ଭିଆଇପି ସଂସ୍କୃତି
ଏହା ନିସନ୍ଦେହ ଯେ, କ୍ଷମତା ଓ ଅର୍ଥ ସମସ୍ତ ସୁବିଧା ସୁଯୋଗ ଆଣିଦିଏ, ଯାହାକୁ ଭିଆଇପି ସଂସ୍କୃତି ବୋଲି କୁହାଯାଉଛି । ଆମ ଦେଶରେ ଭିଆଇପି ସଂସ୍କୃତିର ମନୋଭାବ ଏଭଳି ଅସ୍ଥିମଜା ଗତ ହୋଇଯାଇଛି ଯେ, ଯାହାକୁ ସହଜରେ ଛାଡିବା ସହଜସାଧ୍ୟ ନୁହେଁ । କେବଳ ଏତିକି ନୁହେଁ ଭାରତୀୟ ଜୀବନଧାରାର ପ୍ରତ୍ୟେକ କ୍ଷେତ୍ରରେ ଏହି ଭିଆଇପି ସଂସ୍କୃତି ସୁରକ୍ଷିତ ସ୍ଥଳରେ ପରିଣତ ହୋଇଛି । ବିଶେଷ କରି କ୍ଷମତାସୀନ ରାଜନେତା ତଥା ବିଧାୟକ, ସାଂସଦ, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି, ଉଦ୍ୟୋଗପତି, ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ପର୍ଯ୍ୟନ୍ତ ଭିଆଇପି ସଂସ୍କୃତିରେ ଜନଗହଳି ଠାରୁ ନିଜକୁ ଦୂରେଇ ରଖିଥାନ୍ତି । ସେହିପରି ହସ୍ପିଟାଲ୍, ଶିକ୍ଷାନୁଷ୍ଠାନରେ ପିଲାମାନଙ୍କ ଶିକ୍ଷା ନିମନ୍ତେ ସ୍ୱତନ୍ତ୍ର ସୁବିଧା ସୁଯୋଗ, ଧାର୍ମିକପୀଠରେ ପ୍ରବେଶ କ୍ଷେତ୍ରରେ ସ୍ୱତନ୍ତ୍ର ପ୍ରବେଶ, ଜନଗହଳି ରାଜରାସ୍ତାରେ କଡା ସୁରକ୍ଷା ବଳୟ ବ୍ୟାରିକେଟ ମଧ୍ୟରେ ଯାତାୟତ କରିବା ସୁବିଧା ସୁଯୋଗ ପାଇଥାନ୍ତି । ସେହିପରି କ୍ରିକେଟ ମ୍ୟାଚ୍ ହେଉ କି କୌଣସି ଅବସର ବିନୋଦନ ଇଭେଂଟ ହେଉ କିମ୍ବା ଥାନା ହେଉ କି ଜେଲ ହେଉ ସବୁଠାରେ ସ୍ୱତନ୍ତ୍ର ସୁବିଧା ସୁଯୋଗ ଏମାନଙ୍କୁ ମିଳେ । ଭାରତୀୟ ସମାଜରେ ଏହି ଭିଆଇପି ସଂସ୍କୃତିର ବାଚବିଚାର ଦୃଢ ଭାବେ ବସା ବାନ୍ଧି ରହିଛି । ଯେଉଁଥିପାଇଁ ସାଧାରଣ ଜନତା ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବା ସାର ହୋଇଥାଏ । ଉଲ୍ଳେଖଯୋଗ୍ୟ ଯେ ପ୍ରୟାଗରାଜ ଠାରେ ଏବେ ଚାଲିଥିବା ମହାକୁମ୍ଭ ମେଳାରେ ନିକଟରେ ଭିଆଇପିମାନଙ୍କ ସ୍ୱତନ୍ତ୍ର ପ୍ରବେଶ ଯୋଗୁଁ ସାଧାରଣ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସମ୍ଭାଳ ଠେଲାପେଲାରେ ୩୦ ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ୭୦ରୁ ଉର୍ଦ୍ଧ୍ୱ ଲୋକ ଗୁରୁତ୍ୱର ଭାବେ ଆହତ ହୋଇ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି । ୧୯୮୬ ମସିହାରେ ହରିଦ୍ୱାରରେ ଅନୁଷ୍ଠିତ କୁମ୍ଭମେଳାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭିଆଇପିମାନଙ୍କ ସହ ସ୍ୱତନ୍ତ୍ର ବଳୟ ମଧ୍ୟରେ ପ୍ରବେଶ କରିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା, ଦଳଚକଟାରେ ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ଜୀବନ ଯାଇଥିଲା । ଏବେ ଭିଆଇପିମାନଙ୍କ ଯାତାୟତ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜପଥ ମାର୍ଗକୁ ଜନଶୂନ୍ୟ କରାଯିବା, ଭିଆଇପିମାନଙ୍କ ମନ୍ଦିର ହେଉ କି ପର୍ଯ୍ୟଟନ ସ୍ଥଳରେ ପ୍ରବେଶ ସମୟରେ ସାଧାରଣ ଲୋକଙ୍କୁ ବାରଣ କରାଯିବା ଯୋଗୁଁ ଲୋକେ ହିନସ୍ତା ହେଉଛନ୍ତି । ଯାହାକି ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଛି । କହିବା ବାହୁଲ୍ୟ ଯେ, ଲୋକାଲ କିର-କ୍ଲେସ’ ନାମରେ ନିକଟରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଭିଆଇପି ସଂସ୍କୃତି ଏବେ ବିସ୍ତାରିତ ଯେ ପ୍ରତି ୩ଜଣରେ ଦୁଇଜଣ ଏହି ବର୍ଗର । ଦେଶରେ ୩୬୨ଟି ଜିଲ୍ଲାରେ ୮୮୮୧ଙ୍କୁ କରିଥିବା ସର୍ଭେରେ ୪୬ ପ୍ରତିଶତ ପ୍ରକାଶ କରିଛନ୍ତି ଯେ, ଭିଆଇପି ସଂସ୍କୃତି ଗଲା ୩ବର୍ଷ ଧରି ଅକ୍ଷୁର୍ଣ୍ଣ ରହିଛି । ସେହିପରି ୧୪ପ୍ରତିଶତଙ୍କ ମତରେ ଦେଶରେ ଭିଆଇିପ ସଂସ୍କୃତି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହା ନିସନ୍ଦେହ ଯେ, ଆମ ଦେଶରେ ଭିଆଇପିଙ୍କ ସଂଖ୍ୟା ବଢିଚାଲିଛି । ଏହି ବର୍ଗରେ ନେତା, ବିଚାରପତି, ସେନା ବା ପୋଲିସର ପଦସ୍ଥ ଅଧିକାରୀ, ପଦସ୍ଥା ସରକାରୀ ବାବୁ ଥିବାବେଳେ ଅଭିନେତା, ଅଭିନେତ୍ରୀ, କ୍ରୀଡାବିତ ଏବେ ଏହି ବର୍ଗରେ ସାମିଲ ହୋଇଛନ୍ତି । ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ପାଇଥାନ୍ତି । ତେଣୁ ଭିଆଇପିଙ୍କ ସଂଖ୍ୟା ବଢିବା ସ୍ୱାଭାବିକ । ତେବେ ଦେଶରେ ଭିଆଇପି ସଂସ୍କୃତି ହ୍ରାସ ପାଇଁ ଇତି ମଧ୍ୟରେ ସୁପ୍ରିମକୋର୍ଟ କେତେକ ଗୁରୁତପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ୨୦୧୭ରେ ସର୍ବୋଚ୍ଚ ଅଦାଲତ ଏକ ଐତିହାସିକ ରାୟରେ ‘ଲାଲବତୀ ରାଜ’ରେ ଉଚ୍ଛେଦ କରିଥିବାବେଳେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଭିଆଇପିଙ୍କ ଗାଡିରେ ଜାତୀୟ ପତାକା ଉଡାଣକୁ ରଦ୍ଦ କରିଦେଇଥିଲେ । ଏବେ ମନ୍ଦିରରେ ଭିଆଇପିଙ୍କ ସ୍ୱତନ୍ତ୍ର ପ୍ରବେଶକୁ ନିଷିଦ୍ଧ କରିବା ପାଇଁ ଦାୟର ଏକ ପିଟିସନ ସୁପ୍ରିମକୋର୍ଟଙ୍କ ଶୁଣାଣୀ ଅପେକ୍ଷାରେ ରହିଛି । ଏହା ନିସନ୍ଦେହରେ କେବଳ ମନ୍ଦିର ନୁହେଁ, ସାର୍ବଜନୀନ ସ୍ଥାନଗୁଡିକ ସମେତ ମେଳା, ମହୋତ୍ସବ, ଆଦି ଅନୁଷ୍ଠାନରେ ଭିଆଇପିଙ୍କ ସ୍ୱତନ୍ତ୍ର ପ୍ରବେଶ କେବଳ ସାମ୍ବିଧାନିକ ନିର୍ଦ୍ଦେଶ ସମାନତା’କୁ ଉଲଂଘନ କରୁନାହିଁ, ସାଧାରଣ ଲୋକଙ୍କ ପାଇଁ ଅସହ୍ୟ’ର କାରଣ ହୋଇଛି । ଯାହା ଦିନେ ବିସ୍ଫୋରକ ସ୍ଥିତି ଉତ୍ପନ୍ନ କରିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ