ଭାରତୀୟ ସଂସ୍କୃତିରେ ଗୁରୁପୂଜା ଏକ ଅଭିନ୍ନ ଅଙ୍ଗ-ସ୍ୱାମୀ ବ୍ରହ୍ମାନନ୍ଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ବ୍ୟାସପୂର୍ଣ୍ଣିମା ଉପଲକ୍ଷେ ନିଗମ କଳ୍ପତରୁ ଆଶ୍ରମ ପକ୍ଷରୁ ଅନୁଷ୍ଠିତ ଗୁରୁପୂର୍ଣ୍ଣିମା ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଆଶ୍ରମର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ଭାରତୀୟ ସଂସ୍କୃତିରେ ଗୁରୁପୂଜା ଏକ ଅବିଚ୍ଛିନ୍ନ ଅଙ୍ଗ । ଆମର ହଜାର ହଜାର ବର୍ଷର ସଂସ୍କୃତିରେ ଶ୍ରୀ ନାରାୟଣଙ୍କ ଠାରୁ ଆରମ୍ଭ ହୋଇଥିବା ଗୁରୁ ପରମ୍ପରାରେ ଆମେ ବ୍ୟାସଦେବ ଓ ପରବର୍ତ୍ତୀ ସମୟରେ ଆଦିଶଙ୍କରାଚାର୍ଯ୍ୟଙ୍କୁ ଆଦିଗୁରୁ ଭାବେ ପୂଜା କରି ନିଜକୁ ଧନ୍ୟ ମନେ କରିଥାଉ ।ବିଶିଷ୍ଟ ବେଦବିତ୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଧର୍ମସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତବର୍ଷର ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମିଶ୍ର ଆମ ସଂସ୍କୃତିରେ ଗୁରୁଙ୍କୁ ଭଗବାନଙ୍କର ସ୍ଥାନ ଦିଆଯାଇ ଗୋବିନ୍ଦ ଭାବରେ ପୂଜା କରାଯାଏ ବୋଲି କହିଥିଲେ । ଭାରତୀୟ ସଂସ୍କୃତିରେ ଗୁରୁ କେବଳ ନିଜର ଶିଷ୍ୟର ମଙ୍ଗଳ କାମନା କରିନଥାନ୍ତି, ଗୁରୁ ସବୁବେଳେ ବିଶ୍ୱର କଲ୍ୟାଣ ପାଇଁ ଚିନ୍ତା କରନ୍ତି ।ମୁଖ୍ୟବକ୍ତା ଭାବରେ ଯୋଗଦେଇ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ମଣିଷ ଯେତେବେଳେ ଗୁରୁ ଆଶ୍ରିତ ହୋଇଯାଏ, ଗୁରୁଙ୍କର ସମସ୍ତ ଆଶୀର୍ବାଦର ସେ ଅଧିକାରୀ ହୋଇଥାଏ । ଯାହାଙ୍କୁ ଆମେ ଭଗବାନ ବୋଲି କହୁଛେ, ସେ ରାମଚନ୍ଦ୍ର ହୁଅନ୍ତୁ ବା କୃଷ୍ଣଚନ୍ଦ୍ର, ସେମାନେ ମଧ୍ୟ ଗୁରୁ ଆଶୀର୍ବାଦରେ ସମାଜରେ ନିଜର ପ୍ରତିଷ୍ଠା ଲାଭ କରିଛନ୍ତି । ଅନ୍ୟତମ ଅତିଥି କରମଳା ଆଶ୍ରମର ବାବା ମୁକୁନ୍ଦାନନ୍ଦ ଦାସ, ଅଧ୍ୟାପକ ବିଶ୍ୱରଞ୍ଜନ ଓ ଡାକ୍ତର ଦୀନବନ୍ଧୁ ମହାରଣା କହିଲେ ଯେ, ଗୁରୁଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଲେ ହିଁ ଗୁରୁ, ଶିଷ୍ୟକୁ ଏକ ଠିକଣା ଦିଗ୍‌ଦର୍ଶନ ଦେଇଥାନ୍ତି । କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଫେସର ପ୍ରଫୁଲ୍ଲ ରଥ, ପ୍ରଫେସର ଡଃ ଅଶୋକ କୁମାର ମିଶ୍ର ଓ ଡଃ ବଦ୍ରୀନାଥ ପଟ୍ଟନାୟକ କହିଲେ ଯେ, ଛାତ୍ର ଯୁବକମାନଙ୍କ ମଧ୍ୟରେ ଆମ ଐତିହ୍ୟ, ପରମ୍ପରା ବିଷୟରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି । ଉତ୍ସବର ପ୍ରାରମ୍ଭରେ ଆଶ୍ରମର ମୁଖ୍ୟ ପରିଚାଳକ ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟ ମହାରାଜ ସ୍ୱାଗତ ଭାଷଣ ଓ ଡଃ ମିହିର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଡଃ ମିହିର ପଟ୍ଟନାୟକଙ୍କ ଲିଖିତ ସତ୍ୟାୟନ ପୁସ୍ତକର ଉନ୍ମୋଚନ ହୋଇଥିଲା । ବିଶିଷ୍ଟ ସଙ୍ଗୀତଶିଳ୍ପୀ ଅନିନ୍ଦିତା ଦାସ ଶ୍ରୀଜଗନ୍ନାଥ ଭଜନ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୋଲିସ୍ ଆଇଜି ଅରୁଣ କୁମାର ଉପାଧ୍ୟାୟ, ଆଡ଼ଭୋକେଟ ବନ ମହାନ୍ତି, ପ୍ରଫେସର ଡଃ ସୁରେନ୍ଦ୍ର ମିଶ୍ର, ସଙ୍ଗୀତଜ୍ଞ ଚିତ୍ତରଞ୍ଜନ ପାଣି, ପୂର୍ବତନ ପୋଲିସ୍ ଅଧିକାରୀ ପ୍ରଦୀପ୍ତ କୁମାର ଜେନା, ଡଃ ତାରକ ପ୍ରସନ୍ନ ତ୍ରିପାଠୀ ଓ ଇଂ ସନ୍ତୋଷ ସ୍ୱାଇଁ ପ୍ରମୁଖ ଗୁରୁପୂର୍ଣ୍ଣିମାର ପବିତ୍ର ଉଦ୍ଦେଶ୍ୟରେ ଆଲୋକପାତ କରିଥିଲେ । ଆଶ୍ରମ ପକ୍ଷରୁ ଗୌରାଙ୍ଗ ଚରଣ ମହାପାତ୍ର, କିଶୋର କୁମାର ସାହୁ, ନିତ୍ୟାନନ୍ଦ ସାହୁ, ଦେବଦତ୍ତ ଭଞ୍ଜ, ଅଜୟ କୁମାର ପୃଷ୍ଟି ଓ କ୍ରାନ୍ତି କୁମାର ସାକ୍‌ସେନାଙ୍କୁ ବିଶିଷ୍ଟ ଅତିଥି ବିଜେପି ଦଳର ସଗଂଠନ ସମ୍ପାଦକ ମାନସ କୁମାର ମହାନ୍ତି ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ