ଭାରତ ଓ ଲକ୍ସେମ୍ବର୍ଗ ମଧ୍ୟରେ ସେବୀର ଦ୍ଵିପାକ୍ଷିକ ବୁଝାମଣା ସମ୍ବନ୍ଧ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେବୀ (ସିକ୍ୟୁରିଟି ଏଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ) ଓ Financial and Commission de Surveillance du Secteur Financier (ସିଏସଏସଏଫ) ମଧ୍ୟରେ ଦ୍ଵିପାକ୍ଷିକ ବୁଝାମଣାପତ୍ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ବୁଝାମଣାପତ୍ର ସ୍ଵାକ୍ଷର ହେଲେ ଦୁଇ ଦେଶ ମଧ୍ୟରେ ସିକ୍ୟୁରିଟି ବା ପ୍ରତିଭୂତି ନିୟନ୍ତ୍ରଣ ଏବଂ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବ । ଭାରତ ଓ ଲକ୍ସେମ୍ବର୍ଗ ମଧ୍ୟରେ ବଜାର ପ୍ରତିଭୂତି ଓ ନିୟନ୍ତ୍ରଣ ମଧ୍ୟ ବୃଦ୍ଧି ପାଇବ ।ସେବୀ ଭଳି ସିଏସଏସଏଫ ମଧ୍ୟ ଆନ୍ତର୍ଜାତିକ ପ୍ରତିଭୂତି ସଂଗଠନ କମିଶନ ସହ ଅନୁବନ୍ଧିତ ହୋଇଛି । ମାତ୍ର International Organization of Securities Commissions’ Multilateral MOU(ଆଇଓଏସସିଓ ଏମଏମଓୟୁ)ର ବୈଷୟିକ ସହାୟତାର କୌଣସି ସୁବିଧା ସୁଯୋଗ ନାହିଁ । ଏହି ପ୍ରସ୍ତାବିତ ବୁଝାମଣା ଯୋଗୁଁ ତଥ୍ୟ ବିନିମୟ ପଦ୍ଧତି ଦୁଇ ଦେଶ ମଧ୍ୟରେ ସୁଦୃଢ ହେବା ସହ ପ୍ରତିଭୂତି ଆଇନ ଓ ବିଭିନ୍ନ ବୈଷୟିକ ସହାୟତା କାର୍ୟ୍ୟକ୍ରମ ମଧ୍ୟ ସୁଗମ ହେବ । ଉଭୟ ଦେଶ ପୁଞ୍ଜିବଜାରରେ ନିଜର କାର୍ୟ୍ୟକଳାପ ବୃଦ୍ଧି ସହ ଏହାର କର୍ମଚାରୀମାନଙ୍କ ନିମନ୍ତେ ତାଲିମ କାର୍ୟ୍ୟକ୍ରମର ଆୟୋଜନ କରିପାରିବେ । ଭାରତର ପ୍ରତିଭୂତି ବଜାରକୁ ନିୟନ୍ତ୍ରଣ କରିବା ପାଇଁ ୧୯୯୨ରେ ପ୍ରତିଭୂତି ଏବଂ ଭାରତୀୟ ବିନିମୟ ବୋର୍ଡ ଅଧୀନରେ ସେବୀର ପ୍ରତିଷ୍ଠା କରାଯାଇଥିଲା । ପୁଞ୍ଜି ନିବେଶକାରୀଙ୍କ ସ୍ଵାର୍ଥ ରକ୍ଷା ତଥା ପ୍ରତିଭୂତି ବଜାରର ନିୟନ୍ତ୍ରଣ ଥିଲା ସେବୀର ମୂଳ ଲକ୍ଷ୍ୟ । ସେବୀର ମୁଖ୍ୟ କାର୍ୟ୍ୟଗୁଡିକ ମଧ୍ୟରେ ପଞ୍ଜୀକରଣ, ପ୍ରତିଭୂତି ବଜାରରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତିମାନଙ୍କ କାର୍ୟ୍ୟକଳାପର ନିୟନ୍ତ୍ରଣ, ଜାଲ ଓ ବେଆଇନ କାର୍ୟ୍ୟକଳାପ ରୋକିବା ଅନ୍ତର୍ଭୁକ୍ତ । ଦେଶ ଓ ଦେଶ ବାହାରେ ପ୍ରତିଭୂତି ବଜାରର କାର୍ୟ୍ୟକଳାପ ଉପରେ ସେବୀ ତୀକ୍ଷଣ ନଜର ରଖିଥାଏ । ଲକ୍ସେମ୍ବର୍ଗର ସିଏସଏସଏଫ ପ୍ରଶାସନିକ ଓ ଆର୍ଥିକ ସ୍ଵୟଂଶାସନ କ୍ଷମତା ସହ ୨୩ ଡିସେମ୍ବର ୧୯୯୮ରେ ପ୍ରତିଷ୍ଠା କରାଯାଇଥିଲା । ସମଗ୍ର ଲକ୍ସେମ୍ବର୍ଗର ବୀମା କ୍ଷେତ୍ର ବ୍ୟତୀତ ଆର୍ଥିକ ବ୍ୟାପାରକୁ ସିଏସଏସଏଫ ନିୟନ୍ତ୍ରଣ କରିଥାଏ । ଲକ୍ସେମ୍ବର୍ଗର ପ୍ରତିଭୂତି ବଜାର ଓ ଏହାର ଦେଖା ରଖା ନିମନ୍ତେ ଆଇନତଃ ସିଏସଏସଏଫର ଦାୟିତ୍ଵ ରହିଛି ।


