ଭିଡିଓ କନଫରେନ୍ସରେ କୋଭିଡ -୧୯ ଲକଡାଉନ ସମୀକ୍ଷା କଲେ ଆରକ୍ଷୀ ଅଧିକ୍ଷକ
କେନ୍ଦ୍ରାପଡା : ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାର କୋଭିଡ-୧୯ ଲକଡାଉନ ସମୟରେ ପୋଲିସର କାର୍ଯ୍ୟକ୍ରମକୁ ସମୀକ୍ଷା କରିଥିଲେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭିଡିଓ କନଫରେନ୍ସ ଯୋଗେ ଜିଲ୍ଲାର ସମସ୍ତ ବ୍ଲକ ଗୁଡିକରେ ଥିବା ଭିଡିଓ କନଫରେନ୍ସ ଗୃହରେ ସଂପୃକ୍ତ ବ୍ଲକ ଅଧିନରେ ଆସୁଥିବା ଥାନା ଗୁଡିକର ଅଧିକାରୀମାନଙ୍କ ସହିତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶେଖର ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି କୋଭିଡ-୧୯ ଲକଡାଉନ ସମୟରେ ସଂପୃକ୍ତ ଅଚଂଳ ଗୁଡିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ ସଂପୃକ୍ତ ଅଚଂଳର ଏସଡିପିଓ, ଡିଏସପିମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ଦ୍ୱାରା ଘୋଷଣା କରାଯାଇଥିବା ଦୋକାନ ଗୁଡିକୁ ଛାଡି ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କେବଳ ପରିବା, ତେଜରାତି, ମାଛ, ମାଂସ, ଚିକେନ ପ୍ରଭୃତି ଦୋକାନ ଗୁଡିକ ଖୋଲାରହିବା, ୧୧ଟା ପରେ ଏସବୁ ଦୋକାନ ଗୁଡିକ ବନ୍ଦ ରହିବା, ପୋଲିସ ମହାନିର୍ଦେଶକ ଘୋଷଣା କରିଥିବା ରାସ୍ତାଉପରେ ଛିଡାହୋଇ ଦାଇତ୍ୱ ନିର୍ବାହ କରୁଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଲକଡାଉନ ସମୟରେ ଦିନକୁ ଆଠଘଂଟା ଡ୍ୟୁଟି ଦିଆଯିବା ସହ ସପ୍ତାହରେ ଗୋଟିଏ ଦିନ ଛୁଟି ପ୍ରଦାନ କରାଯିବା,ଖରାରେ ଦାଇତ୍ୱ ନିର୍ବାହ କରୁଥିବାରୁ ସେମାନଙ୍କୁ ଛତା ପ୍ରଦାନ କରାଯିବା ଓ ସେମାନେ ହାତରେ ଗ୍ଲୋବସ ଏବଂ ମୁହଁରେ ମାସ୍କ ପିନ୍ଧିବା ପ୍ରଭୃତି ସମ୍ପର୍କରେ ବିଭିନ୍ନ ଥାନାର ଇନିସପେକ୍ଟର,ଏସଡିପିଓ ଏବଂ ଡିଏସପିମାନଙ୍କ ସହିତ ଜିଲ୍ଲା ସଦର ମହକୁମାରୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶେଖର ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାନ୍ତି ଆଲୋଚନା କରିଥିଲେ । କେନ୍ଦ୍ରାପଡା ବ୍ଲକ ପରିସରରେ ଥିବା ଭିଡିଓ କନଫରେନ୍ସିଂ ଗୃହରେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ଇନିସପେକ୍ଟର ବିଜୟଲକ୍ଷ୍ମୀ ମହାପାତ୍ର ଓ ଇନିସପେକ୍ଟର ସଶ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


