୂର୍ଯ୍ୟ ଉପାସନାରୁ ଧର୍ମର ଆଦ୍ୟ ଅଭିବ୍ୟକ୍ତି ଘଟିଛି ବୋଲି ମ୍ୟାକ୍ସ୍ମୁଲର କୁହନ୍ତି । ଅତୀତରେ ମିଶର ଜାପାନ ଓ ମେ୍କ୍ସିକୋରେ ସୂର୍ଯ୍ୟଉପାସନାର ବିସ୍ତାର ଘଟିଥିଲା । ସେତେବେଳେ ସେ କେବଳ ଧର୍ମ ଦେବତା ନଥିଲେ, ଜ୍ୟୋର୍ତିବିଦ୍ୟା ଓ ଗଣିତ ବିଦ୍ୟାର ଥିଲେ ଆଧାର । ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରେ ମିଶରରେ ସୂର୍ଯ୍ୟ ଉପାସନାକୁ ଆଧାରକରି ଉନ୍ନତ ଧର୍ମ ପ୍ରଚଳନ ଥିଲା । ବୈଦିକ ଯୁଗରେ ସୂର୍ଯ୍ୟ ପ୍ରଧାନ ଆରାଧ୍ୟ ଦେବତା ଥିଲେ । ତାଙ୍କୁ ତ୍ରିକାଳ ସଂଧ୍ୟାରେ : ପ୍ରାତଃ, ମଧ୍ୟାହ୍ନ ଓ ସଂଧ୍ୟାରେ ଜଳ, ପୁଷ୍ପ ଏବଂ ଚନ୍ଦନ ଇଦ୍ୟାଦି ଅର୍ଘ୍ୟ ପ୍ରଦାନ କରାଯାଉଥିଲା । ସକାଳ ସୂର୍ଯ୍ୟଙ୍କୁ ବ୍ରହ୍ମା, ମଧ୍ୟାହ୍ନ ସୂର୍ଯ୍ୟଙ୍କୁ ମହେଶ୍ୱର ଓ ସଂଧ୍ୟା ସୂର୍ଯ୍ୟଙ୍କୁ ବିଷ୍ଣୁ ରୂପେ ଅର୍ଥାତ୍ ସୃଷ୍ଟି ସଂହାର ଓ ପାଳନ କର୍ତ୍ତା ରୂପେ ବିଚାର କରାଯାଉଥିଲା ।
ଉଦୟେ ବ୍ରହ୍ମଣୋପେତଂ, ମଧ୍ୟାହ୍ନେତୁ ମହେଶ୍ୱରମ୍ ।
ଅସ୍ତକାଳେ ଭବେତ ବିଷ୍ଣୁଃ ତ୍ରିମୂର୍ତ୍ତିଶ୍ଚ ଦିବାକରାଃ ।ା
ଏହା ଉପନିଷଦ କଥା । ପୁନଶ୍ଚ ସୂର୍ଯ୍ୟଙ୍କୁ ସ୍ମରଣ କରି ଗାୟତ୍ରୀ ମଧ୍ୟ ପାଠ କରାଯାଉଥିଲା ।
ପୁରାଣରୁ ଜଣାଯାଏ ଯେ ସୂର୍ଯ୍ୟଙ୍କ ଉପାସନାକରି ଯୁଧିଷ୍ଠିର ଏକ ପାତ୍ର ଲାଭ କରିଥିଲେ ଯେଉଁଥିରୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସେ ଦାନ କରୁଥିଲେ । ହର୍ଷବର୍ଦ୍ଧନଙ୍କ ସଭାକବି ମୟୂର ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଏକ ଶତକ ରଚନା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଛନ୍ତି ବୋଲି କିମ୍ବଦନ୍ତୀ କୁହେ । ଭାରତରେ ସୂର୍ଯ୍ୟ ପୂଜା ପାରସ୍ୟରୁ ଆସିଥିବାର ଜଣାଯାଏ । ଏହା ପ୍ରଥମେ ଉତ୍ତର ଭାରତରେ ପ୍ରବେଶ କଲା ଏବଂ ‘ମଗ’ ନାମଧାରୀ ଏକ ଗୋଷ୍ଠୀ ଏହାର ପୁଷ୍ଠପୋଷକ ଥିଲେ । ପରେ ଭାରତୀୟ ହିନ୍ଦୁମାନେ ଏହାକୁ ଏକ ଭାରତୀୟ ଉପାସନା ପଦ୍ଧତି ରୂପେ ଗ୍ରହଣ କରି ନେଇଥିଲେ । ଏହି ମଗମାନେ ସୂର୍ଯ୍ୟ ମନ୍ଦିର ଓ ସୂର୍ଯ୍ୟ ବିଗ୍ରହମାନ ପ୍ରତିଷ୍ଠା କରିଥିଲେ । ଭବିଷ୍ୟ ପୁରାଣମତେ କୃଷ୍ଣଙ୍କ ପୁତ୍ର ଶାମ୍ବ, ଶକ ଦ୍ୱୀପରୁ (ଇରାନ୍ ବା ମୁଲତାନ) ‘ମଗ’ ନାମଧାରୀ ବ୍ରାହ୍ମଣମାନଙ୍କୁ ଆଣି କୋଣାର୍କ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଉପାସନା ନିମନ୍ତେ ରଖାଇଥିଲେ । ଏକଥା ମଧ୍ୟ ବିହାରସ୍ଥ ଏକ ଶିଳାଲିପିରେ ଖୋଦିତ ହୋଇଛି । ଏବେ ମଧ୍ୟ ଏହି ‘ମଗ’ ନାମଧାରୀ ବ୍ରାହ୍ମଣମାନେ ରାଜପୁୁତନା ଓ ଉତ୍ତର ପ୍ରଦେଶରେ ଦେଖାଯାଆନ୍ତି । କୁଶାଣ ରାଜତ୍ୱ କାଳରେ ସୂର୍ଯ୍ୟ ଉପାସନା ଭାରତରେ ପ୍ରବେଶ କରିଥିବାର କେହି ମତ ଦିଅନ୍ତି । ହର୍ଷବର୍ଦ୍ଧନ ଏବଂ ତାଙ୍କ ପୂର୍ବ ତିନି ପୁରୁଷ : ପ୍ରଭାବର ବର୍ଦ୍ଧନ, ଆଦିତ୍ୟ ବର୍ଦ୍ଧନ ଏବଂ ରାଜ୍ୟ ବର୍ଦ୍ଧନ ପ୍ରଭୃତି ପରମ ‘ଆଦିତ୍ୟ ଭକ୍ତ ଭାବେ’ ଅଭିହିତ ହୋଇଥିବାର ଜଣାଯାଏ । ‘ଆଦିତ୍ୟ’ କହିଲେ ସୂର୍ଯ୍ୟ ଅର୍ଥାତ୍ ଏମାନେ ସୂର୍ଯ୍ୟ ଉପାସକ ଥିଲେ ।
ଏଥିରୁ ଜଣାପଡ଼େ ଖ୍ରୀଷ୍ଟୀୟ ୬ଷ୍ଠ ଶତାବ୍ଦୀର ଏହା ରାଜଧର୍ମରେ ପରିଣତ ହୋଇଥାଇପାରେ । ଉତ୍ତର ଭାରତରେ ମଣ୍ଡସର, ଇନ୍ଦୋର, ମୁଲତାନ ଏବଂ କାଶ୍ମୀର ଓ ଗୋଆଲିଅରରେ ଯଥାକ୍ରମେ ୫ମ ଓ ୬ଷ୍ଠ ଶତାବ୍ଦୀରେ ସୂର୍ଯ୍ୟ ମନ୍ଦିରମାନ ଥିବାର ପ୍ରମାଣ ମିଳିଛି । ୧୧ଶ ଶତାବ୍ଦୀରେ ପାଟନା ଏବଂ ତ୍ରୟୋଦଶ ଶତାବ୍ଦୀରେ ଓଡ଼ିଶାରେ ସୂର୍ଯ୍ୟ ମନ୍ଦିରମାନ ନିର୍ମିତ ହୋଇଛି । ବ୍ରହ୍ମ ପୁରାଣରେ କୋଣାର୍କ କଥା ଏହିପରି ଲିପିବଦ୍ଧ ହୋଇଛି ।
ଆସ୍ତେ ଯତ୍ର ସୂୟଂ ଦେବଃ ସହସ୍ରାଂଶୁ ର୍ଦିବାକର ।
କୋଣାଦିତ୍ୟ ଇତି ଖ୍ୟାତୋ ଭୁକ୍ତି ମୁକ୍ତି ପଂଳପ୍ରଦଃ ।
ଓଡ଼ିଶାରେ ସୌର ଧର୍ମର ସ୍ୱତନ୍ତ୍ର ଗୋଷ୍ଠୀ ଥିବାର ଜଣାଯାଏ ନାହିଁ ଅଥଚ ସେ ଓଡ଼ିଶା ଧର୍ମଦେବତା, ପ୍ରତ୍ୟହ ତିନିଥର ତାଙ୍କୁ ତିଳତର୍ପଣ କରାଯାଏ ଏବଂ ତା’ ସହିତ ଶ୍ରାଦ୍ଧ ଓ ଶୁଦ୍ଧିକ୍ରିୟାରେ ତାଙ୍କୁ ତିଳ ତର୍ପଣ କରାଯାଏ । ତାଙ୍କ ପାଇଁ ବିଭିନ୍ନ ବ୍ରତ : ରବିବାର ବ୍ରତ, ରବି ନାରାୟଣ ବ୍ରତ, ସମ୍ବର ଦଶମୀ ବ୍ରତ ଇତ୍ୟାଦି ପାଳିତ ହୁଏ । ଶାମ୍ବ ଦଶମୀ ସୂର୍ଯ୍ୟ ପୂଜାରେ ଓଡ଼ିଶାରେ ମୁଖ୍ୟ ପର୍ବ । ଏହିଦିନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସକାଳେ ପିଠା, ମଧ୍ୟାହ୍ନରେ ଘଡ଼ଘଡ଼ିଆ ତରକାରୀ ଏବଂ ସଂଧ୍ୟାରେ ମିଷ୍ଟାନ୍ନ ସମର୍ପଣ କରାଯାଏ ।
ଶାମ୍ବ ପୁରାଣରେ ଶାମ୍ବ ଉପଖ୍ୟାନରେ କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସୂର୍ଯ୍ୟଙ୍କ ପୂଜାପଦ୍ଧତି ବିଷୟରେ ବର୍ଣ୍ଣିତ ହୋଇଛି । ଏହିମତେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ପିତାଙ୍କ ଅଭିଷାପରୁ କୁଷ୍ଠ ରୋଗରୁ ମୁକ୍ତି ଲାଭ ନିମନ୍ତେ ଦେବର୍ଷି ନାରଦଙ୍କ ପରାମର୍ଶ କ୍ରମେ ମୈତ୍ରେୟ ବନରେ ଚନ୍ଦ୍ରଭାଗା ନଦୀ କୂଳରେ ସୂର୍ଯ୍ୟ ଉପାସନା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ନାରଦ କହିଲେ ଶାମ୍ବ ଚାଲ ଏହି କ୍ଷଣ,
ଚନ୍ଦ୍ରଭାଗା କୂଳେ ସେବ ସୂର୍ଯ୍ୟ ନାରାୟଣ ।
ଶାମ୍ବ ତାହାହିଁ କଲେ । ଏଥିରେ ସୂର୍ଯ୍ୟ ଦେବତା ସନ୍ତୁଷ୍ଟ ହୋଇ କହିଲେ : ଆଜିଠାରୁ ମର୍ତ୍ତ୍ୟଲୋକରେ ଯେ ମୋ ମନ୍ଦିର ନିର୍ମାଣ କରି କ୍ଷେତ୍ରସ୍ଥାପନ କରିବ, ସେ ସନାତନ ଲୋକ ପ୍ରାପ୍ତହେବ ।
ତା’ପରଦିନ ଶାମ୍ବ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କରୁଥିବା ସମୟରେ ନଦୀଗର୍ଭରୁ ଏକ ମଣି ବିଗ୍ରହ ପାଇଲେ । ଏହାଥିଲା ସୂର୍ଯ୍ୟଙ୍କର ଏ ଦ୍ୱିଭୂଜ ପଦ୍ମଲାଞ୍ôଚତ ପ୍ରତିମା । ସେ ଚନ୍ଦ୍ରଭାଗା ନଦୀ କୂଳରେ ମନ୍ଦିରଟିଏ ନିର୍ମାଣ କରି ତାଙ୍କୁ ସ୍ଥାପନ କଲେ ।
ପ୍ରାସାଦଂ କାରୟିତ୍ୱାଚ ସ୍ଥାପୟିତ୍ୱ
ସତ୍ୱରଃ ପୂଜାୟିତ୍ୱା ଚ ବିଧିବତ୍ ଭଦ୍ରଶ୍ୟାନତ୍ୱା ପରତପଃ ।
ଏହା ବୋଧହୁଏ ମର୍ତ୍ତ୍ୟଲୋକରେ ସୂର୍ଯ୍ୟଙ୍କର ମୂର୍ତ୍ତି ପୂଜାର ପ୍ରଥମ କାହାଣୀ । ଏହି ଦିନଟି ଥିଲା ପୌଷ ଶୁକ୍ଲ ଦଶମୀ ଯାହାକି ଶାମ୍ବ ଦଶମୀ ନାମରେ ପରିଚିତ । ସେବେଠୁ ପ୍ରତିବର୍ଷ ବୋଧହୁଏ ଏହିଠାରେ ଭାରତୀୟ ନରନାରୀଙ୍କ ଦ୍ୱାରା ସୂର୍ଯ୍ୟ ପୂଜା ହୋଇଆସୁଛି ।
ସୂର୍ଯ୍ୟ ପୂଜାର ପ୍ରଚାର ଓ ପ୍ରସାର ନିମନ୍ତେ ଶାମ୍ବ ଓଡ଼ିଶାର ପ୍ରଥମଟି ଚନ୍ଦ୍ରଭାଗା ନଦୀକୂଳରେ, ୨ୟଟି ଯମୁନା ନଦୀ ଏବଂ ତୃତୀୟ ପଞ୍ଜାବର ଚେନାମ ନଦୀ (ମୂଳତାନ, ପାକିସ୍ତାନ) କୂଳରେ ସୂର୍ଯ୍ୟ ମନ୍ଦିରମାନ ନିର୍ମାଣ କରିଥିଲେ । ଏହି କ୍ରମରେ ଭାରତରେ ସୌରଧର୍ମ ଓ ପୂଜାର କ୍ରମଶଃ ପ୍ରସାର ହେଲା । ଆମ ଓଡ଼ିଶାରେ ଭଦ୍ରକର ପାଳିଆ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱର ଖଣ୍ଡିଗିରର ଅନ୍ତ ଗୁମ୍ଫା ଖୋଦିତ ସୂର୍ଯ୍ୟମୂର୍ତ୍ତି ଏବଂ ମୟୁରଭଞ୍ଜର ଖିଚିଂ ଇତ୍ୟାଦି ସୂର୍ଯ୍ୟ ମୂର୍ତ୍ତିମାନ ଉଲ୍ଲେଖନୀୟ ।
ଅନେକ ମନ୍ଦିରରେ ସୂର୍ଯ୍ୟ ଦିଗପାଳ ରୂପେ ଖୋଦିତ । ଯଥା ବୋଇତାଳ ମନ୍ଦିର ଏବଂ ଚଉରାଶୀ ବରାହୀ ମନ୍ଦିର ଇତ୍ୟାଦି ।
ସୂର୍ଯ୍ୟ ଓଁ କାର ରୂପେ ଭାରତୀୟ ଧର୍ମ ଗୋଷ୍ଠୀରେ ବିଦ୍ୟମାନ ଓ ପୂଜିତ । ମୂର୍ତ୍ତିପୂଜା ବିରୋଧି ଶିଖ, ଶ୍ରୀଷ୍ଟିୟାନ ଓ ମୁସଲମାନେ ଇତ୍ୟାଦିର ସେ ନିରାକାର ନିରଞ୍ଜନ । ସେ ସମସ୍ତଙ୍କର ପୂଜ୍ୟ । ସେ ସର୍ବଶକ୍ତିମାନ, ସର୍ବରୋଗ, ଶୋକ ଏବଂ ଦୁଃଖ ନିବାରକ ପରମ ଈଶ୍ୱର । ସେ ଗଣସୂର୍ଯ୍ୟ ।
ଶାମ୍ବ ଦଶମୀ ସୂର୍ଯ୍ୟ ପୂଜାର ଏକ ବଡ଼ପର୍ବ । ମାଘ ସପ୍ତମୀ ସୂର୍ଯ୍ୟଙ୍କର ଜନ୍ମତିଥି । ଏହିିଦିନ ଚନ୍ଦ୍ରଭାଗା ନଦୀ କୂଳରେ ମାଘ ମେଳା ହୁଏ ଏବଂ ଚନ୍ଦ୍ରଭାଗାରେ ବୁଡ଼ ପକାଯାଏ । ଏହି ବୁଡ଼ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ହିଁ ପକାଯାଏ । ମହାଭରତରେ ବର୍ଣ୍ଣିତ ଅଛି ମାଘ ସପ୍ତମୀ ଦିନ ସପ୍ତମୀ ତିଥିରେ ରାତ୍ରୀ ଉଜାଗର ରହି ଯିଏ ସକାଳୁ ସୂର୍ଯ୍ୟ ଦର୍ଶନ କରି ଦାନଧର୍ମ କରେ ତାହାଠାରୁ ବଳି ପୁଣ୍ୟାତ୍ମା ସଂସାରେ କେହି ନାହିଁ ।
ସପ୍ତମୀର ସ୍ନାନ, ଦାନ, ଧର୍ମ ଯେହୁ କରେ
ତାହା ସମ ପୁଣ୍ୟାତ୍ମା କେହି ନାହିଁ ଏ ସଂସାରେ
କୋଣାର୍କ ବୋଲିଣ ଯେହୁ ଅଟେ ତୀର୍ଥ ଗୋଟି
ତାହାକୁ ସମାନ ନୁହେଁ ତୀର୍ଥ କୋଟି କୋଟି
କୋଟି କୋଟି ଗୋରୁଦାନ କୋଟି ଅଶ୍ୱଗଜ
କୋଟି ଏକ କନ୍ୟା ପୁଣି କୋଟି ଏକ ରାଜ୍ୟ ।
କୋଟି ପର୍ବତ ସମ ଦାନ ଦେଲେ ହିରା
ତଥାପି ସମ ନୋହିବେ ଅର୍କତୀର୍ଥ ପର! ।
କୋଣାର୍କ ସୂର୍ଯ୍ୟ ଉପାସନାର ପୌରାଣିକ ମତେ ଏକ ଶ୍ରେଷ୍ଠସ୍ଥାନ । ହିନ୍ଦୁମାନଙ୍କର ଧର୍ମ-ଧାରଣା ଓ ବିଶ୍ୱାସର ପରମ୍ପରାକୁ ଧ୍ୟାନ ନେଇ ତ୍ରୟୋଦଶ ଶତାବ୍ଦୀରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟମନ୍ଦିର ସ୍ଥାପନ କରିବାର ଏକ ମୁଖ୍ୟ କାରଣ ହୋଇପାରେ । ବୋଧହୁଏ ସେ ଶାମ୍ବଙ୍କର ସେହି ପୁରାତନ ମନ୍ଦିର ସ୍ଥାନରେ ସ୍ଥାନରେ ନୂତନ ମନ୍ଦିର : ସୂର୍ଯ୍ୟ ମନ୍ଦିର ସ୍ଥାପନ କଲେ । ଏହି ମନ୍ଦିର ନିର୍ମାଣ ପଟୁତା, କଳା, କୌଶଳ, ସ୍ଥାପତ୍ୟ ଏବଂ ଭାସ୍କର୍ଯ୍ୟ ଆଜି ବିଶ୍ୱବାସୀଙ୍କୁ ଚମତ୍କୃତ କରିଥିବାରୁ ଏହା ଆଜି ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଛି । ଏହାକୁ ବିଶ୍ୱରେ ବ୍ଲାକ ପାଗୋଡ଼ା ବୋଲି ଅଭିହିତ କରାଯାଏ । ବର୍ତ୍ତମାନ କୋଣାର୍କର ଏହି ମନ୍ଦିରର ମୁଖଶାଳା ଅଛି; ମନ୍ଦିର ନାହିଁ ; ନାହିଁ ସୂର୍ଯ୍ୟ ମୂର୍ତ୍ତି । ଚାଲିଛି ସୂର୍ଯ୍ୟପୂଜା । ଛୁଟିଛି ଅସରନ୍ତି ସୁଅ ସୂର୍ଯ୍ୟମନ୍ଦିର ଆଡ଼େ । ଏହାକୁ ସମ୍ବଳକରି ଆମେ ବିକୁଛେ ଆମ ଗର୍ବ ଓ ଗୌରବ ।
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା ।
ମୋ : ୯୯୩୮୩୪୪୧୩୮