ଭାରତୀୟ ମଜଦୁର ସଂଘର ୬୯ ତମ ପ୍ରତିଷ୍ଠା ଦିବସ ପାଳିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଭାରତୀୟ ମଜଦୁର ସଂଘ ୬୯ ତମ ପ୍ରତିଷ୍ଠା ଦିବସ ବାଲିଗୁଡା ଶାନ୍ତିମୈତ୍ରୀ ସଭାଗୃହରେ ଜିଲା ସଭାପତି ଅଶୋକ ପରିଡା ଙ୍କ ପୌରୋହିତ୍ୟରେ ପାଳିତ ହୋଇଛି। ବିଏମଏସର ପ୍ରତିଷ୍ଠାତା ଦନ୍ତପନ୍ତ ଠେଙ୍ଗଡେଙ୍କ ଦ୍ୱାରା ୧୯୫୫ମସିହା ଜୁଲାଇ ମାସ ଆଜିର ଦିନରେ ଭୋପାଳ ଠାରେ ଶ୍ରମିକ ମାନଙ୍କ ସମସ୍ୟା ଦୂରୀକରଣ ପାଇଁ ମଜଦୁର ସଂଘ ପ୍ରତିଷ୍ଠା କରିଥିଲେ। ଲୋକମାନ୍ୟ ବାଳ ଗଙ୍ଗାଧର ତିଳକଙ୍କ ଜନ୍ମ ଦିନକୁ ବିଏମଏସର ପ୍ରତିଷ୍ଠା ଦିବସ ରୁପେ ପାଳନ କରାଯାଉଛି। ଦେଶର ଶ୍ରମିକଙ୍କ ପାଇଁ ଚିନ୍ତା କରୁଥିବା ଦନ୍ତପନ୍ତ ଠେଙ୍ଗଡେ ୧୯୨୦ ମସିହା ନଭେମ୍ବର ୧୦ ତାରିଖରେ ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଜନ୍ମ ଗହଣ କରିଥିଲେ ଓ ୨୦୦୪ ଅକ୍ଟୋବର ୧୦ ତାରିଖରେ ତାଙ୍କର ମହାପ୍ରୟାଣ ଘଟିଥିଲା।ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ନୁହେଁ ଅନ୍ୟ କର୍ମଚାରୀ ମାନଙ୍କ ଭଳି ସୁଖ ସ୍ୱାଛାନ୍ଦ୍ୟରେ ଚଳିବା ପାଇଁ ଆବଶ୍ୟକ ଦରମା ଲାଗୁ କରିବାକୁ ବିଏମଏସ ଦାବୀ କରିବା ସହ ଆଇଟ ସୋର୍ସିଂ ଓ ଠିକାଦାରି ଭଳି କୁତ୍ସିତ ପ୍ରଥା ଉଛେଦ ପାଇଁ ଲଢେ଼ଇ କରିଆସୁଛି। ବିଏମ ଏସର ପ୍ରତିଷ୍ଠା ଦିବସରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ପାତ୍ର ବକ୍ତାଭାବେ ଯୋଗଦେଇ ବିଏମଏସର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ନିକେତନର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀ, ଅଧ୍ୟାପକ ଦଣ୍ଡପାଣି ଭୂୟାଁ ଓ ଶାନ୍ତିମୈତ୍ରୀର ଅଶ୍ୱିନୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିଳ୍ପ ହିତ ଓ ଦେଶହିତ ରେ ଶ୍ରମିକ ମାନଙ୍କ ଗୁରୁତ୍ୱ ଅଧିକ ରହିଛି ବୋଲି କହିଥିଲେ।ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଶ୍ରମିକଟିର ଅବଦାନ ଦେଶ ଗଠନରେ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ।ଅଙ୍ଗନବାଡି ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ବାଲିଗୁଡା ସଭାନେତ୍ରୀ ନିଳୀମା ସିଂହଦେଓ ପ୍ରମୁଖ ସେମାନଙ୍କ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ।ଜିଲା ସମନ୍ୱିତ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ଅସଙ୍ଗଠିତ ଶ୍ରମିକମାନେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଅଧିକ ଶୋଷଣର ଶୀକାର ହେଉଥିବାରୁ ଆନ୍ଦୋଳନ ଓ ପ୍ରତିବାଦ ପାଇଁ ନିଷ୍ପତ୍ତି ନିଆଯାଇଛି।