ଭିଡିଓ ବାର୍ତ୍ତାଳାପରେ ଗଜପତି ଜିଲ୍ଲାପାଳ ସରପଞ୍ଚ ମାନଙ୍କ ସହ କରୋନାସ୍ଥିତି ଅନୁଧ୍ୟାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାପାଳ ଅନୁପମ ସାହା ଭିଡିଓ କନ୍‌ଫେସିରିଂ ମାଧ୍ୟମରେ ପ୍ରତି ପଞ୍ଚାୟତ ସମିତିର ସରପଞ୍ଚ ମାନଙ୍କ ସହ କରୋନା ସ୍ଥିତି ନେଇ ଅନୁଧ୍ୟାନ କରିବା ସହ ଆଗାମୀ ଦିନରେ କରୋନାର ମୁକାବିଲା ପାଇଁ ଆହୁରି ଅଧିକା ସଜାଗ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ପ୍ରାରମ୍ଭରେ ସରପଞ୍ଚମାନଙ୍କୁ ସ୍ୱାଗତ କରିବା ସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଠିକ ଭାବେ ଚଲାଉଥିବା ଯୋଗୁଁ ଧନ୍ୟବାଦ ଦେଇଥିଲେ । ମଇ ମାସ ୨୩ ତାରିଖରେ ଜିଲାର ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଜୁନ୍ ୧୯ ତାରିଖରେ ଏହା ୧୯୧ରେ ପହଂଚି ଥିଲା । ଏହି ଘଟଣାକୁ ସମସ୍ତେ ଗୁରୁତର ସହ ନେବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ । ପ୍ରତ୍ୟେକ ଜନସାଧାରଣ ଏଥିରେ ସହଯୋଗ କରିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ । ବଢୁଥିବା କରୋନା ରୋଗୀଙ୍କ ସଙ୍ଖ୍ୟାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ଅଧିକ ସଚେତନ ହେବା ସହ ସଙ୍ଗରୋଧରୁ ଫେରିଲା ପରେ ପୁଣି ନିଜ ଘରେ ସଙ୍ଗରୋଧରେ ରହିବା ସହ ସାମାଜିକ ଦୂରତା ଓ ମାସ୍କ ପରିଧାନ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଏହା ଉପରେ ନିରୀକ୍ଷଣ କରୁଥିବା ଦଳ ଯଥା ଆଶା, ଅଙ୍ଗନବାଡି ଏବଂ ଏ.ଏନ୍‌.ଏମ୍‌. କିପରି ସବୁ ଲୋକଙ୍କ ପାଖରେ ପହଂଚିବା ସହ ସେମାନଙ୍କ ଲକ୍ଷ୍ୟଣ ଗୁଡିକୁ ଚିହ୍ନଟ କରିବେ ସେ ଉପରେ ଆଲୋଚନା କରିଥିଲେ । ସରକାରଙ୍କ ପକ୍ଷରୁ ପ୍ରତି ୱାର୍ଡରେ ୱାର୍ଡସ୍ତରୀୟ କମିଟି ଗଠନ କରି ତାର ଦାୟିତ୍ୱ ୱାର୍ଡ ମେମ୍ବରଙ୍କ ଉପରେ ନ୍ୟସ୍ତ କରିବା ସହ କମିଟି କିପରି ଅଧିକ ସକ୍ରିୟ ହେବ ସେ ଉପରେ ସେ ସରପଞ୍ଚମାନଙ୍କ ସହ କଥା ହୋଇଥିଲେ । ଏହି ବିଷୟ ଉପରେ ବିଡିଓ ମାନଙ୍କୁ ପଚାରି ଜିଲ୍ଲାପାଳ ବୁଝିଥିଲେ ଯେ ଜିଲ୍ଲାରେ ଆବଶ୍ୟକଥିବା ୧୮୬୫ ସଂଖ୍ୟକ ୱାର୍ଡସ୍ତରୀୟ କମିଟି ଭିତରୁ ୧୧୮୦ ଗୋଟି ୱାର୍ଡରେ କମିଟି ତିଆରି ହୋଇଛି । ୱାର୍ଡ କମିଟିର ୱାର୍ଡ ମେମ୍ବର ଅଧ୍ୟକ୍ଷ ଥିବାବେଳେ ଜଣେ ଶିକ୍ଷକ ଆବାହକ ଭାବେ ଏବଂ ଆଶା, ଅଙ୍ଗନବାଡି ସ୍ୱେଚ୍ଛାସେବୀ ଅନୁଷ୍ଠାନରୁ ଜଣେ ଲେଖାଁଏ ସଭ୍ୟ ରହିଛନ୍ତି । ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ଚାଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଭିଡ୍ କେୟାର ସେଣ୍ଟାର ଭାବେ କାମ କରିବା ସହ ଏହାର ଦାୟିତ୍ୱ ସରପଞ୍ଚ ନେବେ ବୋଲି କୁହାଯାଇଥିଲା । ସରପଞ୍ଚମାନେ ପ୍ରତି ୱାର୍ଡରେ ୱାର୍ଡ ମେମ୍ବରମାନଙ୍କୁ ଧରି ବୈଠକ କରିବା ସହ ଡାକବାଜି ଜନ୍ତ୍ର ଜରୀଆରେ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ