ଭାରତୀୟ ରାଜନୀତିରେ ଅଟଳବିହାରୀ ବାଜପେୟୀ
ବିପିନ ବିହାରୀ ମହାନ୍ତି
ବିଭିନ୍ନ ଯୁଗରେ ଦୁଷ୍ଟନାଶୀ ସନ୍ଥମାନଙ୍କ ପାଳନ ପାଇଁ ଏ ଭାରତ ଭୂଖଣ୍ଡେ ଭଗବାନ ଅବତରିଲା ପରି ଏ ଭାରତ ମାଆ କୋଳରେ ଏମିତି ଯୋଗଜନ୍ମା ମହାପୁରୁଷମାନେ ସମୟାନୁସାରେ ଜନ୍ମନିଅନ୍ତି ଯେଉଁମାନଙ୍କର ଜୀବନ ଜ୍ୟୋତି ସାରା ବିଶ୍ୱକୁ ଆଲୋକିତ କରେ ଏବଂ ଯେଉଁମାନଙ୍କ ପାଇଁ ଭାରତମାଟି ଉଦ୍ଭାସିତ ହୋଇଉଠେ; ଯିଏ କେବଳ ନିଜ ପାଇଁ ନୁହେଁ, ସାରା ମାନବ ଜାତି ପାଇଁ ଜିଏଁ ଏବଂ ମରେ । ଏହିପରି ଜଣେ ମହାନ୍ ବିଭୂତି ଥିଲେ ଆମର ପୂଜ୍ୟ ଅଟଳବିହାରୀ ବାଜପେୟୀ । ସେ ୧୯୨୪ ଡିସେମ୍ବର ୨୫ରେ ମଧ୍ୟପ୍ରଦେଶର ଗୋୱାଲିୟର ଠାରେ ପିତା କ୍ରିଷ୍ଣା ବିହାରୀ ଓ ମାତା କ୍ରିଷ୍ଣାଦେବୀଙ୍କର ସନ୍ତାନ ଭାବେ ଜନ୍ମ ନେଇଥିଲେ । ପାଠପଢ଼ା ପରେ ଆର୍ଯ୍ୟସମାଜରେ ଯୁବଶାଖା ଜରିଆରେ ସେ ସାମାଜିକ କାର୍ଯ୍ୟ ଆରମ୍ଭ କଲେ । ୧୯୩୯ରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗଦେଲେ । ବାବାସାହେବ ଆପ୍ତେଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସଂଘର ଅଫିସରେ ସେ ତାଲିମ ଲାଭ କଲେ । ୧୯୪୭ରେ ସଂଘର ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ ଯୋଗଦେଲେ । ୧୯୪୮ରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସହ ଭାରତୀୟ ଜନସଂଘରେ କାର୍ଯ୍ୟ କଲେ ଏବଂ ତାଙ୍କ ପରେ ଏହାର ଅଧ୍ୟକ୍ଷ ହେଲେ । ୧୯୭୭ରେ ଜୟପ୍ରକାଶ ନାରାୟଣଙ୍କ ଜନତାପାର୍ଟିର ଜନସଂଘର ବିଲୟ ହେଲା । ଏହାପରେ ବିଜେପି ଜନ୍ମ ନେଲା । ସେ ଏହି ବିଜେପିରେ ପରର୍ବୀ ସମୟରେ ହେଲେ ଏହାର ପ୍ରଥମ ଅଧ୍ୟକ୍ଷ । ଜନସେବା ଓ ରାଜନୀତିରେ ନିଜର ଜୀବନକୁ ଉତ୍ସର୍ଗ କରିବାକୁ ଯାଇ ସେ ଅବିବାହିତ ରହିଗଲେ ସାରା ଜୀବନ । ତାଙ୍କର ପରିବାର କହିଲେ ନମିତା ନାମରେ ଗୋଟିଏ ପାଳିତା କନ୍ୟା ।
ଅଟଳଜୀ ତାଙ୍କ ରାଜନୀତିକ ଜୀବନରେ ୧୯୫୭ରୁ ୨୦୦୯ ମଧ୍ୟରେ ୧୦ ଥର ସାଂସଦ, ୧୯୬୨ ଓ ୧୯୮୬ରେ ରାଜ୍ୟସଭାକୁ ଦୁଇଥର ମନୋନୀତ ସଦସ୍ୟ ଥିଲେ, ୧୯୭୭ରେ କେନ୍ଦ୍ରରେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୧୯୮୦ରେ ହେଲେ ସେ ବିଜେପିର ଅଧ୍ୟକ୍ଷ । ନେହେରୁଙ୍କ ପରେ ସେ ଥିଲେ ଭାରତର ୩ଥର ପ୍ରଧାନମନ୍ତ୍ରୀ । ୧୯୯୬ରେ ୧୩ ଦିନ ପାଇଁ, ୧୯୯୮ରେ ୧୩ ମାସ ଏବଂ ୧୯୯୯ରେ ପୂର୍ଣ୍ଣକାଳୀନ ୫ ବର୍ଷ ପାଇଁ ସେ ପ୍ରଧାନମନ୍ତ୍ରୀ ଥିଲେ । ୨୦୦୫ରେ ସେ ରାଜନୀତିରୁ ସନ୍ନ୍ୟାସୀ ନେଲେ ।
ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ବେଳେ ପାକିସ୍ତାନ ସହ ସଂପର୍କର ଉନ୍ନତି ପାଇଁ ସେ ଦିଲ୍ଲୀରୁ ପାକିସ୍ତାନ-ଲାହୋର ମଧ୍ୟରେ ବସ୍ ସେବା ଆରମ୍ଭ କରିଥିଲେ ଏବଂ ସେ ପ୍ରଥମେ ବସ୍ରେ ବସି ଲାହୋର ଯାଇଥିଲେ । ୧୯୯୯ ଫେବୃୟାରୀ ୨୧ରେ ପାକିସ୍ତାନର ତତ୍୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ ଲାହୋର ଘୋଷଣାନାମାରେ ସେ ସ୍ୱାକ୍ଷର କରିଥିଲେ । ସେହି ୧୯୯୯ରେ ପାକିସ୍ତାନ ସହ କାର୍ଗିଲ ଯୁଦ୍ଧ ହେଲେ ମଧ୍ୟ ସେ ବସ୍ ସେବା ବନ୍ଦ କରିନଥିଲେ । ରାଷ୍ଟ୍ରର ସୁରକ୍ଷା ପାଇଁ ତାଙ୍କର ଅବଦାନ ଥିଲା ଅତୁଳନୀୟ । ୧୯୯୮ ମେ ୨୩ ତାରିଖରେ ପୋଖରାନ୍ରେ ପରୀକ୍ଷା କରାଯାଇଥିବା ଅପରେସନ୍ ଶକ୍ତି ଥିଲା ତାଙ୍କର ଏକ ସଫଳତା । ଏହାଦ୍ୱାରା ସେ ସାରା ବିଶ୍ୱରେ ପରମାଣୁ ସଂପନ୍ନ ରାଷ୍ଟ୍ର ଭାବରେ ଭାରତ ଗଣାହେଲା । ଏହି ପରୀକ୍ଷଣ ଏତେ ଗୁପ୍ତ ଥିଲା ଯେ ଶକ୍ତିଶାଳୀ ଆମେରିକା ମଧ୍ୟ ଏହାର ଟେର୍ ପାଇପାରିନଥିଲା । ସେ ୧୦୦ ବର୍ଷର କାବେରୀ ଜଳବିବାଦର ସମାଧାନ କରିଥିଲେ । ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନବନ୍ଦରର ବିକାଶ, ନୂଆ ଟେଲିକମ୍ ନୀତି ତଥା କୋଙ୍କଣରେ ରେଳବାଇ ଶୁଭାରମ୍ଭ ମାଧ୍ୟମରେ ଭିିଭୂମି ବିକାଶ କ୍ଷେତ୍ରରେ ସେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ । ୧୯୯୯ର କାର୍ଗିଲ ଯୁଦ୍ଧ ଓ ୨୦୦୧ର ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ବାଜପେୟୀଙ୍କ ଅମଳରେ ଘଟିଥିଲେ ମଧ୍ୟ ସେ ଏହାର ସାମ୍ନା ଦୃଢ଼ତାର ସହ କରିଥିଲେ । ଏଥିସହ ତାଙ୍କର ସ୍ୱର୍ଣ୍ଣ ଚର୍ତୁଭୁଜ ଯୋଜନା ପାଇଁ ସେ ଭାରତୀୟମାନଙ୍କ ପାଖରେ ଚିରସ୍ମରଣୀୟ ହୋଇରହିବେ ।
ଓଡ଼ିଶା ପ୍ରତି ତାଙ୍କ ଅବଦାନ ମଧ୍ୟ କମ୍ ନୁହେଁ । ବିପଦ ଆପଦ ବେଳେ ସେ ଓଡ଼ିଶାବାସୀଙ୍କ ପାଖରେ ଛିଡା ହୋଇଛନ୍ତି । ୧୯୯୯ ମହାବାତ୍ୟା ବେଳେ ସେ ଓଡ଼ିଶାଆସି ଲୋକଙ୍କ ଦୁଃଖ ଦୁର୍ଦ୍ଦଶାର ପ୍ରତ୍ୟକ୍ଷ ଅନୁଭୂତି ନେଇ ସେମାନଙ୍କ ପାଇଁ ୩୦୦ କୋଟିର ସହାୟତା ଘୋଷଣା କରିଥିଲେ । ସେହିପରି ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର(ଏମ୍ଏସ୍) ଓ ଭାରତୀୟ ତୈଳ ନିଗମ ବିଶୋଧନାଗାର, ପାରାଦ୍ୱୀପ ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ଓଡ଼ିଶା ପ୍ରତି ତାଙ୍କର ବିଶେଷ ଅବଦାନ ।
ବାଜପେୟୀଙ୍କ ଅପୂର୍ବ ବାକ୍ଚାତୁରୀ, ଆବେଗପୂର୍ଣ୍ଣ ବ୍ୟକ୍ତିତ୍ୱ ଓ ଦୂରଦୃଷ୍ଟି ପାଇଁ ସେ ବେଶ୍ ଲୋକପ୍ରିୟ ଥିଲେ । ସେ ଜଣେ ଉଚ୍ଚକୋଟୀର କବି । ତାଙ୍କ ରଚିତ ୨୧ଟି ପୁସ୍ତକ ମଧ୍ୟରୁ ୭ଟି ଥିଲା କବିତା ପୁସ୍ତକ ।
ତାଙ୍କର କୃତିତ୍ୱ ପାଇଁ ସେ ୧୯୯୨ରେ ପଦ୍ମବିଭୂଷଣ, ୧୯୯୩ରେ କାନପୁର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ୧୯୯୪ରେ ଲୋକମାନ୍ୟ ତିଲକ ପୁରସ୍କାର, ସେହି ୧୯୯୪ରେ ସେ ପାର୍ଲାମେଂଟରେ ଥିଲେ ସର୍ବଶ୍ରେଷ୍ଠ ସାଂସଦ, ପୁଣି ସେହି ୧୯୯୪ରେ ଗୋବିନ୍ଦବଲ୍ଲଭ ପନ୍ଥ ପୁରସ୍କାର ପାଇଥିଲେ ଏବଂ ୨୦୧୫ରେ ଭାରତରତ୍ନ ଉପାଧିରେ ଭୂଷିତ ହୋଇଥିଲେ ।
ବାଜପେୟୀଙ୍କ ଦୃଷ୍ଟିରେ ଭାରତ :
ସେ କୁହନ୍ତି- ଭାରତ ଏକ ମହାନ୍ ତୀର୍ଥସ୍ଥାନ ଅଟେ । ଏହାର ପ୍ରତ୍ୟେକ ଧୂଳିକଣା ସ୍ୱର୍ଗଠାରୁ ଅଧିକ । ଭାରତ ଭୂଖଣ୍ଡ କୋଉ ଜମିର ଟୁକୁରା ନୁହେଁ, “ଏହା ଜିତା-ଜାଗତା-ରାଷ୍ଟ୍ରପୁରୁଷ” । ହିମାଳୟ ଏହାର ମସ୍ତକ; ଗିରିଶଙ୍କର ଏହାର ଶିଖା; କାଶ୍ମୀର ଏହାର କିରୀଟ; ପଞ୍ଜାବ ଓ ବଙ୍ଗ ଏହାର ଦୁଇଟି ବିଶାଳ କାନ୍ଧ; ଦିଲ୍ଲୀ ହେଉଛି ଦିଲ୍; ବିନ୍ଧ୍ୟାଂଚଳ ଏହାର କଟି; ନର୍ମଦା ଏହାର ପବିତ୍ର ଧାରା; ପୂର୍ବ ଏବଂ ପଶ୍ଚିମଘାଟ ପର୍ବତ ଏହାର ଦୁଇଟି ବିଶାଳ ଜଂଘ; କନ୍ୟାକୁମାରୀ ଏହାର ଚରଣ; ସାଗରଧୌତ କରେ ଏହାର ପାଦ; ମନ୍ଦ ମରୁତ ଏହାର ବାୟୁ; ସୂର୍ଯ୍ୟ ଓ ଚାନ୍ଦ ଏହରା ଆରତି କରନ୍ତି । ଯୁଗ ଯୁଗ ଧରି ବୁନ୍ଦୁ ବୁନ୍ଦୁ ବର୍ଷା ଏହାର ଗଙ୍ଗାଜଳ । ମୁଁ ବଂଚିବି ତ ଖାସ୍ ଏହାରି ପାଇଁ, ମରିବି ତ ଏହାରି ପାଇଁ । ଏମିତି ଜଣେ ବିଚାରକ ଓ ଚିନ୍ତକ ଥିଲେ ଅଟଳବିହାରୀ ।
ସେ କୁହନ୍ତି ଆମର ଏକମାତ୍ର ଦେବ-ଦେବୀ ହେଉଛନ୍ତି ଦେଶବାସୀ । ଏମାନଙ୍କ ପୂଜାର୍ଚ୍ଚନା ହେଉଛି ସଚ୍ଚା ମାନବ । ଆମ ରାଷ୍ଟ୍ରର ଜୀବନର ମୂଳସ୍ରୋତ ହେଉଛି ଆମ ଧର୍ମ । ଯାହାର ଶାସ୍ୱତ ଆଧାର ଫଳସ୍ୱରୂପ କେତେ କେତେ ବିଦେଶୀଙ୍କ ଆକ୍ରମଣ ସତ୍ୱେ, ଆମ ଆଜି ଦୃଢ଼ତାର ସହ ଛିଡା ହୋଇଛେ । ଆମେ ଏମିତି ଏକ ଦେଶର ସନ୍ତାନ ହେବାରେ ଆମର ଗର୍ବ ଅଛି; ଏହା ଏକ ଅଦ୍ଭୂତ ଦେଶ । ଏହି ପୂଣ୍ୟଭୂମିରେ ଯିଏ ପାଦଥାପେ ସେ ବିଦେଶୀ ହେଉ ପଛେ, ସେ ଏହାର ବାୟୁମଣ୍ଡଳରେ ପ୍ରବାହିତ ଆଧ୍ୟାତ୍ମିକ ତରଙ୍ଗ ଦ୍ୱାରା ପ୍ରଭାବିତ ହୋଇଯାଏ ଏବଂ ନିଜକୁ ହିନ୍ଦୁ ବୋଲି ଧରିନିଏ; ଗର୍ବ ଅନୁଭବ କରେ । ହିନ୍ଦୁସ୍ଥାନରେ ରହୁଥିବା ପ୍ରତିଟି ଭାରତୀୟ ହିନ୍ଦୁ ଅଟେ । ହିନ୍ଦୁତ୍ୱ କୋଉ ଜାତି, ଧର୍ମ କି ବର୍ଗର ସଂକୀର୍ଣ୍ଣତାର ଗଣ୍ଡି ଭିତରେ ଆବଦ୍ଧ ହୋଇନାହିଁ । ବରଂ ଏହା ଜୀବନର ଏକ ସନ୍ଦର୍ଭ ଆଦର୍ଶ ଅଟେ; ଏହା ଏକ ଜୀବନ ପଦ୍ଧତି ଅଟେ । ସେ କୁହନ୍ତି ଇଏ ସେହି ପ୍ରାଚୀନ ଭୂମି ଯେଉଁଠି ଜ୍ଞାନର ଆଲୋକ ସଂପୂର୍ଣ୍ଣ ବିଶ୍ୱକୁ ଅଲୋକିତ କରେ ଏବଂ ସମଗ୍ର ବିଶ୍ୱକୁ ଆଧ୍ୟାତ୍ମିକ ସନ୍ଦେଶ ଦିଏ । ଏଣୁ ଏହାକୁ ବିଶ୍ୱର ଗୁରୁ କୁହାଯାଏ । ଏ ଦେଶ ସଦାକାଳେ ଧର୍ମ, ଆଧ୍ୟାତ୍ମ ଦର୍ଶନର ଉଚ୍ଚତମ ସିଦ୍ଧାନ୍ତମାନଙ୍କର ଦେଶ ଅଟେ ଯାହାର ବାତାବରଣରେ ମାନବତା ତଥା ବିଶ୍ୱବନ୍ଧୁତ୍ୱର ଭାବ ପ୍ରତିଧ୍ୱନି ହୁଏ । ଇଏ ମିତି ଏକ ଦେଶ; ଏମିତି ଏହାର ସଂସ୍କୃତି ।
ତାଙ୍କ ଭାଷାରେ-
‘ଭାରତ ବନ୍ଦନକୀ ଭୂମି ହୈ, ଅଭିନନ୍ଦନକୀ ଭୂମି ହୈ ।
ୟହ ତର୍ପଣ କି ଭୂମି ହୈ, ଅର୍ପଣ କି ଭୂମି ହୈ ।
ଇସ୍କା କଙ୍କର-କଙ୍କର ଶଙ୍କର ହୈ, ଇସ୍କା ବିନ୍ଦୁ ବିନ୍ଦୁ ଗଙ୍ଗାଜଳ ହୈ ।
ହମ୍ ଜିୟେଗେଁ ତୋ ଇସ୍କେ ଲିୟେ, ମରେଗେଁ ତୋ ଇସ୍କେ ଲିୟେ ।’
ଏମିତି ଭାରତକୁ ନିଜର କରିଥିବା ଲୋକଟି ହେଉଛନ୍ତି ଅଟଳବିହାରୀ ବାଜପେୟୀ । ଯାହାଙ୍କ ଜୀବନ ଏ ଦେଶ ପାଇଁ ସଂପୂର୍ଣ୍ଣ ସମର୍ପିତ ଥିଲା । ଭାରତ ରାଜନୀତିରେ ସେ ଥିଲେ ଅଜାତଶତ୍ରୁ । ତାଙ୍କ ବ୍ୟକ୍ତିତ୍ୱରେ ଥିଲା ବିବେକ, ନେତୃତ୍ୱ ଥିଲା ନୀତିଯୁକ୍ତ; ଶାସନ ଥିଲା ପ୍ରଜାନୁରଞ୍ଜନ, ଯୋଜନା ଥିଲା ଗ୍ରାମୀଣ ବିକାଶ; ଲକ୍ଷ୍ୟ ଥିଲା ବିଶ୍ୱରେ ଭାରତକୁ ଶ୍ରେଷ୍ଠ ସ୍ଥାନ ଦେବା । କି ଦରଦୀ କି ବିରୋଧୀ ସମସ୍ତଙ୍କ ପାଇଁ ସେ ଥିଲେ ଅତି ଆପଣାର, ନିଜର । ହୃଦୟରେ ସେ ଥିଲେ କବି ପରି କୋମଳ । ଅଥଚ ରାଷ୍ଟ୍ରୀୟ ସମ୍ମାନ କ୍ଷେତ୍ରରେ ସେ ଥିଲେ ବଜ୍ର ଠାରୁ କଠୋର । ତାଙ୍କର ଜ୍ୱାଳାମୟୀ ଉଦ୍ଘୋଷ ପାର୍କ ଠାରୁ ପାର୍ଲାମେଂଟ ପର୍ଯ୍ୟନ୍ତ ଯାଏଁ ସମସ୍ତଙ୍କୁ କରୁଥିଲା ଉଦ୍ବେଳିତ । କୌଣସି ପରିସ୍ଥିତିକୁ ସାମ୍ନା କରିବାରେ ସେ ଥିଲେ ପ୍ରଚଣ୍ଡ ସାହସୀ । ଏ ଭାରତ ମାଟିରୁ ସେ ଥିଲେ ଜଣେ ସଫଳ ବିନ୍ଧାଣି । ଏ ବିଶ୍ୱ ପାଇଁ ଆଦର୍ଶରେ ସେ ଥିଲେ ଜଣେ ବିଶ୍ୱ ପୁରୁଷ । ଏହିପରି ମହାତ୍ମା ଅଟଳବିହାରୀ ବାଜପେୟୀ ଆମକୁ ୧୬ ଅଗଷ୍ଟ ୨୦୧୮ରେ ଛାଡ଼ି ଚାଲିଗଲେ । ସତରେ ସେ ଆଉ ଥରେ ଫେରିଆସନ୍ତେ ନାହିଁ ! ଭାରତରେ ରହିଯାଇଥିବା ଦୁଃଖକୁ ବୁଝେନ୍ତେ ନାହିଁ ! ଏହି କଥାକୁ ସେ ତାଙ୍କ କବିତାରେ କହିଛନ୍ତି-
‘ମେଁ ଜି ଭରଜିୟା, ମେଁ ମନ ସେ ମରୁଁ
ଲୌଟ୍କର ଆଉଙ୍ଗା, କୁଚ୍ ସେ୍ କ୍ୟୁଂ ଡରୁଁ ।’
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ, ଦୂରଭାଷ : ୯୯୩୮୩୪୪୧୩୮