ଭାରତୀୟ ମଧ୍ୟବିତ ପରିବାର ମହାସଙ୍ଘ ପକ୍ଷରୁ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଭାରତୀୟ ମଧ୍ୟବିତ ପରିବାର ମହାସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ରନ୍ଧନ ଗ୍ୟାସର ଦର ଅହେତୁକ ବୃଦ୍ଧିକୁ ନେଇ ଏକ ଦାବିପତ୍ର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ନିରଞ୍ଜନ ପରିଡାଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବା ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କରୋନା ମହାମାରୀ ସମୟରେ ସାଧାରଣ ଲୋକ ନିଜର ଜୀବିକା ହରାଇ ବଞ୍ଚିବାକୁ ସଙ୍ଘର୍ଷ କରୁଥିବା ବେଳେ ବାରମ୍ବାର ଘରୋଇ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ସାଧାରଣ ମଧ୍ୟବିତ ଲୋକଙ୍କ ଉପରେ ଆର୍ଥିକ ବୋଝ ବଢାଇ ଦେଇଛି । ଲଗାତର ତୃତୀୟ ମାସ ପାଇଁ ଘରୋଇ ଏଲପିଜି ସିଲିଣ୍ଡର ଦର ୨୫ଟଙ୍କା ବୃଦ୍ଧି ପାଇଥିବା ବେଳେ ଦେଶର ସମସ୍ତ ରାଜ୍ୟରେ ସିଲିଣ୍ଡର ପିଛା ଦର ୯ଶହ ଟଙ୍କା ପାର ହୋଇଥିବାରୁ ମଧ୍ୟବିତଙ୍କ ଉପରେ ଆର୍ଥିକ ବୋଝ ବଢି ଚାଲିଥିବା ଅଭିଯୋଗ ହୋଇଛି । ଗତ ତିନିମାସ ମଧ୍ୟରେ ସିଲିଣ୍ଡର ମୂଲ୍ୟ ୭୫ଟଙ୍କା ବୃଦ୍ଧି ପାଇଥିବାରୁ ଏହି ଦର ବୃଦ୍ଧି ସାଧାରଣ ମଧ୍ୟବିତ ବର୍ଗର ଖାଉଟିମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦୟ ଆଛାଦିନ ସରକାର କେବଳ ଚାଷୀଙ୍କ ପ୍ରତି ଅନ୍ୟାୟ କରିନାହାନ୍ତି ବରଂ ପ୍ରତ୍ୟେକ ଗୃହିଣୀ ଏବଂ ମଧ୍ୟବିତ ଶ୍ରେଣୀର ଲୋକଙ୍କ ପିଠିରେ ମହଙ୍ଗା ଚାବୁକ ପ୍ରହାର କରିଛନ୍ତି ବୋଲି ସଙ୍ଘ ଅଭିଯୋଗ କରିଛି । ଏହା ଏକ ନିନ୍ଦନୀୟ ଓ ଜନ ବିରୋଧୀ ନିଷ୍ପତ୍ତି ହୋଇଥିବାରୁ କେନ୍ଦ୍ର ସରକାର ଏହାର ମୂଲ୍ୟବୃଦ୍ଧି ସମେତ ଏକ୍ସସାଇଜ ଡ୍ୟୁଟି ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଙ୍ଘ ପକ୍ଷରୁ ଦାବି କରାଯାଇଛି । ଜିଲ୍ଲା ସଭାପତି ଶ୍ରୀ ପରିଡାଙ୍କ ସମେତ ରାଜ୍ୟ ସମ୍ପାଦକ ହରେକୃଷ୍ଣ ପାତ୍ର, ସରୋଜ ରାଉତ, ବାସନ୍ତୀ ମହାପାତ୍ର, ଚିତ୍ରସେନ ମଣ୍ଡଳ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ