ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଫୋକସରେ ଓଡ଼ିଶା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା ଦୁର୍ନୀତି ପାଇଁ ଏକ ଉର୍ବର ଭୂମି, ଦୁର୍ନୀତିର ଗନ୍ତାଘର । ମାଟି ଉପରେ ଥିବା ଜମି, ଜଳ, ଜଙ୍ଗଲ ଓ ମାଟି ତଳର ସମ୍ପଦ ହାତଗଣତି ପ୍ରଭାବଶାଳୀ ଲୋକଙ୍କ କବ୍‌ଜାରେ । ପ୍ରାକୃତିକ ସମ୍ପଦ ଉତ୍ତୋଳନ, ଖଣିଜ ସମ୍ପଦ ପରିବହନ, ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବିକାଶ ପାଣ୍ଠିର ଆତ୍ମସାତ୍‌, ଭିତ୍ତିଭୂମି ନର୍ମାଣରେ ବ୍ୟାପକ ହରିଲୁଟ, ଆଇନ ପ୍ରବର୍ତ୍ତନ ନାମରେ ହାତ ଚିକ୍କଣ ଆଦି ସମ୍ବାଦପତ୍ରର ଶିରୋନାମା ପାଲଟିଛି । ତାହା ସତ ପ୍ରତିଦିନ ଯେପରି ସରକାରୀ କର୍ମଚାରୀ ରାଜ୍ୟ ଭିଜିଲାନ୍ସ ବିଭାଗ ଦ୍ୱାରା ଧରା ଯାଉଛନ୍ତି ତାହାକୁ ଦୃଷ୍ଟିରେ ରଖି ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଫୋକସରେ ରହିଛି ଓଡ଼ିଶା । ଭୁବନେଶ୍ୱର ଉତ୍କଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର ଜାତୀୟ ସମ୍ପାଦକ ଡଃ ବିପିନ ବିହାରୀ ମିଶ୍ର ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନରେ ଦୁର୍ନୀତି ହ୍ରାସ ପାଇଁ ବହୁ କାର୍ଯ୍ୟପନ୍ଥା ହାତକୁ ନେଇଛୁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂସ୍ଥାର କମିଟି କାର୍ଯ୍ୟକ୍ଷମ ଥିଲାବେଳେ ଉପଖଣ୍ଡ ତଥା ବ୍ଲକସ୍ତରରେ କମିଟି ଗଠନ କରା ଯାଇ, ତୃଣମୂଳସ୍ତରରେ ଅଭିଯାନକୁ ବ୍ୟାପକ କରାଯିବ ବୋଲି ରାଜ୍ୟ ସଭାପତି, ବରିଷ୍ଠ ଆଇନଜୀବୀ ଶ୍ରୀ କିଶୋର ଚନ୍ଦ୍ର କର କହିଛନ୍ତି । ଦୁର୍ନୀତି ନିବାରଣରେ ସାମାଜିକ ସଂଗଠନମାନଙ୍କର ଦାୟିତ୍ୱ ଓ ଭୂମିକା ଉପରେ ସଂସ୍ଥା ପକ୍ଷରୁ ଏକ ସେମିନାର ଆସନ୍ତା ଜୁଲାଇ ୧୦ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ସଂସ୍ଥାର ରାଜ୍ୟ ସାଧାରଣ ସମ୍ପାଦକ ଇଂ ବିପିନ ବିହାରୀ ନାୟକ ପ୍ରକାଶ କରିଛନ୍ତି । ଏହି ସେମିନାରରେ ଅଭିଜ୍ଞ କର୍ମକର୍ତ୍ତାମାନେ ଭାଗ ନେଇ ଯୁବ ସମ୍ପ୍ରଦାୟକୁ ପ୍ରେରଣା ପ୍ରଦାନ କରିବେ । ଉତ୍କର୍ଷତା ନ ଆସିଲେ କୌଣସି ଆନ୍ଦୋଳନରେ ସଫଳତା ହାସଲ କରିହୁଏ ନାହିଁ । ତେଣୁ ଦୁର୍ନୀତି ବିରୋଧୀ ଅଭିଯାନରେ ସାମିଲ୍ କରି ତାହାର କାର୍ଯ୍ୟଧାରାକୁ ଫଳପ୍ରଦ କରିବା ପାଇଁ ସଂସ୍ଥା ପକ୍ଷରୁ ତାହାର ସଦସ୍ୟ ତଥା ଆଗ୍ରହୀ ଜନସାଧାରଣଙ୍କୁ ଦୁର୍ନୀତି ନିବାରଣ କାର୍ଯ୍ୟାନ୍ୱୟନ ନିମନ୍ତେ ପ୍ରଶିକ୍ଷଣ ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ରାଜ୍ୟ ସମ୍ପାଦକ ଶ୍ରୀ ଗୋଲକ ବିହାରୀ ସିଂହ ପ୍ରକାଶ କରିଥିଲେ । ବିନା ଲାଞ୍ଚରେ ସରକାରୀ ଯୋଜନାରେ ଗରିବ ଜନସାଧାରଣ ଅନ୍ତର୍ଭୁକ୍ତ ହୋଇପାରୁ ନାହାଁନ୍ତି ବୋଲି ସେ କହିଥିଲେ । ତେଣୁ ଏ ନେଇ ତଳସ୍ତରରେ ସମସ୍ତଙ୍କୁ ସଚେତନ କରିବା ପାଇଁ କର୍ମୀମାନେ ଆଗଭର ହେବାକୁ ସେ ଆହ୍ୱାନ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର ଉପ ସଭାପତି ଡଃ ସୂର୍ଯ୍ୟନାରାୟଣ ରଥ, ସମ୍ପାଦକ ରବୀନ୍ଦ୍ରନାଥ ରାଉତରାୟ, ସୁଭାଷ ଚନ୍ଦ୍ର ରଥ, ସୁରେଶ ଚନ୍ଦ୍ର ମହାପାତ୍ର ଭାଗନେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ବାଳକୃଷ୍ଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ