ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ନାହିଁ : ବିଦ୍ୟୁତ କାଟରେ ସହରବାସୀ ଅତିଷ୍ଠ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ ) : ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ଏବଂ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ ଲକ୍ଷ୍ୟରେ ବିଦ୍ୟୁତ ବିତରଣ କମ୍ପାନୀ ସାଉଥକୋକୁ ଟାଟା ପାୱାରକୁ ହସ୍ତାନ୍ତର କରାଯାଇଛି । ଟାଟାପାୱାର ଦାୟିତ୍ୱ ଗ୍ରହଣ କରିବା ପରେ ବିଦ୍ୟୁତ ସେବାରେ ନିଶ୍ଚିତ ଉନ୍ନତି ଆସିବ ବୋଲି ଗ୍ରାହକଙ୍କ ମହଲରେ ଏକ ଧାରଣା ସୃଷ୍ଟି ହୋଇଥିଲା । ହେଲେ ବର୍ତମାନ ଏହା ଭୂଲ ପ୍ରମାଣିତ ହେବାରେ ଲାଗିଛି । ପୂର୍ବରୁ ସାଉଥକୋ ଠାରୁ ମିଳୁଥିବା ଗ୍ରାହକ ସେବା ଠାରୁ ଖରାପ ବୋଲି ସ୍ଥାନୀୟ ସହରର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ବିନା କାରଣରେ ସହରର କେଉଁଠି ନା କେଉଁଠି ବିଦ୍ୟୁତ କାଟ ନିତିଦିନିଆ ଘଟଣା ଘଟିବାରେ ଲାଗିଛି । ପୂର୍ବରୁ କେବଳ ଗ୍ରୀଷ୍ମ ଋତୁରେ ସ୍ଥାନୀୟ ସହରର ବିଭିନ୍ନ ସ୍ଥାନରେ ଲୋଭୋଲଟେଜ ସମସ୍ୟା ରହୁଥିଲା । ଏଭଳି ସମୟରେ ଜନସାଧାରଣଙ୍କ ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଉଥିବା ଯୋଗୁଁ ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ଅତ୍ରଧିକ ଚାପ ପଡ଼ିବା ଯୋଗୁଁ ଲୋଭୋଲଟେଜ ସମସ୍ୟା ଲାଗି ରହୁଥିବା କଥାକୁ ଲୋକେ ବିଶ୍ୱାସ କରି ନେଉଥିଲେ । ବର୍ତ୍ତମାନ ସ୍ଥିତିରେ ଧାରା ଶ୍ରାବଣରେ ବର୍ଷା ଉଭେଇ ଯାଇଥିବା ବେଳେ ପ୍ରତ୍ୟହ ସନ୍ଧ୍ୟାରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସୁଛି । ହେଲେ ବର୍ଷା ହେଉନାହିଁ । ଆକାଶରେ କଳା ବାଦଲ ଦେଖିଲେ ବିଦ୍ୟୁତ ବିଭାଗୀୟ କର୍ମଚାରୀ ମାନେ ବିଦ୍ୟୁତ ବିଚ୍ଛିନ୍ନ କରିଦେଉଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଆରମ୍ଭରୁ ଟାଟାପାୱାର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ବର୍ଷ ଆରମ୍ଭରୁ ହିଁ ବିଦ୍ୟୁତ କାଟ ଲାଗି ରହୁଛି । ଟାଟାପାୱାର ଦାୟିତ୍ୱ ନେବାର ଦୀର୍ଘ ୭ ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସୁଫଳ ମିଳି ପାରିନାହିଁ । ପୁରୁଣା ଭିତ୍ତିଭୂମି ଉପରେ କେବଳ ନାମ ପରିବର୍ତ୍ତନ କରାଯାଇଛି ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି । ଏଭଳି ଅଘୋଷିତ ବିଦ୍ୟୁତ କାଟକୁ ନେଇ ଉପଭୋକ୍ତାମାନଙ୍କ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ପ୍ରତିଦିନ ସହରର ବିଭିନ୍ନ ସ୍ଥାନରେ ବହୁ ସମୟ ଧରି ବିଦ୍ୟୁତ କାଟ କରାଯାଉଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଘରୋଇକରଣ କରାଯିବା ପରେ ଲୋକେ ଏଥିରୁ ସୁଫଳ ପାଇବା ପରିବର୍ତ୍ତେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବୁଧବାର ଭୋର ୫ଟାରୁ ସନ୍ଧ୍ୟା ୬ ଘଣ୍ଟା (୧୩) ଘଣ୍ଟା ସମୟ ମଧ୍ୟରେ ୨୨ ଥର ବିଦ୍ୟୁତ କାଟ କରାଯାଇଥିବା ଜଣାପଡ଼ିଛି । ଟାଟାପାୱାର ଦାୟିତ୍ୱ ଗ୍ରହଣ କରିବା ପରେ ଭିତ୍ତିଭୂମିର ବିକାଶ ଉପରେ ଯେତିକି ଗୁରୁତ୍ୱ ଦେବା କଥା ତାହା ନକରି ରାଜସ୍ୱ ଆଦାୟ ପଛରେ ଲାଗିପଡ଼ିଥିବା ଜଣାପଡ଼ିଛି । ସାଉଥକୋ ଦାୟିତ୍ୱ ସମୟରେ ସ୍ଥାନୀୟ ଅଞ୍ଚଳର କୂଶଳୀ ଶ୍ରମିକଙ୍କ ଠିକା ଭାବେ ନିଯୁକ୍ତି ଦେଇ କାର୍ଯ୍ୟ ହାସଲ କରୁଥିବା ବେଳେ ଟାଟାପାୱାର ଆସିବା ପରେ ଅଣଓଡ଼ିଆ ଠିକା କର୍ମଚାରୀ ନିଯୁକ୍ତିକୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । ଅଣଓଡ଼ିଆ କର୍ମଚାରୀଙ୍କ ସହରର ସମସ୍ୟା ସର୍ମ୍ପକରେ ଧାରଣା ନଥିବା ଯୋଗୁଁ ସମସ୍ୟା ଅଧିକ ରହୁଥିବା ନେଇ ଜୈନିକ କର୍ମଚାରୀ ନିଜ ନାମକୁ ଗୋପନ ସୂତ୍ରରେ ସୂଚନା ପ୍ରଦାନ କରିଛନ୍ତି । ଏ ନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସତ୍ୟ ନାରାୟଣ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ ଚାଲୁ ରହିଥିବା ଯୋଗୁଁ ବିଦ୍ୟୁତ କାଟ ହେଉଛି ବୋଲି କହିଛନ୍ତି । ଟାଟାପାୱାର କର୍ତ୍ତୃପକ୍ଷ ଉପଭୋକ୍ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ବିଦ୍ୟୁତକାଟ ଭଳି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଜନଅସନ୍ତୋଷ ବୃଦ୍ଧି ପାଇବା ସହ ଏକ ବଡ଼ ଧରଣର ଜନଆନ୍ଦୋଳନ ଗଢି ଉଠିବ, ଏଥିରେ ନିସନ୍ଦେହ ।