‘ଭାରତ ରତ୍ନ’ ପାଇବାକୁ ଯୋଗ୍ୟ ରବର୍ଟ : ବିଜେପି
ନୂଆଦିଲ୍ଲୀ(ଏଜେନ୍ସି): ରବର୍ଟ ଭଦ୍ରା ସତରେ ଜଣେ ଭଦ୍ର ଲୋକ । ସେ ଯାହାକିଛି ଦେଶରୁ ଲୁଟିଛନ୍ତି ସେସମ୍ପର୍କରେ ମାନିଯାଇଛନ୍ତି । ଏବେ ସେ ନିଜ ପାରିବାରିକ ପରମ୍ପରା ଅନୁସାରେ ଭାରତ ରତ୍ନ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି । ଇଡି ମାମଲାରୁ ମୁକ୍ତି ନପାଇବା ଯାଏ ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସିବେନି କିନ୍ତୁ ଦେଶବାସୀଙ୍କ ପାଇଁ ସେବା କରିବାକୁ ସେ କଦାପି ପଶ୍ଚାତ୍ପଦ ହେବେ ନାହିଁ । ଦେଶକୁ ଲୁଟି ବିଦେଶ ଫେରାର ହୋଇଯାଉଥିବା ଅନ୍ୟ ବ୍ୟବସାୟୀଙ୍କ ଭଳି ସେ ନୁହଁନ୍ତି, ବରଂ ସେ ଏହି ଦେଶରେ ରହି ତାଙ୍କ ବିରୋଧରେ ଆସିଥିବା ସବୁପ୍ରକାର ଅଭିଯୋଗ ଓ ତଦନ୍ତର ସାମ୍ନା କରିବେ । ଦିନକ ପୂର୍ବେ ଗଣମାଧ୍ୟମ ପ୍ରତିନିଧିଙ୍କ କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏମିତି ଏକ ମନ୍ତବ୍ୟ ଦେଇଥିଲେ ଗାନ୍ଧି ପରିବାରର ଜାମାତା ତଥା ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା ପ୍ରତିଷ୍ଠିତ ବିଜନେସ୍ ଟାଇକୁନ୍ ରବର୍ଟ ଭଦ୍ରା । ତାଙ୍କର ଏପ୍ରକାର ମନ୍ତବ୍ୟ ଉପରେ ଆଜି ବିଜେପି ପକ୍ଷରୁ ଏପ୍ରକାର କଟାକ୍ଷ କରାଯାଇଛି । ପ୍ରକାଶ ଯେ, ରବର୍ଟ ଭଦ୍ରା ସମ୍ପ୍ରତି ମନି ଲଣ୍ଡରିଂ ମାମଲାରେ ଇଡି ଜେରାର ସମ୍ମୁଖୀନ ହେଉଛନ୍ତି । ଇଡି ଅଧିକାରୀ ତାଙ୍କୁ ଲଣ୍ଡନରେ ଏବଂ ରାଜସ୍ଥାନରେ ଥିବା ତାଙ୍କର କିଛି ଆୟ ବର୍ହିଭୂତ ସ୍ଥାବର ସମ୍ପତ୍ତି ସମ୍ପତ୍ତି ଉପରେ ଜେରା କରୁଛନ୍ତି । ଇତି ମଧ୍ୟରେ ଦିଲ୍ଲୀ କୋର୍ଟ ରବର୍ଟଙ୍କ ଅନ୍ତରୀଣ ଜାମିନ୍କୁ ୧୯ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛନ୍ତି ।