ଭିତିପ୍ରସ୍ତର କରାଯାଇଥିବା କମ୍ୟୁନିଟି ହଲକୁ ସ୍ଥାନାନ୍ତର ଦାବି
ଛତ୍ରପୁର : ଛତ୍ରପୁର ନିକଟ ଆଇଆରଇ କମ୍ପାନୀ ପକ୍ଷରୁ ଆର୍ଜିପଲ୍ଲୀ ପଂଚାୟତର ଜନସାଧାରଣଙ୍କ ସୁବିଧା ନିମନ୍ତେ ଗତ ୧୯.୧୨.୨୦୧୯ ତାରିଖରେ ଏକ କମ୍ୟୁନିଟି ହଲ୍ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏନେଇ ଆଜି ଆର୍ଜିପଲ୍ଲୀ ପଂଚାୟତର ଶତାଧିକ ଯୁବକମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଭେଟି ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ଏହି ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ, ଆଇଆରଇ ପକ୍ଷରୁ କମ୍ୟୁନିଟି ହଲ୍ କରିବା ନିମନ୍ତେ ଯେଉଁ ସ୍ଥାନରେ ଭିତିପ୍ରସ୍ତର ସ୍ଥାପନ କରାଯାଇଛି ତାହା ଗ୍ରହଣ ଯୋଗ୍ୟ ନୁହେଁ । ସେଠାରେ ରେଲୱେ ଟ୍ରାକ୍ ଏବଂ ମଦୁଆ ମାନଙ୍କ ଆଡ୍ଡା ସ୍ଥଳୀ ରହିଛି । ତେଣୁ ଉକ୍ତ ସ୍ଥାନ ପରିବର୍ତନ କରି ଆର୍ଜିପଲ୍ଲୀ ନୂଆ ଓଡ଼ିଆରପି କଲୋନୀ ପରିସରରେ ଏହି କମ୍ୟୁନିଟି ହଲ୍ ସ୍ଥାପନ କଲେ ଅଂଚଳବାସୀ ଉପକୃତ ହେବେ । ଯଦ୍ୱାରା ବିବାହ, ବ୍ରତ ଏବଂ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରିବ । ଏହାର ଏକ ନକଲ ଆଇଆରଇର କମ୍ପାନୀର ସିଜିଏମ୍ ଏବଂ ସବ୍ କଲେକ୍ଟର ଛତ୍ରପୁର ଓ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଜି. ଜଗନ୍ନାଥ, ଏସ୍. କ୍ରିଷ୍ଣା, ଜି. ଡ଼ାଲେୟା, ଇ. ଚେନେୟା, ଏରେୟା ସାହୁ, ଏନ୍. ବଳରାମ, ଜି. କାମରାଜୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।


