ଭାଲୁ କାମୁଡାରେ ଯୁବ ଚାଷୀ ଗୁରୁତର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅଧିନସ୍ଥ ବିଶୋଇ ରେଞ୍ଜ ଅନ୍ତର୍ଗତ ଖଡମବେଡା ପଞ୍ଚାୟତର ଦୁଆରଶୁଣୀ ଗାଁର କୁଙ୍ଗଲଡିହି ସାହିର ୨୪ ବର୍ଷୀୟ ଯୁବ ଚାଷୀ ସମଲ ମୁଣ୍ଡା ଭୋର ୬.୩୦ ଟା ସମୟ ପାଖାପାଖି ରେ ନିଜ ବିଲ ଆଡ଼କୁ ଚାଷ କାମରେ ଚାଲି ଚାଲି ଯାଉଥିଲା । ଘର ପାଖରୁ ଅଧା କିମି ଦୂର ରାସ୍ତାକଡ ଜଙ୍ଗଲ ଆଡୁ ହଠାତ୍ ଏକ ମାଈ ଭାଲୁ ୪ଟି କୁନି ଛୁଆଙ୍କୁ ଧରି ଯାଉଥିବା ସମୟରେ ସାମନା ସାମନି ହୋଇଯାଇଥିଲେ ।ଭାଲୁଟି ସଙ୍ଗେ ସଙ୍ଗେ ସମଲ କୁ ଆକ୍ରମଣ କରିଥିଲା ।ସମଲ ମଧ୍ୟ ଭାଲୁ ସହିତ ଜୀବନ ରକ୍ଷା ପାଇଁ ଲଢିଥିଲା ଦିର୍ଘ ୫ ମିନିଟ୍ ଧରି ଭାଲୁ ସମଲର ହାତ,ଜଙ୍ଘ କାମୁଡି,ରାମ୍ପୁଡି ରକ୍ତାକ୍ତ କରି ନିଜର ୪ଟି ଛୁଆଙ୍କୁ ଧରି ଜଙ୍ଗଲ ଭିତରକୁ ପଳାଇଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଯାଇଥିଲା ।ପରେ ବିଶୋଇ ବନ ବିଭାଗ କର୍ମଚାରୀ ଆସି ପହଞ୍ଚି ଯୁବ ଚାଷୀର ହାଲଚାଲ ବୁଝିଥିଲେ ।ସମଲର ସମସ୍ତ ଚିକିତ୍ସା ଖର୍ଚ୍ଚ ସହ ଆବଶ୍ଯକୀୟ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।


