ଭିଜିଲାନ୍ସ ଜାଲରେ ପୂର୍ବତନ ଡିଏସଡବ୍ଲ୍ୟୁ ଜୟନ୍ତୀ ବେହେରା
ବାଲେଶ୍ୱର, (ସରୋଜ ପଣ୍ଡା):ଆୟ ବହୁର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜିଲା ସମାଜ ମଙ୍ଗଳ ଅଧିକାରିଣୀ (ଡିଏସଡବ୍ଲ୍ୟୁ)ରୁ ପଦୋନ୍ନତି ପାଇ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ କାର୍ଯ୍ୟରତ ଜୟନ୍ତୀ ବେହେରା । ଭଦ୍ରକ, ବାଲେଶ୍ୱର ଓ ଭୁବନେଶ୍ୱର ଘର ତଥା କାର୍ଯ୍ୟାଳୟ ସମେତ ୧୧ଟି ସ୍ଥାନରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ହୋଇଛି । ବାଲେଶ୍ୱର ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ବିଭାଗର ଜଣେ ଆଡ଼ିସନାଲ ଏସପି, ୪ ଡ଼ିଏସପି, ୮ଇନସ୍ପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ ଏହି ଚଢ଼ଉ କରିଥିଲେ । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜୟନ୍ତୀ ବେହେରାଙ୍କ ବାଲେଶ୍ୱର ସହରର ସହଦେବଖଣ୍ଟା ଫିରିଙ୍ଗିାଟଣାରେ ଥିବା ୩ ମହଲା କୋଠା, ବାଲେଶ୍ୱରର ଗଣେଶ୍ୱରପୁର ସିଦ୍ଧେଶ୍ୱର କଲୋନୀରେ ଥିବା ୩ ମହଲା କୋଠା ଓ ନିର୍ମାଣାଧୀନ ୨ମହଲା କୋଠା, ଭୁବନେଶ୍ୱର ଗୌତମ ନଗରର ରୟାଲ ରେସିଡେନ୍ସିରେ ଥିବା ୩-ବିଏଚକେ ଫ୍ଲାଟ, ଭୁବନେଶ୍ୱର ଓଲଡ଼ ଟାଉନ ସ୍ଥିତ ଷ୍ଟଲୱାର୍ଟ ଆପାର୍ଟମେଣ୍ଟରେ ୩-ବିଏଚକେ ଘର, ଭଦ୍ରକ ସ୍ଥିତ ଭଡାରେ ଥିବା ବାସଭବନ, ଭଦ୍ରକ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଦପ୍ତର, ବାଲେଶ୍ୱର ଜିଲା ପରିଷଦରେ କଲ ସେଂଟର ଏକଜିକ୍ୟୁଟିଭ ଭାବେ କାର୍ଯ୍ୟରତ ରୋହିତ କୁମାର ମଣ୍ଡଳଙ୍କ ଅଫିସ ଚ୍ୟାମ୍ବର, ବାଲେଶ୍ୱର ସହରର ସୁନହଟରେ ଥିବା ଜୟନ୍ତୀଙ୍କ ସମ୍ପର୍କୀୟଙ୍କ ଘର, ବାଲେଶ୍ୱର ସହରର ଚିଡ଼ିଆପୋଲ ସ୍ଥିତ ତାଙ୍କ ଅନ୍ତରଙ୍ଗ ବନ୍ଧୁଙ୍କ ଛତୁଆ ପ୍ରସ୍ତୁତି କେନ୍ଦ୍ରର ଏବଂ ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ଅଫିସରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢଉ କରିଛି । ୫ କୋଟିରୁ ଅଧିକ ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ କି ଜୟନ୍ତୀ ବେହେରା ଗତ ୪ ତାରିଖରେ ଭଦ୍ରକ ସମାଜ ମଙ୍ଗଳ ଅଧିକାରୀ ପଦରୁ ପଦୋନ୍ନତି ପାଇ ଭୁବନେଶ୍ୱରର ମହିଳା ଓ ଶିଶୁ ବିକାଶ ବିଭାଗକୁ ବଦଳି ହୋଇଥିଲେ । ସେ ଭୁବନେଶ୍ୱର ଅଫିସରେ କାର୍ଯ୍ୟରେ ଯୋଗଦାନ କରିଥିଲେ ବି ଭଦ୍ରକରେ ଚାର୍ଜ ହେଣ୍ଡ ଓଭର କରିନଥିଲେ । ଆସନ୍ତା ସପ୍ତାହରେ ବାଲେଶ୍ୱର ଆସିବା ଅବସରରେ ସେ ରିଲିଭରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥାନ୍ତେ ।