ଭାରତ ଉପରେ ଦୋଷ ଲଦିଲା ଚୀନ୍

ବେଜିଂ: ଗତ ସୋମବାର ରାତିରେ ପୂର୍ବ ଲଦାଖ୍ ଅନ୍ତର୍ଗତ ଗଲଓ୍ବାନ୍ ଉପତ୍ୟକାରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି)ରେ ଭାରତ ଓ ଚୀନ୍ ଯବାନଙ୍କ ମଧ୍ୟରେ ମାରପିଟ୍ ହେବା ଫଳରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ। ଏହାଛଡ଼ା ଚୀନ୍ ଯବାନଙ୍କ ମଧ୍ୟରୁ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏନେଇ କିନ୍ତୁ ଚୀନ୍ ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ତେବେ ଉକ୍ତ ରାତିର ଅଘଟଣ ପାଇଁ ଚୀନ୍ ବରାବର ଭାରତ ଉପରେ ଦୋଷାରୋପ କରିଚାଲିଛି। ବୁଧବାର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି’ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଆଲୋଚନା ବେଳେ ଭାରତୀୟ ଯବାନମାନେ ପ୍ରଥମେ ଏଲ୍ଏସି ଅତିକ୍ରମ କରି ଚୀନ୍ ଯବାନଙ୍କୁ ଆକ୍ରମଣ କରିଥିଲେ ଓ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀମାନଙ୍କୁ ଦଣ୍ଡ ବିଧାନ କରିବାକୁ କହିଥିଲେ। ଗୁରୁବାର ମଧ୍ୟ ଚୀନ୍ ପକ୍ଷରୁ ସମାନ ଦୋଷାରୋପ ଦୋହରାଯାଇଛି। ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁ ଚୁନିଙ୍ଗ୍ ମଧ୍ୟ ଅଭିଯୋଗ କରିଛନ୍ତି ଯେ ସୋମବାର ରାତିରେ ପ୍ରଥମେ ଭାରତୀୟ ସେନା ଏଲ୍ଏସି ଅତିକ୍ରମ କରିବା ସହ ସେଠାରେ ମୁତୟନ ଥିବା ପିପଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଅଧିକାରୀ ଓ ଯବାନଙ୍କୁ ଆକ୍ରମଣ କରିଥିଲେ। ଏହାଛଡ଼ା ଭାରତୀୟ ଯବାନମାନେ ମଧ୍ୟ ପ୍ରଥମେ ମାରପିଟ୍ ଆରମ୍ଭ କରିଥିଲେ, ଯେଉଁଥିରେ ଚୀନ୍ ଯବାନ ଆହତ ହୋଇଥିବା ଚୁନିଙ୍ଗ୍ କହିଛନ୍ତି। ଏଥିସହ ଚୁନିଙ୍ଗ୍ ମଧ୍ୟ ଭାରତକୁ ଚେତାବନୀ ଦେବାକୁ ଭୁଲିନାହାନ୍ତି। ବର୍ତ୍ତମାନ ସମୟର ପରିସ୍ଥିତିକୁ ଭାରତ ଅଣଦେଖା କରିବା ଅନୁଚିତ ବୋଲି ଚୁନିଙ୍ଗ୍ କହିବା ସହ ଚୀନ୍ ନିଜର ପ୍ରାଦେଶିକ ଅଖଣ୍ଡତା ବଜାୟ ରଖିବା ପାଇଁ କିଛି ବି କରିପାରେ ବୋଲି ଟ୍ବିଟ୍ କରି କହିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସେନାର ଯବାନମାନେ ଚୁକ୍ତିର ଖିଲାପ କରି ଏଲ୍ଏସି ଅତିକ୍ରମ କରିବା ସହ ଉଦ୍ଦେଶ୍ୟମୂଳକ ଭାବେ ଚୀନ୍ ସେନାର ଯବାନଙ୍କୁ ଉସକାଇଥିଲେ। ଏହି କାରଣରୁ ଉଭୟ ପକ୍ଷର ସେନା ମଧ୍ୟରେ ମାରପିଟ୍ ଓ ଆକ୍ରମଣ-ପ୍ରତିଆକ୍ରମଣ ଘଟଣା ଘଟିଥିଲା ବୋଲି ଚୁନିଙ୍ଗ୍ କହିଛନ୍ତି। ସୂଚନାଯୋଗ୍ୟ ଯେ ଭାରତୀୟ ସେନାର ୨୦ ଜଣ ଯବାନ ଚୀନ୍ ସେନା ହାତରେ ଶହୀଦ ହୋଇଥିବା ବେଳେ ଗୁରୁବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଚୀନ ସେନାର ଏପରି ଆକ୍ରମଣ ଘଟଣା ସମସ୍ତଙ୍କୁ ବିବ୍ରତ କରିଛି ଓ ଏହା ଭାରତୀୟଙ୍କୁ ଗଭୀର ପୀଡ଼ା ଦେଇଛି ବୋଲି ରାଜନାଥ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି ଯେ ଏଲ୍ଏସିରେ ଭାରତୀୟ ଯବାନମାନେ ସେମାନଙ୍କ ଅଦମ୍ୟ ସାହସର ପରିଚୟ ଦେଇଛନ୍ତି ଓ ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଛନ୍ତି। ସେମାନଙ୍କ ଏହି ବଳିଦାନକୁ ଦେଶ କଦାପି ଭୁଲିବ ନାହିଁ କି ଏହା କଦାପି ବ୍ୟର୍ଥ ଯିବ ନାହିଁ ବୋଲି ରାଜନାଥ ଟ୍ବିଟରେ ଦର୍ଶାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ