ଭାରତ ବନ୍ଦକୁ ସମାଜବାଦୀ ପାର୍ଟିର ସମର୍ଥନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ଆସନ୍ତା ୨୭ ତାରିଖ ସୋମବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଗତବର୍ଷ ପ୍ରଣୀତ ତିନୋଟି କଳା କୃଷି ଆଇନ୍ ବିରୁଦ୍ଧରେ ସଂଯୁକ୍ତ କିଷାନମୋର୍ଚ୍ଚା ଆହ୍ୱନରେ ଦିଆ ଯାଇଥିବା ‘ଭାରତ ବନ୍ଦ’ ଡ଼ାକରାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ ଏହି ବନ୍ଦକୁ ନିଜର ଦଳର ସମର୍ଥନ ଘୋଷଣା କରି କହିଛନ୍ତି ଯେ, ଦୀର୍ଘ ୧୦ ମାସ ହେଲା ଖରା, ବର୍ଷା, ଶୀତ ଓ କାକରରେ ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ନିଜର ଜିଦ୍ ଓ ଅହଙ୍କାର ଯୋଗୁ କୃଷକମାନଙ୍କ ସହିତ କଥାବାର୍ତ୍ତା ନକରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ତେଣୁ ବାଧ୍ୟ ହୋଇ କୃଷକମାନେ ଏହି ତିନୋଟି କଳା ଆଇନ ବାତିଲ ଦାବିରେ ଯେଉଁ ଭାରତ ବନ୍ଦ ଆହ୍ୱାନ ଦେଇଛନ୍ତି ତାହାକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ତୁରନ୍ତ ଏହି ଆଇନକୁ ବାତିଲ କରନ୍ତୁ । ସମସ୍ତ ବାମ ଗଣତାନ୍ତ୍ରିକ ରାଜନୈତିକ ଦଳ ୨୭ ତାରିଖ ଭାରତ ବନ୍ଦକୁ ସଫଳ କରିବା ପାଇଁ ଶ୍ରୀ ବେହେରା ସମସ୍ତଙ୍କୁ ନିବେଦନ କରିଛନ୍ତି ।


