ଭାରତ ଚାହେଁ ଫାର୍ମାସୀ ୱାର୍ଲ୍ଡ. ୧୨୦ ଦେଶକୁ ପଠାଇଛୁ ମେଡିସନ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ନନ୍-ଆଲାଇଣ୍ଡ ମୁଭମେଣ୍ଟ (ନାମ) ସମିଟରେ ଭାଗନେଇ କୋରୋନା ମୁକାବିଲାରେ ଭାରତର ଭୂମିକା ସମ୍ପର୍କରେ ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣ ରଖି କହିଛନ୍ତି ଯେ ସାରା ବିଶ୍ବ ବିଗତ ଦଶନ୍ଧିରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଏହାକୁ ମିଳିତ ଭାବେ ମୁକାବିଲା ନ କଲେ ଆମେ ଆଗକୁ ବଢ଼ିବା ମୁସ୍କିଲ ବ୍ୟାପର ହୋଇପଡ଼ିବ। ଆଉ ଏଥିରେ ‘ନାମ’ ରାଷ୍ଟ୍ରସମୂହ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ ବୋଲି ସେ ଆଶା ରଖିଥିବା ମୋଦି କହିଛନ୍ତି।
ଭାରତୀୟ ସଭ୍ୟତା ସବୁବେଳେ ବିଶ୍ବକୁ ଗୋଟିଏ ପରିବାର ଭାବେ ଗ୍ରହଣ କରି ଆସିଛି। ଆମେ ଆମ ଦେଶର ଲୋକଙ୍କ କଥା ଯେପରି ଭାବେ ଦାୟିତ୍ବର ସହ ବୁଝୁଛୁ, ଠିକ୍ ସେହିପରି ବିଶ୍ବର ଅନ୍ୟ ରାଷ୍ଟ୍ରମାନଙ୍କ ନାଗରିକ ଭଲମନ୍ଦ ଚିନ୍ତା କରୁଛୁ। ଏଥିପାଇଁ ସାମ୍ପ୍ରତିକ ସ୍ଥିତିରେ ଭାରତ ଏକ ‘ଫାର୍ମାସୀ ୱାର୍ଲ୍ଡ’ ବ୍ୟବସ୍ଥା ଆପଣାଇବାକୁ ଚାହୁଁଛି। ଏହାଦ୍ବାରା ବିଶ୍ବର ସବୁ ରାଷ୍ଟ୍ର ଯେପରି ଉପକାର ପାଇ ପାରିବେ, ଏହି ଲକ୍ଷ୍ୟରେ ଭାରତ ସରକାର କୋରୋନା ମୁକାବିଲା ପାଇଁ ୧୨୦ ଦେଶକୁ ଔଷଧ ପଠାଇଛି।
ଏଥିସହ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନର ନାଁ ନ ନେଇ କହିଥିଲେ ଯେ ଆମେ କୋରୋନା ଭାଇରସ ବିରୋଧରେ ଲଢ଼େଇ କରୁଥିଲା ବେଳେ ଆଉ କେତେକ ରାଷ୍ଟ୍ର ଆତଙ୍କବାଦୀ ଭାଇରସ ପଠାଇ ଚାଲିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ଦେଶ ବିଭାଜନ ଓ ସାମ୍ପ୍ରଦାୟିକ ସଦଭାବ ନଷ୍ଟ କରିବା ପାଇଁ ରାତିଦିନ ଏକ କରି କାମ କରୁଛନ୍ତି ବୋଲି ମୋଦି ତାଚ୍ଛଲ୍ୟ କରି କହିଛନ୍ତି।


