“ଭାରତ’ ଛାଡ଼ିବା ପ୍ରିୟଙ୍କାଙ୍କୁ ମହଙ୍ଗା ପଡ଼ିଲା !
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ “ଦ ସ୍କାଏ ଇଜ୍ ପିଙ୍କ୍’ ବକ୍ସ ଅଫିସରେ ଖରାପ ପ୍ରଦର୍ଶନ କରିଛି । ୫୦ କୋଟି ବଜେଟ୍ର ନିର୍ମିତ ହୋଇଥିବା ଏହି ଫିଲ୍ମ ପ୍ରଥମ ତିନି ଦିନରେ କେବଳ ୧୦ କୋଟି ଟଙ୍କାର ବ୍ୟବସାୟ କରିଛି । ପ୍ରାୟ ସାଢ଼େ ତିନି ବର୍ଷ ପରେ ପିସି ଏହି ଫିଲ୍ମ ମାଧ୍ୟମରେ ବଲିଉଡକୁ ବ୍ୟାକ୍ କରିଥିବା ବେଳେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିପାରିନି ବୋଲି କୁହାଯାଉଛି ।
ହେଲେ ଏବେ ଖବର ଉଡ଼ୁଛି ଯେ ସେ ସଲମାନ୍ଙ୍କ “ଭାରତ’ ଫିଲ୍ମ ଛାଡ଼ି ନଥିଲେ ଏଭଳି ଅବସ୍ଥା ହୋଇ ନଥା’ନ୍ତା । “ଭାରତ’ ଛାଡ଼ିବା ଯୋଗୁ ସଲ୍ମାନ୍ଙ୍କ ଫ୍ୟାନମାନେ ପିସିଙ୍କ ଉପରେ କୁଆଡ଼େ ରାଗି ଯାଇଛନ୍ତି । ସେହିପରି ତାଙ୍କର ନିଜର ବହୁ ଫ୍ୟାନ୍ ମଧ୍ୟ ଏ ନିଷ୍ପତ୍ତିକୁ ପସନ୍ଦ କରି ନଥିଲେ । ଫ୍ୟାନ୍ ବେସ୍ ଦୁର୍ବଳ ହୋଇପଡ଼ବାରୁ ତାଙ୍କର ଏହି ଫିଲ୍ମ ଚାଲିଲା ନାହିଁ ବୋଲି କୁହାଯାଉଛି । ଫଳରେ ସାଢ଼େ ୩ ବର୍ଷ ପରେ ବଲିଉଡକୁ ତାଙ୍କର ଏକ ଦମ୍ଦାର୍ କମ୍ବ୍ୟାକ୍ ହୋଇପାରିଲା ନାହିଁ । ଆପଣମାନେ ତ ଜାଣିଥିବେ, “ଭାରତ’ରେ ଅଭିନୟ କରିବା ପାଇଁ ପ୍ରଥମେ ପ୍ରିୟଙ୍କା ହଁ ଭରିଥିଲେ । ହେଲେ ଅଚାନକ ସେ ଏଥିରୁ ଓହରି ଯାଇଥିଲେ । ଅବଶ୍ୟ ବିବାହ କରିବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଏ । କେବେ ପ୍ରକାଶ ନ କରିଥିଲେ ମଧ୍ୟ ସଲମାନ୍ କୁଆଡ଼େ ଏଥିପାଇଁ ତାଙ୍କ ଉପରେ ଭାରି କ୍ଷୁବ୍ଧ ହୋଇଥିଲେ । ଏପରିକି ନିକଟରେ ସେ ପ୍ରିୟଙ୍କାଙ୍କ ସହିତ ଏକ ଫିଲ୍ମ କରିବାକୁ ମନା ମଧ୍ୟ କରି ଦେଇଛନ୍ତି ।
ସୂଚନାଯୋଗ୍ୟ, ୩ ବର୍ଷ ତଳେ ପିସି ବଲିଉଡ୍ ଛାଡ଼ି ହଲିଉଡକୁ ଯାଇଥିଲେ । ସେବଠାରୁ ସେ ଲଗାତାର ଭାବେ ସେଠାରେ ହିଁ ରହି ଆସୁଛନ୍ତି । ଗତବର୍ଷ ସେ ଆମେରିକୀୟ ଗାୟକ ନିକ୍ ଜୋନାସଙ୍କୁ ବାହା ହୋଇଥିଲେ । ସଦ୍ୟ ଖବର ଅନୁଯାୟୀ, ହଲିଉଡ୍ ଫିଲ୍ମ “ଆଭେଞ୍ଜର: ଏଣ୍ଡଗେମ୍’ର ନିର୍ଦ୍ଦେଶକ ରୁସୋ ଭ୍ରାତା (ଆନ୍ଥାନି ରୁସୋ ଓ ଜା ରୁସୋ) ତାଙ୍କୁ ଏକ ଫିଲ୍ମରେ ନେବା ପାଇଁ କଥାବାର୍ତ୍ତା କରୁଛନ୍ତି ।


