ଭାରତ ପାଇଁ ୧ ବିଲିୟନ୍ ଡଲାର୍ ମଞ୍ଜୁର କଲା ବିଶ୍ବ ବ୍ୟାଙ୍କ୍

ୱାଶିଂଟନ୍: ଭାରତ ବର୍ତ୍ତମାନ ସମୟରେ ଘାତକ କୋରୋନା ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିଥିବା ବେଳେ ଏଥି ସକାଶେ ବିଶ୍ବ ବ୍ୟାଙ୍କ ପକ୍ଷରୁ ୧ ବିଲିୟନ୍ ଡଲାର ସହାୟତା ରାଶି ମଞ୍ଜୁର କରାଯାଇଛି। ଅଦ୍ୟାବଧି ଭାରତରେ କୋରୋନା ୫୬ ଜଣଙ୍କ ଜୀବନ ନେଇସାରିଥିବା ବେଳେ ୨୩ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ବିଶ୍ବ ବ୍ୟାଙ୍କ ପକ୍ଷରୁ ଭାରତ ସକାଶେ ଏମର୍ଜେନ୍ସି ଫଣ୍ଡ୍ ବାବଦରେ ୧ ବିଲିୟନ୍ ଡଲାର୍ ଘୋଷଣା କରାଯାଇଛି। ବିଶ୍ବ ବ୍ୟାଙ୍କ ପକ୍ଷରୁ ବିଶ୍ବର ୨୫ଟି ଦେଶ ପାଇଁ ୧.୯ ବିଲିୟନ୍ ଡଲାରର ସହାୟତା ଘୋଷଣା କରିଥିବା ବେଳେ ଏଥିରୁ ସିଂହଭାଗ ଭାରତ ସକାଶେ ମଞ୍ଜୁର ହୋଇଥିବା ସ୍ପଷ୍ଟ କରାଯାଇଛି। ଏହି ଅର୍ଥ ସହାୟତାରେ ଭାରତରେ କୋରୋନା ସଂକ୍ରାନ୍ତ ସେବା ଅଧିକ ସଫଳ ହୋଇପାରିବ।
ଭାରତ ସରକାର ସ୍କ୍ରିନିଂ ସହ ସଂକ୍ରମିତଙ୍କୁ ଠାବ କରିବା, ଅଧିକ ଲାବୋରେଟୋରି ବ୍ୟବସ୍ଥା କରିବା, ରୋଗୀଙ୍କ ସକାଶେ ସରଞ୍ଜାମ ଖରିଦ୍ କରିବା ଓ ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ କରିବାରେ ଏହି ଅର୍ଥ ବେଶ୍ ସହାୟକ ହୋଇପାରିବ ବୋଲି ବିଶ୍ବ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବିକାଶଶୀଳ ଦେଶ ସକାଶେ ଏମର୍ଜେନ୍ସି ଫଣ୍ଡ୍ ମଞ୍ଜୁର କରିବା ସକାଶେ ଆଗତ ଏକ ପ୍ରସ୍ତାବ ଉପରେ ବିଶ୍ବ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକମାନଙ୍କ ବୈଠକରେ ମୋହର ଲଗାଯାଇଛି। ଭାରତ ବ୍ୟତୀତ ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବିଶ୍ବ ବ୍ୟାଙ୍କ ପକ୍ଷରୁ ପାକିସ୍ତାନ ସକାଶେ ୨୦୦ ନିୟୁତ, ଆଫଗାନିସ୍ତାନ ପାଇଁ ୧୦୦ ନିୟୁତ, ମାଳଦ୍ବୀପ ପାଇଁ ୭.୩ ନିୟୁତ ଏବଂ ଶ୍ରୀଲଙ୍କା ପାଇଁ ୧୨୮.୬ ନିୟୁତ ଡଲାର୍ ଏମର୍ଜେନ୍ସି ଫଣ୍ଡକୁ ମଞ୍ଜୁରୀ ମିଳିଛି। କୋଭିଡ୍-୧୯ ଆକ୍ରାନ୍ତ ରୋଗୀଙ୍କୁ ତ୍ବରିତ ସେବା ଯୋଗାଇଦେବା ସକାଶେ ଏହି ଅର୍ଥରାଶି ମଞ୍ଜୁର କରାଯାଇଥିବା ବିଶ୍ବ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ