ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ହେଲପର ମୃତ
ଯୋଡ଼ା (ଯୁଗାଦ୍ଦ ନ୍ୟୁଜ) କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ନଂ ୨ ର ଡିବି ସିଂ ଛକ ନିକଟସ୍ଥ ରାସ୍ତାରେ ଏକ ୧୨ ଚକିଆ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଟ୍ରକ ତଳେ ଚାପି ହୋଇ ହେଲପରର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ଗୁରୁବାର ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ୧୨ ଚକିଆ ଟ୍ରକ ନଂ ଓଡି୦୯ଏ ୪୧୪୯ ରଣାଶାଳ ଘାଟି ଆଡୁ ଯୋଡା ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଉକ୍ତ ଛକ ନିକଟରେ ରାସ୍ତାର ପ୍ରାୟ ୧୦ ଫୁଟ୍ ତଳକୁ ଖସି ପଡିଥିଲା । ଫଳରେ ଟ୍ରକର ହେଲପର ବିକୁ ନାଏକ(୧୮) ଟ୍ରକ ତଳେ ଚାପି ହୋଇଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ଏବଂ ଟ୍ରକର ଡ୍ରାଇଭର ଧରଣୀଧର ନାଏକ ଆହତ ହୋଇଥିଲେ । ତାଙ୍କୁ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତି କରାଯାଇଛି । ଖବରପାଇ ଯୋଡା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହନଚି ଓଲଟି ପଡିଥିବା ଟ୍ରକକୁ କ୍ରେନ ସାହାଯ୍ୟରେ ଉଠାଇ ହେଲପର ବିକୁ ନାଏକଙ୍କ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଡାକ୍ତରଖାନା ପଠାଇଥିଲେ । ମୃତ ହେଲପର ବିକୁ ନାଏକ ଏବଂ ଡ୍ରାଇଭର ଧରଣୀଧର ନାଏକଙ୍କ ଘର ମୟୁରଭଂଜ ଜିଲା କେରେକେରା ଅଂଚଳରେ ବୋଲି ଜଣାପଡିଛି ।