‘ଭାରତ ରକ୍ଷା ମଞ୍ଚ’ର ପ୍ରତିଷ୍ଠା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):‘ଭାରତ ରକ୍ଷା ମଞ୍ଚ’ର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବ ସ୍ଥାନୀୟ ଆତିଥ୍ୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଇନଟାକ ଓଡ଼ିଶା ଚାପ୍ଟର ସଭାପତି ସମାଜସେବୀ ଡ. ଅନୀଲ କୁମାର ଧୀର ଉଦଘାଟନ କରିବା ସହ ମଞ୍ଚର ସୁଦୂରପ୍ରସାରୀ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଦେଶ ଭିତରକୁ ଅନୁପ୍ରବେଶ ରୋକିବା ପାଇଁ ୧୮ ଗୋଟି ରାଜ୍ୟର ପ୍ରତିନିଧିଙ୍କୁ ନେଇ ୨୦୧୦ ପ୍ରତିଷ୍ଠା ହୋଇଥିବା ଏହି ମଞ୍ଚକୁ ଇତିମଧ୍ୟରେ ୧୩ ବର୍ଷ ବିତିଥିବା ସେ କହିଥିଲେ । ଭାରତ ରକ୍ଷା ମଞ୍ଚର ଦାବି ପରେ ଓଡ଼ିଶାରେ ୧୪ ଗୋଟି ସାମୁଦ୍ରକି ଥାନା ସ୍ଥାପନ କରାଯାଇଥିଲେ ବି ଅନୁପ୍ରବେଶ ରୋକିବା ଓ ସେମାନଙ୍କ ଦ୍ୱାରା ହେଉଥିବା ଅପରାଧିକ କାର୍ଯ୍ୟକଳାପ ବିରୋଧରେ ଅଦ୍ୟାବଧି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନାହିଁ । ବରଂ ଶତ୍ରୁରାଷ୍ଟ୍ରର ଗୋଇନ୍ଦା ସଂସ୍ଥା ସହ ଲିଙ୍କରେ ରହି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ କରି ଚାଲିଥିବା କିଛି ଅନୁପ୍ରବେଶକାରୀଙ୍କୁ ଜାତୀୟ ନିରାପତ୍ତା ସଂସ୍ଥା (ଏନଆଇଏ)ଠାବ ସହ ସେମାନଙ୍କୁ ଗିରଫ କରିପାରିଥିବା ଡ. ଧୀର ସୂଚନା ଦେଇଛନ୍ତି । ସେହିଭଳି ଓଡ଼ିଶାରୁ ବାଂଲାଦେଶକୁ ହେଉଥିବା ବେଆଇନ ଗୋ’ ଚାଲାଣ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇପାରି ନାହିଁ । ଏ ଦିଗରେ ସରକାର ଦୃଷ୍ଟି ଦେବା ଉଚିତ ବୋଲି ସେ ମତ ପ୍ରକାଶ କରିଛନ୍ତି । ମଞ୍ଚର ଜିଲା ସଭାପତି ରଜନୀକାନ୍ତ ଶତପଥୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହିତ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀତମ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସଂଗଠନ ମନ୍ତ୍ରୀ ସଂଜୟ ମହାପାତ୍ର, ମହାମନ୍ତ୍ରୀ ଆଲୋକ କୁମାର ପଣ୍ଡା ପ୍ରମୁଖ ଏଥିରେ ମଞ୍ଚାସୀନ ହୋଇ ଭାରତ ରକ୍ଷା ମଞ୍ଚର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ ।