ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ରାଇରଙ୍ଗପୁର, ( ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ ଥାନା ଅନ୍ତର୍ଗତ ତଲକ ପଞ୍ଚାୟତର ବୁଢିଝରଣ ଗାଁ ନିକଟସ୍ଥ ଲଖଣ ଡୁଙ୍ଗୁରିରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ବୁଢ଼ୀ ଝରଣା ଗାଁ ର ସ୍ବର୍ଗତ ବାସୁ ଦେହୂରୀର ୨୫ ବର୍ଷୀୟ ପୁଅ କାନ୍ଦ୍ରା ଦେହୂରୀ ଏକୁଟିଆ ରବିବାର ସକାଳେ ଗାଁ ନିକଟସ୍ଥ ଅଧା କିମି ଦୂରରେ ଥିବା ଜଙ୍ଗଲ ଲଖଣ ଡୁଙ୍ଗୁରିକୁ ଏକ ଉଈ ହୁଙ୍କାରେ କଲେଇ ପୋକ ସଂଗ୍ରହ କରିବାକୁ ଯାଇଥିଲା । ସେଠାରେ କଲେଇ ପୋକ ସଂଗ୍ରହ କରୁଥିବା ବେଳେ ଦୁଇଟି ଭାଲୁ ଆସି ଆକ୍ରମଣ କରିଥିଲେ ।ତା’ର ଗୋଡ,ହାତ,ପେଟ,ଜଙ୍ଘ ଆମ୍ପୁଡି ରକ୍ତାକ୍ତ କରି ପକାଇଥିଲେ । ଯେତେବେଳେ କାନ୍ଦ୍ରାରର ଚେତା ବୁଡିଗଲା ସେତେବେଳେ ଭାଲୁ ଦୁଇଟି ଛାଡି ପଳାଇଥିଲେ ।ଘରକୁ କାନ୍ଦ୍ରା ଫେରିବା ବିଳମ୍ବ ନେଇ ତା’ର ମିଶ୍ର ଓ ଗାଁ ପିଲା ଜଙ୍ଗଲ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାକୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।ବନ ବିଭାଗ କର୍ମଚାରୀ ୫୦୦ ଟଙ୍କା ଦେଇ ତାଙ୍କର ଦାୟିତ୍ଵନିଭାଇ ପଳାଇଛନ୍ତି ।ଘରେ ମା’ପୁଅ ଦୁଇଜଣ ଅଛନ୍ତି ।ପୁଅ ଏକମାତ୍ର ରୋଜଗାରିଆ । କାମକୁ ଗଲେ ପଇସା ଆଣିଲେ ଘର ଚଳେ ।ସେ ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦା ଡାକ୍ତରଖାନାକୁ ତୁରନ୍ତ ପଠାଯିବା ଦରକାର ବୋଲି କାନ୍ଦ୍ରାର ମା ଗଣମାଧ୍ୟମକୁ କାନ୍ଦି କାନ୍ଦି କହୁଥିଲା ।ଅର୍ଥ ସାଜିଛି ବାଧକ ।ଅର୍ଥ ନ ଥିବାରୁ ବାହାରକୁ ଚିକିତ୍ସା କରାଇବା ପାଇଁ ଅସମର୍ଥ । ଏବେ ଚଳିବେ କେମିତି? ସରକାରୀ ସହାୟତା ପାଇଁ ସେ ସରକାରଙ୍କୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।ପୁଅ ଜୀବନ ସହିତ ସଂଘର୍ଷ କରୁଥୂବା ବେଳେ ମା’ଚିନ୍ତାରେ ଭାଙ୍ଗି ପଡିଛନ୍ତି ।