ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ ୨ ଜଣଙ୍କ ମୃତ୍ୟୁ : ଜଣେ ଗୁରୁତର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ୫୯ ନଂ. ଜାତୀୟ ରାଜପଥ ସୁଲୁମାହା ଘାଟି ନିକଟରେ ଏକ ଗଛରେ ବାଇକ୍ ପିଟି ହେବାରୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦ୍ୱୟ ଉକ୍ତ ଥାନା ସାଲେଜୁ ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ସାଲୁ (୧୮) ଏବଂ ଅଜିତ ପ୍ରଧାନଙ୍କ ପୁଅ ଅମିପ (୨୧) ବୋଲି ତଦନ୍ତକାରୀ ଅଧିକାରୀ ଜିତେନ୍ଦ୍ର ବେହରା ପ୍ରକାଶ କରିଛନ୍ତି l ସେହିପରି ଏଥିରେ ଉକ୍ତ ଗ୍ରାମର ମଦଡ଼ା ପ୍ରଧାନଙ୍କ ପୁଅ ରିଣ୍ଟୁ(୨୧) ଗୁରୁତର ହୋଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ୨ ମୃତଦେହ ଜବତ କରିଛି । ପ୍ରକାଶ ଯେ, ସାଲେଜୁ ଗ୍ରାମର ସାଲୁ, ଅମିପ ଏବଂ ରିଣ୍ଟୁ ଏକ ବାଇକ୍ ନଂ (ଓଡି-୩୩ ଏ ୫୭୭୬)ରେ ଦାରିଙ୍ଗବାଡ଼ିରୁ ବୁଧବାର ଅପରାହ୍ନରେ ନିଜ ଗ୍ରାମ ସାଲେଜୁକୁ ଫେରୁଥିଲେ । ଏହି ସମୟରେ ଦ୍ରୁତଗତିରେ ଥିବା ବାଇକ୍ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟିଥିଲା। ସ୍ଥାନୀୟ ଲୋକ ଦୁର୍ଘଟଣାରେ ଶିକାର ହୋଇଥିବା ୩ ଜଣଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି ।


