ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ଆପାଚି ହେଲିକପ୍ଟର୍
ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ବାୟୁସେନାକୁ ଆଜି ତା’ର ପ୍ରଥମ ଆପାଚି ଗାର୍ଡିଆନ୍ ଆଟାକ୍ ହେଲିକପ୍ଟର୍ ମିଳିଛି । ଭାରତୀୟ ବାୟୁସେନାର ପ୍ରତିନିଧିତ୍ୱ କରୁଥିବା ଏୟାର୍ ମାର୍ସାଲ ଏଏସ୍ ବୁତୋଲା ବୋଇଙ୍ଗ୍ ଉତ୍ପାଦନ କାରଖାନାରେ ଏକ ଉତ୍ସବରେ ପ୍ରଥମ ଆପାଚି ହେଲିକପ୍ଟର ଗ୍ରହଣ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ଏରିଜୋନାସ୍ଥିତ ହେଲିକପ୍ଟର୍ ଉତ୍ପାଦନ ପ୍ଲାଣ୍ଟରେ ଆନୁଷ୍ଠାନିକ ଭାବେ ଏହି ଆପାଚି ଗାର୍ଡିଆନ୍ ହେଲିକପ୍ଟର୍ ଭାରତକୁ ହସ୍ତାନ୍ତର କରାଯାଇଛି । ଅନ୍ୟ ୨୧ଟି ହେଲିକପ୍ଟରଗୁଡିକୁ ଖୁବ୍ଶୀଘ୍ର (୨ଠ୨ଠ ସୁଦ୍ଧା) ଭାରତୀୟ ବାୟୁସେନାକୁ ପ୍ରଦାନ କରାଯିବ ବୋଲି ପ୍ଲ୍ାଣ୍ଟ କର୍ତ୍ତୃପକ୍ଷ କହିଛନ୍ତି । ପ୍ରକାଶ ଯେ, ୨୨ଟି ଆପାଚି ଗାର୍ଡିଆନ୍ ହେଲିକପ୍ଟର୍ ଲାଗି ୨ଠ୧୫ରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସହ ରାଜିନାମା ସ୍ୱାକ୍ଷର କରିଥିଲା । ତେବେ ଏହି ହେଲିକପ୍ଟରଗୁଡିକ ଜୁଲାଇ ସୁଦ୍ଧା ଭାରତକୁ ପଠାଯିବା ଲାଗି ସ୍ଥିର କରାଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ଆଲାବାମାସ୍ଥିତ ଫୋର୍ଟ ରିକ୍ୟୁର୍ ଠାରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଆର୍ମି ବେସ୍ ଥିବା ତାଲିମ୍ କେନ୍ଦ୍ରରୁ ବାୟୁସେନାର କେତେକ ସ୍କ୍ୱାଡନ୍ଲିଡର ଆପାଚି ହେଲିକପ୍ଟର ଉଡାଇବା ନେଇ ତାଲିମ୍ ଗ୍ରହଣ କରିସାରିଛନ୍ତି, ଏମାନେ ହିଁ ଭାରତୀୟ ବାୟୁସେନାରେ ଆପାଚି ଉଡ଼ାଣର ନେତୃତ୍ୱ ନେବେ ବୋଲି କୁହାଯାଇଛି ।
ବୈଶିଷ୍ଟ୍ୟ: ଆପାଚି ଗାର୍ଡିଆନ୍ ହେଲିକପ୍ଟର ସମ୍ପର୍କରେ ବାୟୁସେନା ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଏହି ହେଲିକପ୍ଟର ଦୁନିଆର ସବୁଠୁ ବିଧ୍ୱଂସୀ ଲଢ଼ୁଆ ହେଲିକପ୍ଟର । ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଏହା କାର୍ଯ୍ୟ କରିପାରିବ, ଏପରିକି ବର୍ଷା, ଝଡ଼ରେ ବି ଏହା ଉପଯୁକ୍ତ ଭାବେ କାର୍ଯ୍ୟକ୍ଷମ ରହିପାରିବ । ଏପରିକି ଆକାଶ ମାର୍ଗରୁ ଓ ସ୍ଥଳ ଭାଗରେ ଲକ୍ଷ୍ୟଭେଦ କରିବାରେ ମଧ୍ୟ ଏହା ସହାୟକ ହେବ । ବିଶେଷକରି ପାର୍ବତ୍ୟାଞ୍ଚଳରେ ସାମରିକ ଅଭିଯାନ ବେଳେ ଏହି ହେଲିକପ୍ଟର ବେଶ୍ ସହାୟକ ହେବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ଭବିଷ୍ୟତକୁ ନଜରରେ ରଖି ଏହି ହେଲିକେପ୍ଟରକୁ ର୍ନିମାଣ କରାଯାଇଥିବା ସୂଚନା ରହିଛି । ପାହାଡ଼ିଆ ସ୍ଥାନରେ ଏହି ବିମାନଟି ନିଜର ବିଶେଷତ୍ୱ ଅଧିକ ଦେଖାଇବ ବୋଲି ଜଣାପଡ଼ିଛି । ନିର୍ଦ୍ଦିଷ୍ଟ ସୀମାରେ ରହି ଆକ୍ରମଣ କରିବା, ତଳେ ଯୁଦ୍ଧ ହେଉଥିଲେ ଉଚ୍ଚ ସ୍ଥାନରେ ରହି ଫଟୋ ଉଠାଇପାରିବା, ଡାଟା ନେଟୱର୍କିଂ ଜରିଅ ।ରେ ଅସ୍ତ୍ର ପ୍ରୟୋଗ କରିବା, ଶତ୍ରୁ ଠିକଣାରେ ପଶି ଆକ୍ରମଣ କରିବା ଭଳି କ୍ଷମତା ଏହି ବିମାନରେ ରହିଛି । ଏହା ୨୮୪ କିଲୋମିଟିର ପ୍ରତି ଘଣ୍ଟା ବେଗରେ ଉଡ଼ିପାରିବ । ଏଥିରେ ୨ଟି ହାଇ ପରଫର୍ମାନ୍ସ ଇଞ୍ଜିନ ରହିଛି । ଏହା ସହିତ ଲେଜର, ଇନ୍ଫ୍ରାରେଡ୍ ଏବଂ ଅନ୍ୟ ନାଇଟ୍ ଭିଜନ ସିଷ୍ଟମ ରହିଛି । ଅନ୍ଧାରରେ ବି ଏହା ଶତ୍ରୁମାନଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରିବାର କ୍ଷମତା ରଖିଛି । ଏହି ହେଲିକପ୍ଟରରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଏବଂ ବିଭିନ୍ନ ପ୍ରକାର ଗୋଳାବାରୁଦ ମଧ୍ୟ ପ୍ରୟୋଗ କରାଯାଇପାରିବା ଭଳି ବୈଶିଷ୍ଟ୍ୟ ରହିଛି । ଶତ୍ରୁମାନଙ୍କ ନଜର ଆଢୁଆଳରେ ରହି ଏହା ଟାର୍ଗେଟ୍ ଅଞ୍ଚଳକୁ ଧ୍ୱଂସ କରିପାରିବ ।