ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ଅଳ୍ପକେବର୍ତ୍ତିଲେ ୨କର୍ମଚାରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ମାଣ୍ଡିମେରା ବୁଲାଣୀ ରାସ୍ତାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଚାଳକ ସମେତ ୨ଜଣ ଆହତ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ରାୟଗଡ ଜିଲ୍ଲା ଜେକେପୁରର ଚାଳକ ବସନ୍ତ ତାଣ୍ଡି ଆମ୍ବୁଲାନ୍ସ ଚଳାଇ ଭୁବନେଶ୍ୱର ଯାଇ ପୁଣି ରାୟଗଡ ଜିଲ୍ଲାକୁ ଫେରୁଥିଲେ । ତେବେ ମାଣ୍ଡିମେରା ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ କୌଣସିକାରଣରୁ ଚକାଫାଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଫଳରେ ଆମ୍ବୁଲାନ୍ସରେ ବସିଥିବା ଅନ୍ୟ ଜଣେ କର୍ମୀଙ୍କ ସହ ଚାଳକ ବସନ୍ତ ତାଣ୍ଡି ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ନଳାଘାଟ ଫାଣ୍ଡି ପୋଲିସ ଖବର ପାଇ ତୁରନ୍ତ ଦୁର୍ଘଟଣା ସ୍ଥଳକୁ ଯାଇ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ନିକଟସ୍ଥ ବିରିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଚିକିତ୍ସାପରେ ଉଭୟଙ୍କୁ ନିଜ ନିଜ ଗ୍ରାମ ଅଭିମୁଖେ ପଠାଇ ଦିଆଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସଟିକୁ ଜବତ କରି ନଳାଘାଟ ଫାଣ୍ଡିରେ ରଖାଯାଇଥିବାର ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।


