ଭାରତ ରତ୍ନ ଅଟଳବିହାରୀ ଥିଲେ ବହୁ ବ୍ୟକ୍ତିତ୍ୱର ଅଧିକାରୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଜନନାୟକ, କବି, ସମ୍ପାଦକ, ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜୟନ୍ତୀ ଓ ପ୍ରଜ୍ଞାଦୀପ୍ତ କବି, ଲେଖକ ତଥା ସମାଜସେବୀ ସ୍ୱର୍ଗତ ସୁବାସ ଚନ୍ଦ୍ର ତ୍ରିପାଠୀଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ଚିନ୍ତାମଣିଶ୍ୱରସ୍ଥିତ ‘ମୁଗୁପୁର ସମାଚାର’ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ରଣଭୂଇଁ’ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା, ସମ୍ମାନିୟ ଅତିଥି ଭାବେ ଜନସେବକ ଫାଉଣ୍ଡେସନ୍ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ, ମୁଖ୍ୟବକ୍ତା ଭାବେ ଶିଭମ୍ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଶଶୀରେଖା ସାହୁ, ଯୋଗଦେଇ ମତବ୍ୟକ୍ତ କରିଥିଲେ ଯେ ଭାରତର ଗୌରବ, ଅଖଣ୍ଡତା ଓ ସୁଶାସନ ପାଇଁ ସ୍ୱର୍ଗତ ବାଜପେୟୀ ଚିରସ୍ମରଣୀୟ ହୋଇ ରହିବେ । ଏହା ସହିତ କବି, ଲେଖକ ତଥା ସମାଜସେବୀ ସ୍ୱର୍ଗତ ତ୍ରିପାଠୀ ସାମାଜିକ ନ୍ୟାୟ ସଂଗ୍ରାମୀ, ଗରିବ, ଅସହାୟ ତଥା ଗ୍ରାମାଞ୍ଚଳର ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟିତ ରହିବା ସହିତ ନିଜ କବିତା ମାଧ୍ୟମରେ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସର୍ବଦା ଚେଷ୍ଟିତ ଥିଲେ । ଦୁଇ ମହାନ୍ ବ୍ୟକ୍ତିଙ୍କ ଆଦର୍ଶରେ ଆଜିର ଯୁବପିଢ଼ି ଅନୁପ୍ରାଣିତ ହୁଅନ୍ତୁ ବୋଲି ଅତିଥିମାନେ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିଭମ୍ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଜନସେବକ ଫାଉଣ୍ଡେସନ୍ ଓ ମୁଗୁପୁର ସମାଚାର ସହଯୋଗ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ମୁଗୁପୁର ସମାଚାରର ସମ୍ପାଦକ ମଦନମୋହନ ପାଢ଼ୀ ଏବଂ ସଂଯୋଜନା କରିଥିଲେ ସହ-ସମ୍ପାଦକ ଓ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ।


