ଭାରତ ସ୍କାଉଟ୍‌ସ୍ ଓ ଗାଇଡସ୍ ସଂଗଠନର ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ରାଜ୍ୟ ପରିଷଦ ବୈଠକ ତା୦୨.୦୯.୨୦୨୩ରିଖ ଦିନ ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ରାଜ୍ୟ ମୁଖ୍ୟାଳୟ ସଭାଗୃହରେ ଆୟୋଜିତ ହୋଇଥିଲା । ମାନ୍ୟବର ଖାଦ୍ୟଯୋଗାଣ ଓ ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ସଭାପତି ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମହିଳା କମିଶନର ଅଧ୍ୟକ୍ଷା ତଥା ଉପସଭାପତି ଡଃ. (ଶ୍ରୀମତୀ) ମିନତୀ ବେହେରା, ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ଶାରୀରିକ ଶିକ୍ଷା ନିରୀକ୍ଷକଙ୍କ ସମେତ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ରାଜ୍ୟପରିଷଦର ବହୁ ସଭ୍ୟ ସଭ୍ୟା ଯୋଗଦେଇଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ତାଙ୍କ ସ୍ୱାଗତ ଭାଷଣ ବିଗତ ଦିନମାନଙ୍କରେ ରାଜ୍ୟ ସଂସ୍ଥା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଷ୍ଠା ଲାଭ କରିଥିବାର ଅବତାରଣା କରି ସଦସ୍ୟମାନଙ୍କର ସକ୍ରିୟ ସହଯୋଗର ଉଚ୍ଚପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହାକୁ ଆହୁରି ଦୃଢ଼ୀଭୂତ କରିବା ପାଇଁ ଆଶା ବ୍ୟକ୍ତ କରିଥିଲେ । ପରେ ପରେ କାର୍ଯ୍ୟସୂଚୀ ଅନୁଯାୟୀ ଗତବର୍ଷର ଆୟ ବ୍ୟୟର ଅଟକଳ ପରିଷଦ ଦ୍ୱାରା ଅନୁମୋଦନ ଲାଭ କରିଥିଲା । ଏତଦ୍‌ବ୍ୟତୀତ ବିଭିନ୍ନ କମିଟି ତଥା କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ଆଗତପ୍ରସ୍ତାବ ଗୁଡିକ ବିଷୟରେ ସବିଶେଷ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଅନୁମୋଦିତ ହୋଇଥିଲା । ବିଭିନ୍ନ ଜିଲ୍ଲାରେ ଗଛ ଲଗାଇ ପରିବେଶକୁ ସୁନ୍ଦର କରିଥିବାରୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାୟକଙ୍କ ଦ୍ୱାରା ୪ ଗୋଟି ଜିଲ୍ଲା ଏବଂ ୯ ଗୋଟି ବିଦ୍ୟାଳୟକୁ “ପରିବେଶ ବନ୍ଧୁ” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀଯୁକ୍ତ ନାୟକ କାର୍ଯ୍ୟାଳୟ ପରିସରରେ ଥିବା ଗ୍ୟାଲେରୀର ନବୀକରଣ ଲାଗି ଯଥାଶିଘ୍ର ପଦକ୍ଷେପର ସମ୍ମତି ଦେଇଥିଲେ । ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନଙ୍କର ପ୍ରସ୍ତାବ ପରେ ସରକାରୀ ଅନୁଦାନ ଓ ପିଲାମାନଙ୍କୁ ମାଗଣା ପୋଷାକ ପ୍ରଦାନ ବିଷୟରେ ଆଲୋଚନା କରିବାର ପ୍ରତିଶ୍ରୁତି ଦେଇଥିଲେ । ପରିଶେଷରେ ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ