ଭିଜିଲାନ୍ସ ଜାଲରେ ଶିକ୍ଷାଧିକାରୀ, ତିନିଦିନ ପରେ ଅବସର ନେଇଥାନ୍ତେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂହ । ଆଉ ମାତ୍ର ତିନି ଦିନ ପରେ ସରକାରୀ ଚାକିରୀରୁ ଅବସର ନେଇଥାନ୍ତେ । ଶିକ୍ଷା ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ବଦଳି ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡି ଗିରଫ ହୋଇଛନ୍ତି ଶ୍ରୀ ସିଂ । ଦୀର୍ଘଦିନ ଧରି ଜିଲ୍ଲା ଶିକ୍ଷା ବିଭାଗରେ ଚାଲିଥିଲା କେଳେଙ୍କାରୀ । ପୂର୍ବରୁ ମାର୍ଶାଘାଇ ବ୍ଲକ ଶିକ୍ଷାଧିକାରୀ ଭିଜିଲାନ୍ସ ଜାଲରେ ପଡିଥିବା ବେଳେ ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଶିକ୍ଷା ବିଭାଗର ଯାବତୀୟ କେଳେଙ୍କାରୀକୁ ସେ ଚପାଇ ଅର୍ଥ ଲୁଟ୍ କରିବାରେ ଲାଗିପଡିଥିଲେ । ବଦଳି କରି ଅନେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଉଥିଲେ । ଯେଉଁ ଶିକ୍ଷକ/ଶିକ୍ଷୟିତ୍ରୀ, କର୍ମଚାରୀ ଯେଉଁ ସ୍ଥାନକୁ ଯିବାକୁ ଚାହୁଁଥିଲେ ଅର୍ଥ ନେଇ ସେ ସେମାନଙ୍କୁ ଥଇଥାନ କରୁଥିଲେ । କିନ୍ତୁ ଜଣେ କର୍ମଚାରୀଙ୍କ ଠାରୁ ଅର୍ଥ ନେଇ ଥଇଥାନ କରିବା ବେଳେ ଅନ୍ୟ ଜଣେ ନିରୀହ କର୍ମଚାରୀ ବଳି ପଡୁଥିଲେ । ଅର୍ଥାତ ନିରୀହ କର୍ମଚାରୀଙ୍କୁ ଉପାନ୍ତ ଅଞ୍ଚଳକୁ ବଦଳି ହୋଇ ଯିବାକୁ ପଡୁଥିଲା । ଏହାକୁ ନେଇ ବହୁ ସଚ୍ଚୋଟ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘଦିନ ହେବ ଅସନ୍ତୋଷ ସୃଷ୍ଟି ହୋଇଥିଲା । ନିକଟରେ ଜଣେ ଶିକ୍ଷକ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ତାଙ୍କୁ ନିଲମ୍ବନ କରିବା ପରିବର୍ତ୍ତେ ତାଙ୍କ ଠାରୁ ଫାଇଦା ହାସଲ କରି ତାଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି କରିଥିଲେ । ଏହି ସମୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୁର୍ନିତୀଖୋର ମନୋଭାବ ସମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ବୁଧବାର ତିନିମୁହାଣୀ ନିକଟସ୍ଥ ଏନ୍ଏଚ୍ କଲୋନୀରେ ଥିବା ନିଜ ଭଡ଼ା ଘରେ ପଟ୍ଟାମୁଣ୍ଡାଇ ନିମପୁର ବିଦ୍ୟାଳୟର ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରିଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଶ୍ରୀ ସିଂହ । ସେହି ସମୟରେ କେନ୍ଦ୍ରାପଡ଼ା ଓ କଟକର ଭିଜିଲାନ୍ସ ଟିମ ଶ୍ରୀ ସିଂହଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରିନେଇଥିଲେ । ଜଣେ ଶିକ୍ଷୟିତ୍ରୀ ନାମ ଗୋପନ ରଖି କହିଛନ୍ତି ଗତ ୬ ମାସ ମଧ୍ୟରେ ଶହ ଶହ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବଦଳି କରାଯାଇଛି । ସେମାନଙ୍କ ଠାରୁ ଶ୍ରୀ ସିଂହ ମୋଟା ଅଙ୍କର ଅର୍ଥ ନେଇ ବଦଳି କରିଛନ୍ତି । ହେଲେ ଏହାଦ୍ୱାରା ଅନେକ ଶିକ୍ଷକ/ଶିକ୍ଷୟିତ୍ରୀ ବଳି ପଡିଛନ୍ତି । ଅର୍ଥାତ ସେମାନେ ଯେଉଁ ସ୍ଥାନକୁ ବଦଳି ହେବା ପାଇଁ ଚାହୁଁ ନଥିଲେ ସେଠାକୁ ସେମାନଙ୍କୁ ବଦଳି କରାଯାଇଛି । ବଦଳି କ୍ଷେତ୍ରରେ ସ୍ୱଚ୍ଛାତା ଅବଲମ୍ବନ କରାଯାଉ ନଥିଲା । ଯିଏ ଶ୍ରୀ ସିଂହଙ୍କୁ ସନ୍ତୁଷ୍ଟ କରି ପାରୁଥିଲା ସେ ବିନା ଦ୍ୱିଧାରେ ନିଜ ଇଛା ମୁତାବକ ସ୍ଥାନକୁ ବଦଳି ହୋଇ ପାରୁଥିଲା ବୋଲି ଶିକ୍ଷୟିତ୍ରୀ ଜଣକ କହିଛନ୍ତି । ସେହିପରି ଅନ୍ୟ ଜଣେ ଶିକ୍ଷୟିତ୍ରୀ କହିଛନ୍ତି ଲାଞ୍ଚ କାରବାର ଶ୍ରୀ ସିଂ କାର୍ଯ୍ୟାଳୟରେ କରୁ ନଥିଲେ । କାରଣ କାର୍ଯ୍ୟାଳୟରେ ସିସିଟିଭି ଲାଗିଛି । ତେଣୁ ଲାଞ୍ଚ କାରବାର ପାଇଁ ସେ ନିଜ ଭଡା ଘରକୁ କର୍ମଚାରୀମାନଙ୍କୁ ଡକାଉଥିଲେ । ସୂଚନା ଥାଉକି ଶ୍ରୀ ସିଂଙ୍କ ଚାକିରି ଅବଧି ଆଉ ମାତ୍ର ୩ ଦିନ ଥିଲା । ତେଣୁ ସେ ଆଖିବୁଜି ଲାଞ୍ଚ ନେଇ ଏଠାରୁ ଖସି ଯିବାକୁ ଯୋଜନା କରିଥିଲେ । କିନ୍ତୁ ଭିଜିଲାନ୍ସ ଜାଲରେ ପଡିଗଲେ । ନିକଟରେ ଶ୍ରୀ ସିଂଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଗୁଆ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନିଜର ଦୁର୍ନିତୀଖୋର ମନୋଭାବକୁ ସଫା କରିବା ପାଇଁ ନିଜେ ଏହିଭଳି ସମ୍ବର୍ଦ୍ଧନା ସଭାର ଆୟୋଜନ କରୁଥିଲେ ବୋଲି ଜଣେ ଶିକ୍ଷକ ନାମ ଗୋପନ ରଖିବା ସର୍ତ୍ତରେ କହିିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୬ ମାସ ମଧ୍ୟରେ ଯେଉଁ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ବଦଳି କରାଯାଇଥିଲା ସେମାନଙ୍କୁ ପୁନର୍ବାର ପୂର୍ବ ସ୍ଥାନକୁ ଫେରାଇ ଅଣାଗଲେ ସଚ୍ଚୋଟ ଶିକ୍ଷକ/ଶିକ୍ଷୟିତ୍ରୀମାନେ ନ୍ୟାୟ ପାଇପାରିବେ ।


