ଭାରତୀୟ ପୁରାତନ ସୁବର୍ଣ୍ଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ବାଲେଶ୍ୱରର ବୋହୂ ପାରମିତା ସରକାରଙ୍କ ଦ୍ୱାରା ଭାରତୀୟ ପୁରାତନ ସୁବର୍ଣ୍ଣ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀୟ ରବୀନ୍ଦ୍ର କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଶ୍ରୀମତୀ ସରକାରଙ୍କ ସ୍ୱାମୀ ବିଶିଷ୍ଟ ବ୍ୟବସାୟୀ ପ୍ରବୀର ସରକାର ଏହି ଚିତ୍ରକଳା ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ପୁରାତନ ସୁବର୍ଣ୍ଣ ଚିତ୍ରକଳା ପ୍ରଚାର ପ୍ରସାରରେ ଏହା ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଦୀର୍ଘ ୩୫ବର୍ଷରୁ ଊର୍ଦ୍ଧ୍ୱ କାଳଧରି ପାରମିତା ଚିତ୍ରକଳା ସହ ଜଡ଼ିତ ଥିବା ବେଳେ ତାଙ୍କଠାରୁ ବହୁ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ପାଇ ସର୍ବଭାରତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିବା ଆମ ପାଇଁ ମଧ୍ୟ ଗୌରବର ବିଷୟ ବୋଲି ଶ୍ରୀ ସରକାର କହିଥିଲେ । ଭାରତୀୟ ପୁରାତନ ସୁବର୍ଣ୍ଣ ଚିତ୍ରକଳା ସାଙ୍ଗକୁ ସାମ୍ପ୍ରତିକ ଅତ୍ୟାଧୁନିକ ଥ୍ରୀଡି ଆର୍ଟର ସମ୍ଭାରରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିବା ଚିତ୍ରଶିଳ୍ପୀ ପାରମିତା ସରକାର ସୂଚନା ଦେଇଛନ୍ତି । ଦୀର୍ଘବର୍ଷ ପରେ ବାଲେଶ୍ୱରରେ ଆୟୋଜିତ ଏହି ପ୍ରଦର୍ଶନୀରେ ସ୍ଥାନୀତ ବୃନ୍ଦାବନ ପେଣ୍ଟିଂ, ଦକ୍ଷିଣ ଭାରତର ତାନଜୋର ପେଣ୍ଟିଂ, ମହୀଶୂର ପେଣ୍ଟିଂ, ଗ୍ଲାସ ପେଣ୍ଟିଂ, ଡେକୋରେଟିଭ ପେଣ୍ଟିଂ ଓ ଅତ୍ୟାଧୁନିକ ଥ୍ରିଡି ପେଣ୍ଟିଂ ଆଦି ଲୋକଙ୍କ ଦ୍ୱାରା ଅଦୃତ ହେବ ବୋଲି ସେ ଆଶ ପ୍ରକାଶ କରିଛନ୍ତି । ଏହି ଚିତ୍ରକଳା ଶହ ଶହ ବର୍ଷ ସଂରକ୍ଷିତ ରହି ପାରୁଥିବା ବେଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ଏହାର ବେଶ ଚାହିଦା ରହିଛି । ଦେଶର ରାଜସ୍ତାନ, ମୁମ୍ବାଇ, ପୁନେ, ମହୀଶୂର ପ୍ରଭୃତି ସ୍ଥାନରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀରେ ତାଙ୍କ ପେଣ୍ଟିଂକୁ ଲୋକେ ପସନ୍ଦ କରିଛନ୍ତି । ତାଙ୍କର ପେଣ୍ଟିଂ ୧୦ ହଜାରରୁ ଆରମ୍ଭ କରି ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ବି ହୋଇଛି । ତେବେ କେତେ ମୂଲ୍ୟରେ ତାଙ୍କ ଚିତ୍ରକଳା ବିକ୍ରି ହୋଇଛି ତାହା ବଡ଼କଥା ନୁହେଁ, ବରଂ ପୁରାତନ ଭାରତୀୟ ଚିତ୍ରକଳାର ବିକାଶ ସାଙ୍ଗକୁ ଏହାର ପ୍ରଚାର ପ୍ରସାର ପାଇଁ ଏହି ପ୍ରଦର୍ଶନୀ ଏକ ମାଧ୍ୟମ ହୋଇପାରିଛି ବୋଲି ଶ୍ରୀମତୀ ସରକାର ପ୍ରକାଶ କରିିଛନ୍ତି । କୋଲକତା ସମେତ ଦେଶର ବିଭିନ୍ନ ସ୍ଥାନରେ ତାଙ୍କର ଏକାଧିକ ଚିତ୍ରକଳା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି । କିଶୋର କିଶୋରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ବର୍ଗଙ୍କୁ ଚିତ୍ରକଳା ପ୍ରଶିକ୍ଷଣ ଦେଇ ସେ ବେଶ ଆତ୍ମ ସନ୍ତୋଷ ଲାଭ କରୁଛନ୍ତି ବୋଲି ଶ୍ରୀମତୀ ସରକାର କହିଛନ୍ତି । ବାଲେଶ୍ୱରରେ ବି ଏକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବାକୁ ସେ ଆଗ୍ରହୀ ଥିବା ସୂଚନା ଦେଇଛନ୍ତି । ତେବେ ବାଲେଶ୍ୱରରେ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାଲୁଥିବା ବେଳେ ଅଧିକରୁ ଅଧିକ ଲୋକେ ଏଥିରେ ଯୋଗ ଦେବାକୁ ଶ୍ରୀମତୀ ସରକାର ସମସ୍ତଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ