ଭାରତୀୟ ପରିବାର ବ୍ୟବସ୍ଥା-ମାନବ ସମାଜ ପାଇଁ ଏକ ଅନୁପମ ଦାନ
ପରିବାର ବ୍ୟବସ୍ଥା ଆମର ମାନବ ସମାଜ ପାଇଁ ଦିଆ ହୋଇଥିବା ଏକ ଅମୂଲ୍ୟ ଯୋଗଦାନ । ଏହି ବିଶେଷତା କାରଣରୁ ହିନ୍ଦୁ ପରିବାର ବ୍ୟକ୍ତିକୁ ରାଷ୍ଟ୍ର ସହିତ ଯୋଡି ସାରା ବସୁଧା ଗୋଟିଏ କୁଟୁମ୍ବର ଭାବନା ପର୍ଯ୍ୟନ୍ତ ନେଇଯାଇଥାଏ । ପରିବାର, ବ୍ୟକ୍ତିର ଆର୍ôଥକ ଓ ସାମାଜିକ ସୁରକ୍ଷାର ସମ୍ପୂର୍ଣ୍ଣ ବ୍ୟବସ୍ଥା ସହିତ ନୂତନ ପୀଢିଙ୍କର ସଂସ୍କାର ନିର୍ମାଣ କରୁଥିବା ଏବଂ ଗୁଣ ବିକାଶ କରୁଥିବାର ମହତ୍ତ୍ୱ୍ୱ ପୂର୍ଣ୍ଣ ମାଧ୍ୟମ ଅଟେ । ହିନ୍ଦୁ ସମାଜ ଜୀବନ୍ତ ରହିବାର ମୁଖ୍ୟକାରଣ ଏହାର ବହୁକୈନ୍ଦ୍ରିକ କାର୍ଯ୍ୟ ପ୍ରଣାଳୀ । ଏଥି ମଧ୍ୟରୁ ପରିବାର ବ୍ୟବସ୍ଥା ହେଉଛି ଅନ୍ୟତମ ଶକ୍ତିଶାଳୀ ତଥା ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର ।
ବର୍ତ୍ତମାନ ଆମର ଏହି ପରିବାର ରୂପୀ ମଙ୍ଗଳମୟୀ ବ୍ୟବସ୍ଥା ବିଖଣ୍ଡିତ ହେବାର ଦୃଷ୍ଟିଗୋଚର ହେଉଛି । ଭୋଗବାଦୀ ମନୋବୃତ୍ତି ଏବଂ ଆତ୍ମକୈନ୍ଦ୍ରିକ ଚିନ୍ତାଧାରା ବଢିବା କାରଣରୁ ପରିବାର ବିଖଣ୍ଡିତ ହେବାର ପ୍ରମୁଖ କାରଣ । ଆଜି ଆମର ସଂଯୁକ୍ତ ପରିବାର ବ୍ୟବସ୍ଥା ବ୍ୟକ୍ତିକୈନ୍ଦ୍ରିକ ପରିବାର ବ୍ୟବସ୍ଥାରେ ବଦଳି ଯାଇଛି । ଭୌତିକବାଦୀ ଚିନ୍ତାଧାରା କାରଣରୁ ସମାଜରେ ସ୍ୱାର୍ଥପରତା ଏବଂ କଟୁତା ପୂର୍ଣ୍ଣ ବ୍ୟବହାର, ଅସୀମ ଭୋଗବୃତ୍ତି ଓ ଲାଳସା, ମାନସିକ ଚାପ, ସମ୍ବନ୍ଧ ବିଚ୍ଛେଦ ଆଦି କୁରୀତି ବୃଦ୍ଧି ପାଇବାରେ ଲାଗିଛି । ପରିବାର ମଧ୍ୟରେ ଅଳ୍ପ ବୟସରେ ପିଲାଙ୍କୁ ଛାତ୍ରାବାସ / ବୋଡିଂ ସ୍କୁଲ ପଠାଇବାର ପ୍ରବୃତ୍ତି ବଢୁଛି । ପରିବାର ମଧ୍ୟରେ ଭାବନାତ୍ମକ ସଂରକ୍ଷଣର ଅଭାବ ଯୋଗୁଁ ଯୁବକମାନେ ଏକାକି ଅନୁଭବ କରି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ପରିଣାମ ସ୍ୱରୂପ ଯୁବବର୍ଗ ମଧ୍ୟରେ ନିଶା, ହିଂସା, ଜଘନ୍ୟ ଅପରାଧ ତଥା ଆତ୍ମହତ୍ୟା ଭଳି ପ୍ରବୃତ୍ତି ଚିନ୍ତା ଜନକସ୍ତରରେ ପହଂଚିଛି । ପାରିବାରିକ ସାମାଜିକ ସୁରକ୍ଷା ଅଭାବରୁ ବୃଦ୍ଧାଶ୍ରମର ସଂଖ୍ୟାବୃଦ୍ଧି ଚିନ୍ତାଜନକ କାରଣ ହୋଇଛି ।
ଗ୍ୱାଲିୟରର ଶିବପୁରୀ ଲିଙ୍କ ରୋଡ ନିକଟସ୍ଥ କେଦାରଧାମ ସରସ୍ୱତୀ ଶିଶୁ ମନ୍ଦିର ସଭାଗୃହରେ ଗତ ମାର୍ଚ୍ଚ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଏହି ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା । ଏହି ସଭାର ସ୍ପଷ୍ଟମତ ଯେ, ନିଜର ପରିବାର ବ୍ୟବସ୍ଥାକୁ ଜୀବନ୍ତ ତଥା ସଂସ୍କାରକ୍ଷମ କରି ରଖିବାର ବର୍ତ୍ତମାନ ବ୍ୟାପକ ଏବଂ ମହତ୍ୱ ପୂର୍ଣ୍ଣ ପ୍ରଚେଷ୍ଟା କରିବାର ସମୟ ଆସିଛି । ଆମେ ସମସ୍ତେ ନିଜର ଦୈନନ୍ଦିନ ବ୍ୟବହାର ଓ ଆଚରଣରେ ସୁନିଶ୍ଚିତ କରିବା ଉଚିତ ଯେ,ଆମ ପରିବାର ଜୀବନମୂଲ୍ୟ ବୃଦ୍ଧି କାରକ, ସଂସ୍କାରିତ ଓ ପାରସ୍ପାରିକ ସମ୍ବନ୍ଧ ସୁଦୃଢ କରୁଥିବା ପରିବାର ହେଉ । ନିଜ ପରିବାର ମଧ୍ୟରେ ମିଳିମିଶି ଭୋଜନ କରିବା, ଭଜନ କରିବା , ପର୍ବପର୍ବାଣୀ ଆୟୋଜନ କରିବା, ତୀର୍ଥଯାତ୍ରାରେ ଯିବା, ନିଜ ନିଜର ମାତୃଭାଷାର ପ୍ରୟୋଗ କରିବା, ସ୍ୱଦେଶୀ ବ୍ୟବହାର, ପାରିବାରିକ ଓ ସାମାଜିକ ପରମ୍ପରାର ସଂରକ୍ଷଣ ଓ ସମ୍ବର୍ଦ୍ଧନ ଦ୍ୱାରା ପରିବାର ସୁଖ ଓ ଆନନ୍ଦରେ ଭରି ଉଠିବ । ପରିବାର ଓ ସମାଜ ପରସ୍ପରର ପରିପୁରକ । ସମାଜ ପ୍ରତି ଦାୟିତ୍ୱ ବୋଧ ନିର୍ମାଣ ସାମାଜିକ, ଧାର୍ମିକ ଓ ଶିକ୍ଷାଦାନ କାର୍ଯ୍ୟ ପାଇଁ ଦାନ କରିବାର ପ୍ରବୃତ୍ତିକୁ ପ୍ରୋତ୍ସାହିତ ଏବଂ ଅଭାବଗ୍ରସ୍ତ ଲୋକମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ତତ୍ପର ରହିବା ସ୍ୱଭାବ ହେବା ଉଚିତ ।
ଆମର ପରିବାର ବ୍ୟବସ୍ଥାର କେନ୍ଦ୍ର ହେଉଛନ୍ତି ମାଆ । ପ୍ରତ୍ୟେକ ପରିବାରର ସଦସ୍ୟମାନଙ୍କ ମନ ମଧ୍ୟରେ ମାତୃଶକ୍ତିର ସମ୍ମାନ କରିବାର ଭାବନା ରହିବା ଉଚିତ । ସାମୁହିକ ଭାବରେ ନିଷ୍ପତ୍ତି ନେବା ପରିବାରର ବ୍ୟବସ୍ଥା ହେବା ଉଚିତ । ପରିବାର ସଦସ୍ୟମାନଙ୍କ ମଧ୍ୟରେ ନିଜ ନିଜର ଅଧିକାର ସ୍ଥାନରେ ନିଜ ନିଜ କର୍ତ୍ତବ୍ୟ ବିଷୟରେ ଚର୍ଚ୍ଚା ହେବା ଆବଶ୍ୟକ । ପ୍ରତ୍ୟେକଙ୍କ କର୍ତ୍ତବ୍ୟ ପାଳନରେ ହିଁ ତାଙ୍କର ଅଧିକାର ସନ୍ନିହିତ । କାଳକ୍ରମରେ ଆମ ସମାଜ ମଧ୍ୟରେ ଅନେକ ଗୁଡିଏ ବିକୃତି ଓ ସ୍ଥାଣୁତା ପ୍ରବେଶ କରି ଯାଉଛି । ଯୈ÷ାତୁକ ପ୍ରଥା , ଛୁଆଁ ଅଛୁଆଁ ଭେଦଭାବ ଓ ଉଚ୍ଚନୀଚ ଅନାବଶ୍ୟକ ବ୍ୟୟ ଏବଂ ନିଜକୁ ବଡ ଦେଖାଇ ହେବାର ପ୍ରବୃତ୍ତି, ଅନ୍ଧବିଶ୍ୱାସ ଆଦି ଦୋଷ ଦୁର୍ବଳତା ଆମ ସମାଜରେ ସର୍ବାଙ୍ଗୀନ ବିକାଶର ଗତିରୋଧକ ସାଜିଛି । ଏହି ପ୍ରତିନିଧି ସଭା ସଂପୂର୍ଣ୍ଣ ସମାଜକୁ ଆହ୍ୱାନ କରେଯେ, ସମସ୍ତେ ଏହି କୁରୀତି ଗୁଡିକୁ ନିଜ ନିଜ ପରିବାରରୁ ମୂଳୋତ୍ପାଟନ କରି ଏକ ସମରସ ଓ ସଂସ୍କାରୀତ ସମାଜ ଗଠନ ଦିଗରେ ଚେଷ୍ଟା ଆରମ୍ଭ କରନ୍ତୁ ।
ସମାଜ ନିର୍ମାଣ ଦିଗରେ ସଦାସର୍ବଦା ପୂଜ୍ୟ ସାଧୁସନ୍ଥ ଏବଂ ଧାର୍ମିକ-ସାମାଜିକ-ଶୈକ୍ଷଣିକ-ବୈଚାରୀକ ସଂସ୍ଥାମାନଙ୍କର ସବୁବେଳେ ମହତ୍ୱପୂର୍ଣ୍ଣ ଭୂମିକା ରହି ଆସିଛି । ପ୍ରତିନିଧି ସଭା ଏହି ବର୍ଗଙ୍କୁ ଅନୁରୋଧ କରେ ଯେ, ବର୍ତ୍ତମାନ ପରିସ୍ଥିତିର ଗମ୍ଭୀରତାକୁ ଅନୁଧ୍ୟାନ କରି ପାରିବାରିକ ସଂସ୍ଥାକୁ ସୁଦୃଢ ଓ ସଶକ୍ତ କରି ଗଢି ତୋଳିବା ନିମନ୍ତେ ସବୁ ଦିଗରୁ ଚେଷ୍ଟା ହେବା ଉଚିତ୍ । ପ୍ରଚାର ପ୍ରସାରର ବିଭିନ୍ନ ମାଧ୍ୟମ ସମାଜକୁ ସଂସ୍କାର କରିବା ପାଇଁ ଏକ ପ୍ରଭାବି ସାଧନ ମଧ୍ୟ ଅଟେ । ଏହି ସଂସ୍ଥା ସମ୍ବନ୍ଧିତ ବିଭିନ୍ନ ବିଷୟରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିବେଦନ କରୁଛୁ ଯେ, ସେମାନେ ସାକାରତ୍ମକ ବାର୍ତ୍ତା ବହନ କରୁଥିବା ଚଳଚିତ୍ର ଏବଂ ଅନ୍ୟ ବିବିଧ କାର୍ଯ୍ୟକ୍ରମ ନିର୍ମାଣ ଜରିଆରେ ପରିବାର ବ୍ୟବସ୍ଥା ସୁଦୃଢ କରି ଆଗାମୀ ପୀଢିକୁ ଉଜ୍ୱଳ ଭବିଷ୍ୟତ ଆଡକୁ ଆଗେଇ ନିଅନ୍ତୁ । ପ୍ରତିନିଧି ସଭା ସମସ୍ତ ସରକାରୀତନ୍ତ୍ରଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ, ସେମାନେ ଶିକ୍ଷାନୀତି ପ୍ରସ୍ତୁତି ଠାରୁ ଆରମ୍ଭ କରି ପରିବାର ସମ୍ବନ୍ଧୀୟ ଆଇନର ନିର୍ମାଣ କରିବା ସମୟରେ ପରିବାର ବ୍ୟବସ୍ଥାକୁ ଦୃଢ ଭାବରେ ଗଢି ତୋଳିବା ଦିଗରେ ନିଜର ରଚନାତ୍ମକ ଯୋଗଦାନ କରନ୍ତୁ ।
ପରିସ୍ଥିତି ଜନିତ ବାଧ୍ୟବାଧକତା ଫଳରେ ପରିବାର ଠାରୁ ଦୁରରେ ରହୁଥିବା ବ୍ୟକ୍ତି କୈନ୍ଦ୍ରିକ ପରିବାର ପ୍ରତି ଆମର ଆଗ୍ରହ ଯେ ସେମାନେ ଯଥା ସମ୍ଭବ ନିଜ ମୂଳ ପରିବାର ସହିତ ନିୟମିତ ବ୍ୟବଧାନରେ ସଂପର୍କ ସ୍ଥାପନ କରନ୍ତୁ । ନିଜ ପୂର୍ବ ପୁରୁଷଙ୍କ ବାସସ୍ଥାନ ସହିତ ସମ୍ବନ୍ଧ ରଖିବା ନିଜର ଅସ୍ଥିତ୍ୱ ସହିତ ଜଡିତ ହେବା ସହିତ ସମାନ । ଏଥିନିମନ୍ତେ ସେହି ସ୍ଥାନ ମାନଙ୍କରେ ସାମୁହିକ ଭାବରେ ଏକତ୍ରୀତ ହେବା, ସେବାକାର୍ଯ୍ୟ କରିବା ଆଦି ଗତିବିଧି ଜାରି ରଖିବା ଉଚିତ । ବାଲ୍ୟକାଳରୁ ପିଲାଙ୍କ ମନରେ ସମାଜ ପ୍ରତି ସମ୍ବନ୍ଧ ନିର୍ମାଣ କରିବା ପାଇଁ ସେମାନଙ୍କର ପ୍ରାରମ୍ଭିକ ଶିକ୍ଷା ସ୍ଥାନୀୟ ପରିବେଶରେ ହେବା ଉଚିତ । ନିଜ ବାସ ସ୍ଥାନରେ ମିଳି ମିଶି ପର୍ବପର୍ବାଣୀ ଏବଂ କାର୍ଯ୍ୟକ୍ରମ କରିବା ଦ୍ୱାରା ବୃହତ ପରିବାରର ଭାବନା ନିର୍ମାଣ କରାଯାଇ ପାରେ । ବାଳକ-କିଶୋର ବର୍ଗଙ୍କ ମାନସିକ ବିକାଶ ପାଇଁ ବାଳ ଗୋକୁଳମ, ସଂସ୍କାରବର୍ଗ ଆଦି କାର୍ଯ୍ୟକ୍ରମ ଆୟୋଜିତ କରାଯିବା ଉଚିତ ।
ତ୍ୟାଗ, ସଂଯମ, ପ୍ରେମ, ଆତ୍ମୀୟତା, ସହଯୋଗ ଏବଂ ନିଜ ନିଜ ଭିତରେ ପରିପୁରକତା ସମ୍ପନ୍ନ ଜୀବନ ସୁଖି ପରିବାରର ଆଧାରସ୍ତମ୍ଭ ଅଟେ । ଏହିଭଳି ବିଶେଷଗୁଣ ସମ୍ପନ୍ନ ପରିବାର ହିଁ ସମସ୍ତ ବ୍ୟକ୍ତିଙ୍କୁ ସୁଖମୟ ଜୀବନଯାପନର ଆଧାର ହେବ । ଅଖିଳ ଭାରତୀୟ ପ୍ରତିନିଧି ସଭା ସମସ୍ତ ସ୍ୱୟଂସେବକ ସହିତ ସମସ୍ତ ସମାଜକୁ ବିଶେଷକରି ଯୁବଗୋଷ୍ଠୀମାନଙ୍କୁ ଆହ୍ୱାନ କରୁଛି ଯେ,ନିଜର ଏହି ମହାନ ପରିବାର ବ୍ୟବସ୍ଥାକୁ ଅଧିକରୁ ଅଧିକ ସଜୀବ, ପ୍ରାଣଯୁକ୍ତ, ସଂସ୍କାରକ୍ଷମ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ।
ଗୋଲଖ ଚନ୍ଦ୍ର ଦାସ
ଭିସାକିଓ, ୪ ବୁଦେ୍ଧଶ୍ୱରୀ କଲୋନୀ, ଭୁବନେଶ୍ୱର
ମୋ-୯୮୬୧୦୨୮୫୫୩