ଭାଷାବିଦ୍ୱେଷୀ ମାନସିକତାକୁ ଦୃଢ଼ ବିରୋଧ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସର୍ବଦା ଗୁରୁତ୍ୱ ଦିଆଯିବା କଥା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର କହିଥାନ୍ତି । ମାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ସମ୍ପାନର ବିଜ୍ଞାପନର ଭାଷା କ’ଣ? ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବଙ୍କ ଭାଷାବିଦ୍ୱେଷୀ ମାନସିକତାକୁ ଦୃଢ଼ ଭାବରେ ବିରୋଧ କରିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ ଓଡ଼ିଶା ନାଗରିକ ମହାମଞ୍ଚ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ । ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବିଦ୍ୟାର୍ଥୀମାନେ ଭାଷା ହତ୍ୟା ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । କୁଳାଧିପତି, ରାଜ୍ୟପାଳ ତଥା ଉଚ୍ଚ ଶିକ୍ଷା ବିଭାଗର ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଭାଷା ବିଦ୍ୱେଶୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ସଂପ୍ରତି ଜଣେ ଅତୁଳନୀୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରାଣ ପ୍ରଜ୍ଞାପ୍ରାଣ ପ୍ରାଚାର୍ଯ୍ୟ, ଯିଏ ମଧ୍ୟ ବିଭାଗୀୟ ମୁଖ୍ୟ ତାଙ୍କୁ ଅଣଦେଖା କରାଯାଇ ଅପମାନିତ କରିବାକୁ ଇଂରେଜୀ ଭାଷା ମନସ୍କ ଗୁମାସ୍ତାମାନେ ବିଧିବଦ୍ଧ ଚକ୍ରାନ୍ତିଆ ଯୋଜନା ସ୍ୱରୂପ ଇଂରାଜୀ ଫଳକମାନ ବିଶ୍ୱବିଦ୍ୟାଳୟ ସମ୍ପାନରେ ଲଗାଇଛନ୍ତି । ସିବିଏସି ଦଶମ ଶ୍ରେଣୀ ଓଡ଼ିଆ ପରୀକ୍ଷାରେ ଓଡ଼ିଆ ଭାଷାପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଇଥିବା ନିଜରକୁ ଆସିଥିଲା । ଯଦି ସରକାର ଏଭଳି ଭାଷା ବିଦ୍ରୋହୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଭାଷା ଆନ୍ଦୋଳନର ସଭାପତି, ଓଡ଼ିଶା ନାଗରିକ ମହାମଂଚ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଏକ ପ୍ରେ୍ସ୍ ବାର୍ତ୍ତା ମାଧ୍ୟମରେ ଚେତାବନୀ ଦେଇଛନ୍ତି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।