ଭାରତୀୟ ମଜଦୁର ସଂଘର ବିଶାଳ ଶ୍ରମିକ ସମାବେଶ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ): ଶୁକ୍ରବାର ପୂର୍ବାହ୍ନରେ ବାଲେଶ୍ୱର ସହରର ଗାନ୍ଧିସ୍ମୃତି ଭବନଠାରେ ଭାରତୀୟ ମଜଦୁର ସଂଘ ତରଫରୁ ଏକ ବିଶାଳ ଶ୍ରମିକ ସମାବେଶ ସଂଘର ରାଜ୍ୟ ଉପ ସଭାପତି ଶ୍ରୀ ପୃଥ୍ୱୀରାଜ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପଜ୍ୱଳନ ପୂର୍ବକ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ ଏବଂ ଶ୍ରମିକ ଗୀତ ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗଦେଇ ଦେଶର ବିକାଶ ଧାରାକୁ ତୀବ୍ରତ୍ତର କରିବା ପାଇଁ ଓ ଦେଶର ସୁରକ୍ଷା ଏବଂ ଶାନ୍ତି ପାଇଁ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ସୁଯୋଗ ଦେବା ପାଇଁ ନିବେଦନ କରିଥିଲେ । ବିଶିଷ୍ଟ ସମ୍ମାନିତ ଅତିଥି ତଥା ବିଜେପି ସଦର ବିଧାୟକ ପ୍ରାର୍ଥୀ ମଦନ ମୋହନ ଦତ୍ତ ଯୋଗଦେଇ ଶ୍ରମିକମାନଙ୍କ ସର୍ବାଙ୍ଗୀନ ଉନ୍ନତି କେନ୍ଦ୍ରରେ ଓ ରାଜ୍ୟରେ ବିଜେପି ସରକାର ହେଲେ ହିଁ ସମ୍ଭବ ବୋଲି ମତ ପୋଷଣ କରିଥିଲେ । ବିଶିଷ୍ଟ ଶ୍ରମିକନେତା ତଥା ବିଜେପିର ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରଭାରୀ ଶୁଭଙ୍କର ମହାପାତ୍ର ସଭା ସଂଚାଳନ କରିବା ସହ ଦେଶ ଓ ରାଜ୍ୟ ବିକାଶରେ ଶ୍ରମିକ ମାନଙ୍କ ନିମନ୍ତେ ମୋଦି ସରକାରଙ୍କ ବହୁବିଧ ଯୋଜନା ସମ୍ପର୍କରେ କହିଥିଲେ । ଏହି ସମାବେଶରେ ନିର୍ମାଣ ଶ୍ରମିକ ସାଥୀ ସଂଘ ସଭାପତି ପଦ୍ମ ରାୟ, ବିରଜା ଶ୍ରମିକ ସଂଘର ସୟ ସାମଲ, ହରପାର୍ବତୀ ଶ୍ରମିକ ସଂଘର ଶ୍ରୀ ଉମାକାନ୍ତ ଜେନା, ବି.ଏମ.ଏସ ସାମିଲ ହୋଇଥିଲେ । ମୁଖ୍ୟ ବକ୍ତା ଭାବେ ରାଜ୍ୟ ବି.ଏମ.ଏସ ର ପ୍ରଭାରୀ ପ୍ରଫୁଲ୍ଲ ଜେନା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସଙ୍ଗେ ନୂତନ ଜିଲ୍ଲା କମିଟିର ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଭାବେ ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ବିଜେପି ନେତା ଯଯାତି ଦାସ, ଆଶା କର୍ମୀ ସଂଘର ରାଜ୍ୟ ଉପସଭାପତି କୁମମଣି ଦେଇ, ଶକୁନ୍ତଳା ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥି ପରିଚୟ ବି.ଏମ.ଏସ ସମ୍ପାଦକ ଉପେନ୍ଦ୍ର ବେହେରା କରିଥିବା ବେଳେ, ଶ୍ରମିକ ନେତା ଚକ୍ରଧର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସହସ୍ରାଧିକ ନିର୍ମାଣ ଶ୍ରମିକ, ଆଶାକର୍ମୀ ଓ ପାଚିକା ସଦର ନିର୍ବାଚନ ମଣ୍ଡଳୀର ଯୋଗ ଦେଇଥିଲେ ।


