ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଜଣେ ମୃତ, ୩ ଗୁରୁତର
ଯୋଡ଼ା ,(ଯୁଗାଦ୍ଦ ନ୍ୟୁଜ) : କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗ୍ରାମରେ ଧାନ ବୋଝେଇ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡିଛି । ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତିଙ୍କ ସୂଚନାନୁଯାୟୀ ଜଣାପଡିଛି ଯେ, ରବିବାର ରାତି ପ୍ରାୟ ୧୧.୩୦ ମିନିଟ ସମୟରେ ଟ୍ରାକ୍ଟର ନଂ ଓଆର୦୯ ଏଲ୍ ୧୨୭୮ ତଥା ଡାଲା ନଂ ଓଆର୦୯ ଏଲ୍ ୧୨୭୯ରେ ବିଲରୁ ଧାନ ବୋଝେଇ କରି ଘରକୁ ନେଉଥିବା ବେଳେ ରାସ୍ତାରେ ଥିବା ଏକ ନାଳ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ସେଥିରେ ବସିଥିବା କନକନା ଗ୍ରାମର ସମରା ମୁଣ୍ଡା, ମହିଳା ଫୁଲମଣୀ ମୁଣ୍ଡା ଓ ତାଙ୍କ ପୁଅ ଜାପାନ ମୁଣ୍ଡା ଓ ରାମଚନ୍ଦ୍ରପୁର ଗ୍ରାମର ଶକୁନ୍ତଳା ମହାନ୍ତ ଟ୍ରାକ୍ଟର ତଳେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଝୁମ୍ପୁରା ଡାକ୍ତରଖାନାକୁ ନିଆଯାଉଥିବା ବେଳେ ରାସ୍ତାରେ ଫୁଲମଣୀ ମୁଣ୍ଡା(୪୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତଙ୍କୁ ଚିକିôତ୍ସା ପାଇଁ ଝୁମ୍ପୁରା ଡାକ୍ତରଖାନାରେ ଭର୍ତି କରାଯାଇଥିବା ପୋଲିସ ସୂଚନା ଦେଇଛି । ଏନେଇ ସୋମବାର ସକାଳେ ମୃତ ଫୁଲମଣୀ ମୁଣ୍ଡାଙ୍କ ପୁଅ ମାନସିଂ ମୁଣ୍ଡା ବାମେବାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେଶ ନଂ ୧୬୫/୨୦୧୯ରୁଜୁ କରି ଟ୍ରାକ୍ଟରଟିକୁ ଜବତ କରିବା ସହିତ ଶବବ୍ୟବଛେଦ ପାଇଁ ଡାକ୍ତରଖାନା ପଠାଇଥିବା ପୋଲିସ ସୂଚନା ଦେଇଛି । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।