ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କଲା ପ୍ରଶାସନ, ଚିକିତ୍ସା ପାଇଁ ପରିବାରର ନିବେଦନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ଗ୍ରାମର ଭିନ୍ନକ୍ଷମ ପ୍ରତାପ ସାହୁଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ବିଡିଓ ରେବେକା ବିଲୁଙ୍ଗଙ୍କ ନିର୍ଦ୍ଦେଶ କ୍ରମେ ସାମାଜିକ ସୁରକ୍ଷା ଅଧିକାରୀ ଜମାଦାର ମୁଣ୍ଡା ସଂପୃକ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଘରେ ପହଞ୍ôଚ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ । ଟ୍ରାଇ ସାଇକେଲ ପ୍ରଦାନ ବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଲେଖ ଚନ୍ଦ୍ର ମଲ୍ଲିକ, ପିଏଜି ପିତାମ୍ବର ସାହୁ, ସଂଯୋଜକ ହୃଦାନନ୍ଦ ପାଢୀ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଗତ ୨ ମାସ ତଳେ ସଂପୃକ୍ତ ବ୍ୟକ୍ତି ଗଛରୁ ପଡି ଯିବା ଫଳରେ ତାଙ୍କର ସ୍ପାଇନାଲ୍ କର୍ଡ ଭାଙ୍ଗି ଯାଇଛି । ତାଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ କଟକ ନେବାକୁ ପରାମର୍ଶ ଦେଇଥିଲେ । ମାତ୍ର ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ଅର୍ଥାଭାବ ଯୋଗୁ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନା ଯାଇପାରିନଥିଲେ । ସେ ଏବେ ଘରେ ଶର୍ଯ୍ୟାଶାୟୀ ଅବସ୍ଥାରେ ପଡି ରହିଛନ୍ତି । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାର ଚଳିବା କଷ୍ଟକର ହୋଇପଡିଛି । ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ପରିବାରଲୋକେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।


