ଭିତରକନିକା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦ୍ୱିତୀୟ ଭିତରକନିକା ମହୋତ୍ସବ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ରାଜନଗର ଡି.ଏଫ୍‌.ଓ. ସୁଦର୍ଶନ ଯାଦବ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ, ସଂଗୀତ ନିର୍ଦ୍ଦେଶକ ତଥା ଲେଖକ ବସନ୍ତରାଜ ସାମଲ, ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଣ୍ଟର ନିର୍ବାହୀ ଯନ୍ତ୍ରୀ, ପଟ୍ଟାମୁଣ୍ଡାଇ ପୌରପରିଷଦ ନିର୍ବାହୀ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ ୨୦୨୦ ମସିହାରେ ଅନୁଷ୍ଠିତ ପ୍ରଥମ ଭିତରକନିକା ମହୋତ୍ସବର ସଫଳତା ଓ ଆଦୃତି ଯୋଗୁଁ ପରିଦର୍ଶକ ଓ ପର୍ଯ୍ୟଟକମାନଙ୍କର ସଂଖ୍ୟା ଆଜି ଆଶାତୀତ ଭାବେ ବୃଦ୍ଧି ପାଇଛି ବୋଲି ସୂଚନା ଦେଇଥିଲେ । କୋଭିଡ୍ ମହାମାରୀ ଯୋଗୁଁ ୨୦୨୧ ଓ ୨୦୨୨ ମସିହାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇପାରିନଥିଲା । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଦ୍ୱିତୀୟ ଭିତରକନିକା ମହୋତ୍ସବ -୨୦୨୩ ଆସନ୍ତା ମାର୍ଚ୍ଚ ମାସ ୧୦, ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଭିତରକନିକା ଅଭୟାରଣ୍ୟ ହେଉଛି ଭାରତର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଅନୁପମ ସୌନ୍ଧର୍ଯ୍ୟ, ହେନ୍ତାଳ ବନ, ବିରଳ ଜୀବଜନ୍ତୁ, ପ୍ରାକୃତିକ କୁମ୍ଭୀର ପ୍ରଜନନ କେନ୍ଦ୍ର ଓ ଜୈବ ବିବିଧତା ପାଇଁ ଭିତରକନିକା ପର୍ଯ୍ୟଟକମାନଙ୍କର ଅନନ୍ୟ ଆକର୍ଷଣ । ଭିତରକନିକା ମହୋତ୍ସବ ଏହାର ଆକର୍ଷଣରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡି ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରିଛି ବୋଲି ରାଜନଗର ବିଧାୟକ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ପ୍ରଥମ ଭିତରକନିକା ମହୋତ୍ସବର ସଫଳତା ଓ ସଂପୃକ୍ତ ସରକାରୀ ଅଧିକାରୀମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ଗତଥର ପରି ଏଥର କେନ୍ଦ୍ରାପଡାର ସୁନାମ ରହିବ ବୋଲି କହି ସହ ସମସ୍ତଙ୍କ ଆନ୍ତରିକ ସହଯୋଗ ପାଇଁ ବିଧାୟକ ଶ୍ରୀ ସାହୁ ଆଶାବ୍ୟକ୍ତ କରିଥିଲେ । ଏହି ବୈଠକରେ ୭ଟି କମିଟି ଗଠନ କରାଯାଇଥିବା ବେଳେ ଏହାର ସୁପରିଚାଳନା ଓ ପରସ୍ପର ମଧ୍ୟରେ ସମନ୍ୱୟ ପାଇଁ ପ୍ରଶାସନିକ ସ୍ତରର ଅଭିଜ୍ଞ ଓ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦେବାକୁ ସ୍ଥିର କରାଯାଇଛି । ଭିତରକନିକା ମହୋତ୍ସବରେ ହେବାକୁଥିବା ଷ୍ଟଲଗୁଡିକରେ ମହିଳା ଏସଏଚ୍‌ଜି ଗ୍ରୁପର ସଦସ୍ୟାମାନଙ୍କୁ ସେମାନଙ୍କର ସ୍ୱନିର୍ମିତ ଦ୍ରବ୍ୟର ବିକ୍ରି ସହିତ ଖାଦ୍ୟ ସାମଗ୍ରୀ ବିକ୍ରିପାଇଁ ପ୍ରାଥମିକତା ଦିଆଯିବ । ଶେଷରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିବା ସହ ଭିତରକନିକା ମହୋତ୍ସବକୁ ସଫଳ କରିବା ପାଇଁ ଏକ ମିଶନ ମୋଡରେ କାର୍ଯ୍ୟକରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ