ଭାରତୀୟ ସଂସ୍କୃତିରେ ଧର୍ମ ଓ ଆଧ୍ୟାତ୍ମିକତା ଉପରେ କେନ୍ଦ୍ରାପଡା କଲେଜରେ ଆଲୋଚନା ଚକ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର “ଭାରତୀୟ ସଂସ୍କୃତିରେ ଧର୍ମ ଓ ଆଧ୍ୟତ୍ମିକତା” ଉପରେ ଏକ ସଂପାନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ବେଦପାଠ ଓ ସମବେତ ସଂଗୀତ ପରିବେଷଣ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦଘାଟନ କରିଥିଲେ । ଦୈନିକ ‘ସମାଜ’ର ପ୍ରକାଶକ, ମୁଦ୍ରାକର ଏବଂ ଲୋକସେବକ ମଣ୍ଡଳର ଉପସଭାପତି ନିରଞ୍ଜନ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ଧର୍ମ ଓ ଆଧ୍ୟାତ୍ମିକତାକୁ ବାଖ୍ୟାକରି କହିଥିଲେ ଯେ ଆମ ଧର୍ମ ହେଉଛି ସନାତନ ଧର୍ମ । ଯାହା ଆମ ଆଚରଣରେ ପ୍ରକାଶିତ ହୋଇଥାଏ । ଭାବ ଓ ଭକ୍ତି ଆମ ସଂସ୍କୃତିର ମୂଳାଧାର । ଧର୍ମକୁ ଛାଡି ଆଧ୍ୟାତ୍ମିକତା ନାହିଁ କି ଆଧ୍ୟାତ୍ମିକତାକୁ ଛାଡି ଧର୍ମ ନାହିଁ । ଆମ ଆଚରଣ, ଉଚ୍ଚାରଣ, ସ୍ୱଭାବ ଓ ପ୍ରକୃତିରୁ ଆମ ସଂସ୍କୃତି ବାରି ହୋଇ ପଡେ । ଏହି ବିଚାରକୁ ଅଧିକ ବୋଧଗମ୍ୟ କରିବାକୁ ସେ ରାମକୃଷ୍ଣ ପରମହଂସ,ବାମାକ୍ଷେପା,ଶକୁନ୍ତଳା ଓ ଶୁକମୁନୀଙ୍କ ପ୍ରସଙ୍ଗ ଉଲ୍ଲେଖ କରିଥିଲେ । ପାଶ୍ଚାତ୍ୟ ସଂସ୍କୃତି ଯେଉଁଠି ସରିଛି ଭାରତୀୟ ସଂସ୍କୃତି ସେଇଠୁ ଆରମ୍ଭ ହୋଇଛି ବୋଲି ସୂଚନା ଦେଇ ଧର୍ମ ଆମ ସଂସ୍କୃତିର ଜୀବନ ଧାରଣର ଏକ ମାର୍ଗ ବୋଲି କହିଥିଲେ । ସେ ଡାଇଓଜିନିସ, ଆଲେକଜାଣ୍ଡାର, ଆରିଷ୍ଟୋଟଲ ଓ ପ୍ଲାଟୋଙ୍କ ଯୁକ୍ତିନିଷ୍ଠ ମଣିଷ ପ୍ରସଙ୍ଗ ଅବତାରଣା କରିଥିଲେ । କଲେଜ ଅଧ୍ୟକ୍ଷ ଡଃ. ତ୍ରିପାଠୀ ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂଯୋଜକ ପ୍ରାଧ୍ୟାପକ ତପନ କୁମାର ପତି ଅତିଥି ପରିଚୟ ପ୍ରଦାନ ସହ ବିଷୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କଲେଜ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ସଂପାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଆଲୋଚନାଚକ୍ରରେ ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ସେକ ସମସୁର, ସମସ୍ତ ବିଭାଗର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ମେଜର ମନୋରଞ୍ଜନ ମହାନ୍ତି, ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ, ଗୈାର ପ୍ରସାଦ ଷଡଙ୍ଗୀ, ସୋନାଲିକା ମହାନ୍ତି, ସୁବ୍ରତ କୁମାର ପାତ୍ର, ମନିଷାକାନ୍ତି ଜେନା, ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଲେଫଟନାଣ୍ଟ ସୀମା ମହାନ୍ତି ଏହାକୁ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ