ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ସ୍ୱାସ୍ଥ୍ୟ ସଚେତନତା ଶିବିର
ଭୁବନେଶ୍ୱର,(ଯୁଗାବ୍ଦ ନୁ୍ୟଜ୍) : ଭାରତ ବିକାଶ ପରିଷଦ, ବାଣୀବିହାର ଶାଖା ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ନିକଟସ୍ଥ ରତନପୁର ପଞ୍ଚାୟତର ତାଳଡ଼ିହି ଉପ୍ରା ବିଦ୍ୟାଳୟ ପରିସରରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଆଖାପାଖ ଗ୍ରାମମାନଙ୍କରୁ ବହୁ ସଂଖ୍ୟାରେ ଲୋକମାନେ ଯୋଗଦେଇ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ ହେବା ସହ ଅଭିଜ୍ଞ ଡ଼ାକ୍ତରମାନଙ୍କ ନିକଟରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ଔଷଧ ନେଇଯାଇଥିଲେ । ଭାରତ ବିକାଶ ପରିଷଦର ଉପଦେଷ୍ଟା ଳକ୍ଷ୍ମଣ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏବଂ ସଭାପତି ଲଡ଼ୁକେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ତଥା ସମ୍ପାଦକ ପ୍ରମଥେଶ ମହାନ୍ତିଙ୍କ ଉପସ୍ଥ୍ିତିରେ ଡ଼ାକ୍ତର ସେବା ମହାପାତ୍ର, ଡା. ପ୍ରଫୁଲ୍ଲ ମିଶ୍ର, ଡ଼ା. ଫନିନ୍ଦ୍ର ମୋହନ ପଟ୍ଟନାୟ. ଡା. ସଞ୍ଜୟ କୁମାର ମହାନ୍ତି, ଦନ୍ତରୋଗ ବିଶେଷଜ୍ଞ ଡା. ସସ୍ମିତା ସାହୁ ପ୍ରମୁଖ ଯୋଗଦେଇ ପ୍ରାୟ ୧୮୯ ଜଣ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଡା. ସସ୍ମିତା ସାହୁ ତାଙ୍କ ସହଯୋଗୀମାନଙ୍କ ସାହାଯ୍ୟରେ ପ୍ରାୟ ୩୫ଜଣ ବ୍ୟକ୍ତିଙ୍କର ଦାନ୍ତ ପରୀକ୍ଷା କରି ସଫା କରିବା ସହ କେତେକ ବ୍ୟକ୍ତିଙ୍କର ଦାନ୍ତ ଉପାଡ଼ି ଔଷଧ ପ୍ରଦାନ କରିଥିଲେ । ଫାର୍ମାସିଷ୍ଟ ସମରେନ୍ଦ୍ର ବିଶ୍ୱାଳ ଏକାକୀ ଔଷଧ ବିତରଣ କାର୍ଯ୍ୟ ସମ୍ଭାଳିଥିଲେ । ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁସାରେ ଡେ଼ଙ୍ଗୁ, ମ୍ୟାଲେରିଆ ପ୍ରମୁଖ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇ ପରିବେଶ ପରିସ୍କାର ପରିଚ୍ଛନ୍ନ ରଖିବାକୁ ତଥା ମଶାରୀ ଟାଙ୍ଗି ଶୋଇବାକୁ ପରାମର୍ଶ ଦିଆଯିବା ସହ ଗରିବ ଲୋକମାନଙ୍କ ମଧ୍ୟରେ ମଶାରୀ ବଣ୍ଟନ କରାଯାଇଥିଲା । ସ୍ଥାନୀୟ ‘ସତ୍ୟସାଇ ସେବା ସଂଗଠନ’ର ଅଶୋକ କୁମାର ସାହୁଙ୍କ ନେତୃତ୍ୱରେ ବହୁ ସ୍ୱେଚ୍ଛାସେବୀ ଏବଂ ତାଳଡ଼ିହ ଗ୍ରାମର ରଘୁନାଥ ଦେବ ପାଠାଗାରର ଯୁବକମାନେ ଏହି କାର୍ଯ୍ୟରେ ଆନ୍ତରିକତାର ସହ ସହଯୋଗ କରିଥିଲେ । ସମାଜସେବୀ ମନୋରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଏବଂ ସର୍ବଶ୍ରୀ ମୁରଲୀଧର ନାୟକ, ଗୌରାଙ୍ଗ ନାୟକ, ପ୍ରମୋଦ କୁମାର ପଟ୍ଟନାୟକ, ଶ୍ରୀମତୀ ବନଲତା ମହାନ୍ତି, କନକଲତା ପଟ୍ଟନାୟକ, ବବିତା ମହାନ୍ତି ଓ ବନ୍ଦନା ମହାନ୍ତି ପ୍ରମୁଖଙ୍କ ସକ୍ରି୍ରୟ ସହଯୋଗରେ ଶିବିରଟି ସଫଳତାର ସହ ସମାପନ ହୋଇଥିଲା ।